ଚଳିତବର୍ଷ ତାଳଚେରରେ ଗଣେଶ ପୂଜା ବନ୍ଦ । କରୋନା ସ୍ଥିତିକୁ ଦେଖି ପୂଜା ଉପରେ ରୋକ୍ ଲଗାଇଲା ପ୍ରଶାସନ । ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ପୂଜା କଲେ ହେବ କଡା କାର୍ଯ୍ୟାନୁଷ୍ଠାନ 

174

କନକ ବ୍ୟୁରୋ : ଚଳିତ ବର୍ଷ ଚାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଉପରେ ଲାଗିଲା ରୋକ୍ । କରୋନା ସ୍ଥିତିକୁ ନଜରରେ ରଖି ଚଳିତ ବର୍ଷ ପୂଜା ଉପରେ ରୋକ୍ ଲଗାଇଛନ୍ତି ଉପଜିଲ୍ଲାପାଳ । ସରକାରୀ କିଂବା ବେସରକାରୀ ଅନୁଷ୍ଠାନରେ ସାମୁହିକ ପୂଜା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରତିବର୍ଷ ତାଳଚେରରେ ୭୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇଥାନ୍ତି ପ୍ରଭୁ ଗଜାନନ ।

ଚଳିତ ବର୍ଷ କୋଭିଡ ୧୯ର ଭୟାବହତାକୁ ନଜରରେ ରଖି ପ୍ରଶାସନ ନେଇଛି କଡା ନିଷ୍ପତି । କୌଣସି ସର୍ବସାଧାରଣ ସ୍ଥାନ, ମଣ୍ଡପ, କୌଣସି ସରକାରୀ କିଂବା ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଅନୁଷ୍ଠିତ ପ୍ରଶାସନିକ ବୈଠକରେ ନିଷ୍ପତି ହୋଇଛି । ତାଳଚେର ଉପଜିଲ୍ଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଏହି ନିଷ୍ପତି ହୋଇଛି । ପ୍ରଶାସନର ଏହି ନିଷ୍ପତିକୁ ଅବମାନନା କରି ପୂଜା ଆୟୋଜନ କଲେ କୋଭିଡ୍ ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଅନ୍ୟପଟେ ଗଣେଶ ପୂଜା ଆୟୋଜନ ଉପରେ କଟକଣା ଲାଗିବା ପରେ ଆଶା ଆଶଙ୍କାରେ ପଡିଛନ୍ତି ମୂର୍ତି କାରିଗର, ଟେଂଟ ହାଉସ ମାଲିକ, ସାଉଁଣ୍ଡ ଲାଇଟ୍ ବ୍ୟବସାୟ କରୁଥିବା ଲୋକେ ଏବେ ରୋଜଗାରର ଆଶା ହରାଇଛନ୍ତି । କରୋନା ପାଇଁ ଏମାନଙ୍କର ରୋଜଗାର ପୁରା ଚାଲିଯାଇଥିଲା । ଗଣେଶ ପୂଜା ସମୟରେ ରୋଜାଗରର ଯେଉଁ ଆଶା ଥିଲା ଥିଲା ତାହା ମଧ୍ୟ ଚାଲିଯାଇଛି ।