କେନ୍ଦ୍ରମନ୍ତ୍ରୀଙ୍କୁ ଏଯାଏଁ ମିଳିନି ସରକାରୀ ଆବାସ : ଓଡ଼ିଶା ଭବନରେ ରହୁଛନ୍ତି ପ୍ରତାପ ଷଡ଼ଙ୍ଗୀ

291

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଏଯାଏଁ ମିଳିନି ସରକାରୀ ଆବାସ । ଫଳରେ ଓଡ଼ିଶା ଭବନରେ ରହିବା ପାଇଁ ବାଧ୍ୟ ହେଉଛନ୍ତି ପ୍ରତାପ ଷଡ଼ଙ୍ଗୀ । ମନ୍ତ୍ରୀପଦ ପାଇବାର ମାସେ ଅତିକ୍ରମ କଲାଣି ହେଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦଙ୍କୁ ସରକାରୀ ଆବାସ ମିଳିନାହିଁ । ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ ଏକମାତ୍ର ସାଂସଦ ଭାବେ ପ୍ରତାପଙ୍କୁ ସରକାରୀ ଆବାସ ସହ କାର୍ଯ୍ୟାଳୟ ପ୍ରକୋଷ୍ଠ ମିଳିପାରିନାହିଁ ।

ସରକାରୀ ଆବାସ ମିଳିନି କିନ୍ତୁ ଓଡିଶା ଭବନରେ ରହି ମଧ୍ୟ ସେ ସରକାରୀ କାର୍ଯ୍ୟ କରୁଛନ୍ତି ନନା । କେନ୍ଦ୍ର ସରକାରଙ୍କର ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏମଏସଏମଇ ଓ ଦୁଗ୍ଧ ଉତ୍ପାଦନ, ପଶୁପାଳନ ବିଭାଗ ଦାୟିତ୍ୱରେ ଅଛନ୍ତି ପ୍ରତାପ । ଦୁଗ୍ଧ ଉତ୍ପାଦନ, ପଶୁପାଳନ ଓ ମତ୍ସ୍ୟପାଳନ ମନ୍ତ୍ରାଳୟର କାର୍ଯ୍ୟାଳୟ ଥିବାବେଳେ କୌଣସି ପ୍ରକୋଷ୍ଠ ମିଳିପାରିନାହିଁ । ସେହିପରି ଉଦ୍ୟୋଗ ଭବନରେ ମଧ୍ୟ ପ୍ରକୋଷ୍ଠ ଖାଲି ହୋଇନଥିବାରୁ ନନାଙ୍କୁ କାର୍ଯ୍ୟ କରିବାକୁ ସୁବିଧା ହେଉନାହିଁ । ବଡ଼କଥା ନନାଙ୍କ ରହିବା ପାଇଁ ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ନିକଟରେ ଟାଇପ ୭ ବଙ୍ଗଳା ଆବଣ୍ଟନ କରାଯାଇଥିଲା । ତଥାପି ଏହା ଖାଲି ହୋଇନଥିବାରୁ ମନ୍ତ୍ରୀ ଷଡଙ୍ଗୀଙ୍କୁ ଅପେକ୍ଷା କରିବାକୁ କୁହାଯାଇଛି ।