ବାଲୁଖଣ୍ଡ ଏବେ ମରୁଭୂମି । ହରିଣର ହିସାବ ନାହିଁ । ଫନିର ୧୫ ମାସ ପରେ ବି ଅଧା ଜଙ୍ଗଲ ସଫା ହୋଇନି । ବନ ବିଭାଗର ଅପାରଗତା
କନକ ବ୍ୟୁରୋ: ୨୦୧୯ ମେ ୩ ତାରିଖ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ବାଲୁଖଣ୍ଡରେ ଛୁଇଁଥିଲା ସ୍ଥଳଭାଗ। ମାତ୍ର ପାଞ୍ଚ ଘଣ୍ଟାର ତାଣ୍ଡବରେ ଘଞ୍ଚ ବାଲୁଖଣ୍ଡ ଅଭୟାରଣ୍ୟକୁ ଛାରଖାର କରି ଦେଇଥିଲା । ସମୁଦାୟ ୮୭ ବର୍ଗ କିମି ବାଲୁଖଣ୍ଡ ଅଭୟାରଣ୍ୟରୁ ପାଖାପାଖି ୨୨ ଲକ୍ଷ ଗଛ ଭୂଇଁରେ ଲୋଟିପଡ଼ିଥିଲା। ଅଭୟାରଣ୍ୟରେ ରହୁଥିବା ମୃଗ ବା ହରିଣ ଛିନ୍ଛତର ହୋଇଯାଇଥିଲେ। ଜନବସତିକୁ ପଳାଇ ଆସିଥିଲେ। କହିବାକୁ ଗଲେ ଫନି ପୂରା ବାଲୁଖଣ୍ଡକୁ ପଦା କରି ଦେଇଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ଫନି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ ଅଞ୍ଚଳରେ ଥିବା ବିସ୍ତୀର୍ଣ୍ଣ ବାଲୁଖଣ୍ଡରେ ସ୍ଥଳଭାଗ ଛୁଇଁଥିଲା। ମାତ୍ର ପାଞ୍ଚ ଘଣ୍ଟାର ବାତ୍ୟା ପାଖାପାଖି ୨୨ ଲକ୍ଷ ଗଛ ଉପାଡ଼ି ଦେଇଥିଲା। ଘଞ୍ଚ ବାଲୁଖଣ୍ଡରେ ରହୁଥିବା ଶହ ଶହ ହରିଣ କେଉଁଆଡେ ଗଲେ ତା’ର କିଛି ଠିକଣା ମିଳିଲାନି। କୁହାଗଲା ବାଲୁଖଣ୍ଡ ସୁରକ୍ଷିତ, ହରିଣ ବି ସୁରକ୍ଷିତ ଅଛନ୍ତି। ଫନିର ୧୫ ମାସ ପରେ ମୋଟ ୬୦୦ ହେକ୍ଟର୍ ଜଂଗଲ ମଧ୍ୟରୁ ମାତ୍ର ୨୦୦ ହେକ୍ଟର ଜଂଗଲ ସଫା କରିବା ସମ୍ଭବ ହୋଇପାରିଛି। ଅବଶିଷ୍ଟ ଜଂଗଲ ସଫା ହୋଇପାରିନାହିଁ। କାଠ ଶୁଖି ମାଟିରେ ମିଶିଲାଣି। ୨୨ ଲକ୍ଷ ଗଛ ବଦଳରେ ମାତ୍ର ଏକ ଲକ୍ଷ ପାଖାପାଖି ଚାରା ରୋପଣ କରାଯାଇଛି। ଜଂଗଲ ବିଭାଗର ଏ ପ୍ରକାର ମନ୍ଥର ଗତି ଯୋଗୁଁ ଏବେ କାଠ ମାଫିଆମାନେ ଏହାର ସୁଯୋଗ ନେଉଛନ୍ତି।
ଲକ୍ଡାଉନ୍ ପୂର୍ବରୁ ଏପରିକି ଲକ୍ଡାଉନ୍ ସମୟରେ ଏଠାରୁ କାଠ ଲୁଟ୍ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ବିଚରଣ କରୁଥିବା ଶହ ଶହ ହରିଣ ଆଉ ଆଗ ଭଳି ଦେଖିବାକୁ ମିଳୁନାହାନ୍ତି। ସବୁଜିମା, ଗଛ ବିନା ବାଲୁଖଣ୍ଡ ଅଭୟାରଣ୍ୟ ଏକ ପ୍ରକାର ମରୁଭୂମି ପାଲଟିଯାଇଛି। ବାଲୁଖଣ୍ଡରେ ଆବଶ୍ୟକ ବନୀକରଣ କରାଯାଇପାରି ନାହିଁ। ସରକାର ଏହି କାଠକୁ ଶ୍ରୀମନ୍ଦିର ରୋଷ ଘର ଓ ସ୍ବର୍ଗ ଦ୍ବାର ପାଇଁ ଦେବାକୁ ଘୋଷଣା କରିଥିଲେ ବି ଏହି କାଠ ବାଲୁଖଣ୍ଡ ଅଭ୍ୟୟାରଣ୍ୟରୁ ଅପସାରଣ ହୋଇ ପାରିନାହିଁ। ବର୍ଷକ ତଳୁ ପଡ଼ିଥିବା ବିଶାଳକାୟ କାଠଗଣ୍ଡି ମଧ୍ୟ ବେଶି ଦେଖିବାକୁ ମିଳୁନାହିଁ। କାଠ ମାଫିଆମାନେ ରାତିଦିନ ଏକାକାର କରି କାଠ ବୋହି ନେଉଛନ୍ତି। ଉଜୁଡ଼ା ବାଲୁଖଣ୍ଡ ପୁଣି କେବେ ହସିବ ତାହା ଦେଖିବାକୁ ବାକି ରହିଛି।