କମିଶନରେଟ୍ ପୁଲିସର ନିୟମକୁ ଅଣଦେଖା କରି ମନଇଚ୍ଛା ଆଦାୟ ହେଉଛି ଚାନ୍ଦା : ଅଭିଯୋଗ ପାଇଁ ଏହି ନମ୍ବରକୁ କଲ୍ କରନ୍ତୁ . . .

38

କନକ ବ୍ୟୁରୋ : କଟକ-ଭୁବନେଶ୍ୱରରେ ପୂଜା ଚାନ୍ଦା ଆଦାୟ ଉପରେ ଏଥର କଟକଣା ଜାରି କରିଛି କମିସନରେଟ୍‌ ପୁଲିସ । କୌଣସି ପୂଜା ସଙ୍ଗଠନ ଜୋରଜବରଦସ୍ତ ଲୋକଙ୍କଠାରୁ ଚାନ୍ଦା ଆଦାୟ କରିପାରିବେ ନାହିଁ ।  ଯଦି କୌଣସି ପୂଜା ଅନୁଷ୍ଠାନ କିମ୍ବା ସଙ୍ଗଠନ ଏପରି କରୁଥିବା ନଜରକୁ ଆସିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ପୁଲିସ କମିସନର ଘୋଷଣା କରିବା ସହ ନିର୍ଦେଶନାମା ଜାରି କରିଛନ୍ତି । ହେଲେ କମିସନରେଟ୍‌ ପୁଲିସର ଏହି ନିର୍ଦେଶନାମାକୁ କେହି ଖାତିର୍‌ କରୁନାହାନ୍ତି ।

ସହରର ବିଭିନ୍ନ ପୂଜା ମଣ୍ଡପଗୁଡ଼ିକ ପକ୍ଷରୁ ପୂର୍ବ ବର୍ଷଗୁଡ଼ିକ ଭଳି ଚାନ୍ଦା ଆଦାୟ କରାଯାଉଛି । ପୂଜା କମିଟି ସଦସ୍ୟଙ୍କ ମୁହଁରୁ ଯେତିକି ଟଙ୍କା ବାହାରୁଛି, ସେତିକି ଦେବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି । ଗଣେଶ ପୂଜାଠାରୁ ଏହି ଧାରା ଜାରି ରହିଥିବା ବେଳେ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇପାରୁନି । ଯେଉଁଥିପାଇଁ ଚାନ୍ଦା ଆଦାୟ ସହ ଗୋଷ୍ଠୀ ସ˚ଘର୍ଷ ବଢ଼ିବାରେ ଲାଗିଛି । ଆଗକୁ ଦୁର୍ଗା ପୂଜା ଥିବାରୁ ତାହା ପୁଲିସ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବଡ଼ କଥା ହେଉଛି ଯେ ଲୋକେ ଭୟରେ ଥାନାରେ ମାମଲା ରୁଜୁ କରୁ ନ ଥିବାରୁ ପୁଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନି । ଥାନା ଅଧିକାରୀମାନେ ନିଜର ଅସହାୟତା ପ୍ରକାଶ କରୁଛନ୍ତି ।

ଗତ ଗଣେଶ ପୂଜା ସମୟରେ ଚାନ୍ଦା ଆଦାୟକୁ ନେଇ ସମେଇଗାଡ଼ିଆ ଓ ମଞ୍ଚେଶ୍ବର ଅଞ୍ଚଳରେ ଭଙ୍ଗାରୁଜା, ଗଣ୍ଡଗୋଳ ଓ ଗୋଷ୍ଠୀ ସ˚ଘର୍ଷ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ପୁଲିସ ଘଟଣାକୁ ହାଲୁକା ଭାବେ ନେବାରୁ ତିନି ଦିନ ତଳେ ସମେଇଗାଡ଼ିଆ ଅଞ୍ଚଳରେ ଚାନ୍ଦା ଆଦାୟକୁ ନେଇ ପୁଣିଥରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗୋଟିଏ ସ˚ଘର ସଦସ୍ୟମାନେ ଗଣ୍ଡଗୋଳ କରିବା ସହ ଭଙ୍ଗାରୁଜା କରିଥିଲେ । ସେହିପରି ସହିଦନଗର ଥାନା ଅଞ୍ଚଳରେ ଚାନ୍ଦା ଆଦାୟକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବିଏମ୍‌ସିର ଜଣେ କର୍ପୋରେଟର୍‌ ଓ ତାଙ୍କ ଭାଇଙ୍କୁ କେତେଜଣ ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଗଣ୍ଡଗୋଳ ଉଗ୍ରରୂପ ନେବାରୁ ପୁଲିସ ପ୍ରାୟ ୮ ଜଣଙ୍କୁ ଗିରଫ କରିଥିଲା ।

ଚାନ୍ଦା ଆଦାୟ ଓ ଗଣ୍ଡଗୋଳ ଅଭିଯୋଗରେ ଦୁଇ ଦିନ ତଳେ ଇନ୍‌ଫୋସିଟି ଥାନା ପୁଲିସ ଜଳିସାହି ବସ୍ତିର ୮ଜଣଙ୍କୁ ଅଟକ ରଖିଛି । ଗଣେଶ ପୂଜାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଚାନ୍ଦା ମାଗିବା ଓ ମାଡ଼ ମାରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୂଜାରେ ଚାନ୍ଦା ଆଦାୟକୁୁ ନେଇ ଗତକାଲି ମଧ୍ୟ ଇନ୍‌ଫୋସିଟି ଥାନା ଅଧୀନରେ ଥିବା ଏକ ଯୁବକ ସ˚ଘର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷର ୪ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

ଏହାବ୍ୟତୀତ ସହରର ନୟାପଲ୍ଲୀ, ଖାରବେଳ ନଗର, ଖଣ୍ଡଗିରି, ବଡ଼ଗଡ଼, ଲକ୍ଷ୍ମୀସାଗର, ସହିଦନଗର ଥାନା ଅଞ୍ଚଳରେ ବି ଏବେ ପୂଜା ଚାନ୍ଦା ଆଦାୟ ହେଉଥିଲେ ମଧ୍ୟ ରୋକ୍ ଲଗାଯାଇପାରୁନି । ବିଶେଷକରି ବ୍ୟବସାୟୀଙ୍କ ଉପରେ ଜୋରଜବରଦସ୍ତ ପୂଜା ଚାନ୍ଦା ଲଦି ଯାଉଥିଲେ ମଧ୍ୟ ସେମାନେ ଭୟରେ କିଛି କହିପାରୁନାହାନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ରାଜଧାନୀରେ ଚାନ୍ଦା ଆଦାୟ ଓ ଗୋଷ୍ଠୀ ସ˚ଘର୍ଷ ଉପରେ କମିସନରେଟ୍‌ ପୁଲିସ କାବୁ କରି ପାରି ନାହିଁ । ଚାନ୍ଦା ନଦେଲେ ଜୀବନ ପ୍ରତି ଭୟ ଥିବାରୁ ପୁଲିସ୍‌ ଉପରେ ଭରସା ନକରି ଦୁର୍ବୃତ୍ତଙ୍କ ଆଗରେ ମୁଣ୍ଡ ନୁଆଁଇ ଦେଉଛନ୍ତି ରାଜଧାନୀବାସୀ ।

କେହି ଜବରଦସ୍ତ ଚାନ୍ଦା ମାଗିଲେ ମୋତେ ଫୋନ୍‌ କଲ୍‌ କରନ୍ତୁ ବୋଲି ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି କହିଛନ୍ତି । ମୋବାଇଲ୍ ନମ୍ବର – ୮୨୮୦୩୩୮୩୦୦ରେ କଲ୍ କରି ଅଭିଯୋଗ କରିପାରିବେ ।