କରୋନା ସନ୍ଦେହରୁ ମୁକ୍ତ ହେଲେ ଫୁଲବାଣୀର ଡାକ୍ତରୀ ଛାତ୍ର : କରୋନା ଭାଇରସ୍ ଥିବା ସନ୍ଦେହରେ ଏସସିବିରେ ଥିଲେ ଛାତ୍ର, ପରୀକ୍ଷା ପାଇଁ ବ୍ଲଡ୍ ସାମ୍ପଲ୍ ଯାଇଥିଲା ପୁନେ

455

କନକ ବ୍ୟୁରୋ : କରୋନା ସନ୍ଦେହରୁ ମୁକ୍ତ ହେଲେ ଫୁଲବାଣୀର ଡାକ୍ତରୀ ଛାତ୍ର  ।  କନ୍ଧମାଳର ବାସିନ୍ଦା କରୋନା ସନ୍ଦିଗ୍ଧ ଚୀନ୍‌ ଫେରନ୍ତା ଡାକ୍ତରୀ ଛାତ୍ର କରୋନା ଭାଇରସ୍‌ ଆକ୍ରାନ୍ତ ନୁହନ୍ତି ବୋଲି ଜଣାଯାଇଛି । ଏନେଇ ମେଡିକାଲ୍ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦେଶକ ଡାକ୍ତର ସି ବି କେ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ଉକ୍ତ ଡାକ୍ତରୀ ଛାତ୍ରଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । କେବଳ ଏତିକି ନୁହେଁ ଓଡ଼ିଶାରୁ ଯେଉଁ ଛଅଜଣ କରୋନା ସନ୍ଦିଗ୍ଧଙ୍କର ସ୍ବାସ୍ଥ୍ୟ ପରୀକ୍ଷଣର ରିପୋର୍ଟ ପୁନେକୁ ପଠାଯାଇଥିଲା, ସେଥିମଧ୍ୟରୁ ୫ଜଣଙ୍କର ରିପୋର୍ଟ ହସ୍ତଗତ ହୋଇଛି । ଏମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଛି ।

ଫୁଲବାଣୀର ଡାକ୍ତରୀ ଛାତ୍ର ମୃତ୍ୟୁଞ୍ଜୟ ମୁନି(୨୨) ଚୀନରେ ଏମବିବିଏସ୍ ପଢ଼ୁଥିଲେ । ସେ ଚୀନରୁ ଅସୁସ୍ଥ ହୋଇ ଗତ ମାସ ୧୧ ତାରିଖରେ ଫୁଲବାଣୀ ଫେରିଥିଲେ । ତେବେ ଘରକୁ ଫେରିବା ଦିନଠାରୁ ତାଙ୍କୁ କାଶ, ଥଣ୍ଡା ଛାଡ଼ୁ ନ ଥିବାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଘରଲୋକେ ସନ୍ଦେହ କରିଥିଲେ । ଏ ନେଇ ମୃତ୍ୟୁଞ୍ଜୟ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ରକ୍ତ ପରୀକ୍ଷା କରିବାକୁ ନିବେଦନ କରିଥିଲେ । ଏହି ଖବର ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ କରୋନା ଭାଇରସ୍‌କୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଥିଲା। ଏହାପରେ ମୃତ୍ୟୁଞ୍ଜୟଙ୍କୁ ପରୀକ୍ଷା ପାଇଁ କଟକର ଏସ୍‌ସିବି ମେଡିକାଲକୁ ଅଣାଯାଇଥିଲା ।