ବଦଳିଲା ପାକିସ୍ତାନ ସରକାର, ବଦଳିଲାନି ପୁରୁଣା ପ୍ରକୃତି : ଆରମ୍ଭରୁ କଶ୍ମୀର ପ୍ରସଙ୍ଗ ଉଠାଇଲେ ନୂଆ ବୈଦେଶିକ ମନ୍ତ୍ରୀ

46

କନକ ବ୍ୟୁରୋ : ଶପଥ ନେଉ ନେଉ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ପାକିସ୍ତାନର ନୂଆ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ । ଗଣମାଧ୍ୟମକୁ ସମ୍ବୋଦ୍ଧନ କରି କ୍ୟୁରେସି କହିଛନ୍ତି କଶ୍ମୀର ଦୁଇ ଦେଶ ପାଇଁ ଏକ ଜଟିଳ ପ୍ରସଙ୍ଗ । ଏହା ଆଲୋଚନା ଦ୍ୱାରା ସମ୍ଭବ ହୋଇପାରିବ । ତେବେ ଇମ୍ରାନଙ୍କୁ ମୋଦିଙ୍କ ଅଭିନନ୍ଦନ ପତ୍ରକୁ ଭୁଲ ଭାବେ ଦର୍ଶାଇଛନ୍ତି । କହିଛନ୍ତି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ମୋଦି ଇମ୍ରାନଙ୍କୁ ଆଲୋଚନା କରିବାକୁ ଚିଠିରେ ପ୍ରସ୍ତାବ ଦେଇଛନ୍ତି । କ୍ୟୁରେସୀଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାରକୁ ମାତ୍ର ଦୁଇ ଦିନ ପୂରିଛି । ଆଉ ଏହାରି ଭିତରେ ପୁଣି ଥରେ କଶ୍ମୀର ପ୍ରସଙ୍ଗକୁ ଉଠାଇଛନ୍ତି ଇମ୍ରାନଙ୍କ ଟିମର ନୂଆ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ । କହିଛନ୍ତି ଦୁଇ ଦେଶ ମଧ୍ୟରେ ଥିବା ଏହି ପ୍ରସଙ୍ଗ ବହୁତ ଜଟିଳ ଅଟେ ।

ସେପଟେ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠିକୁ ନେଇ ଜୋର ଧରିଛି ଚର୍ଚ୍ଚା । ମୋଦି ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ଚିଠିରେ ପ୍ରସ୍ତାବ ଦେଇଥିବା ପାକିସ୍ତାନ ବୈଦେଶିକମନ୍ତ୍ରୀ କହିବା ପରେ ଚର୍ଚ୍ଚା ଭିତରକୁ ଆସିଛି ଚିଠି । ଭାରତ ପାକିସ୍ତାନ ସହ ସୁସମ୍ପର୍କ ସ୍ଥାପନ କରିବା ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ବୋଲି କହିଛନ୍ତି କ୍ୟୁରେସୀ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ୍ ଶପଥ ନେବା ଦିନ ମୋଦି ଅଭିନନ୍ଦନ ଜଣାଇ ଚିଠି ଲେଖିଥିଲେ । ଭାରତୀୟ ଉପମହାଦୀପକୁ ବିକଶିତ କରିବା ସହ ଆତଙ୍କବାଦ ମୁକ୍ତ କରିବା ଭାରତର ଲକ୍ଷ୍ୟ ବୋଲି ଏହି ଚିଠରେ ଲେଖାଯାଇଥିବା କୁହାଯାଉଛି । ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ଅନ୍ୟପଟେ ଏହାକୁ କୂଟନୀତିର ଏକ ଅଂଶ ବୋଲି କହିଛନ୍ତି ସହଯୋଗୀ । ଜୁଲାଇ ୨୫ରେ ହୋଇଥିବା ପାକିସ୍ତାନ ନିର୍ବାଚନରେ ଇମ୍ରାନ ଖାନଙ୍କ ଦଳ ସବୁଠୁ ବଡ ଦଳ ଭାବେ ଉଭା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇ ଅଭିନନ୍ଦନ ଜଣାଇଥିଲେ ।