ସପ୍ତାହକ ପରେ ଜାଗର : ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ଢିଲା,ସିସିଟିଭି କ୍ୟାମେରା ଲାଗିଛି ହେଲେ କଣ୍ଟ୍ରୋଲ ରୁମ୍ ନାହିଁ

107

କନକ ବ୍ୟୁରୋ : ସପ୍ତାହକ ପରେ ଜାଗର । ଏହା ପୂର୍ବରୁ ମନ୍ଦିରରେ ମାତିଲେଣି ଲୁଟେରା । ଗୋଟିଏ ଦିନରେ ଦୁଇ ଦୁଇଟି ଲୁଟ୍ ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି । ଗତକାଲି ସଂକ୍ରାନ୍ତି ଥିବା ବେଳେ ଗର୍ଭଗୃହରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଥିଲେ ଦୁର୍ବୃତ୍ତ। ଲୁଟର ଶିକାର ମହିଳା ହେଲେ ନିରୁପମା ରଥ। ୧୩ ଗ୍ରାମ ଓଜନର ସୁନା ଚେନ୍ ଲୁଟ୍ ନେଇ ନିରୁପମା ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସଂକ୍ରାନ୍ତି ଭିଡ଼ର ସୁଯୋଗ ନେଇ ଗତକାଲି ଜଣେ ବ୍ୟକ୍ତିଙ୍କର ପକେଟମାର୍ ମଧ୍ୟ ହୋଇଛି। ଜାଗରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। କିନ୍ତୁ ଏହା ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। ମନ୍ଦିରରେ ମେଟାଲ ଡିଟେକ୍ଟର କାମ କରୁନାହିଁ। ସିସିଟିଭି ଲାଗିଥିଲେ ମଧ୍ୟ କଣ୍ଟ୍ରୋଲ ରୁମ୍‌ ନ ଥିବ‌ାରୁ ଦେଖି ହେଉନାହିଁ।

ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଯୋଜନା କରି କାର୍ଯ୍ୟ କରୁଥିବା ବେଳେ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ହୁଗୁଳା। କେବଳ ମହାଶିବରାତ୍ରି ଆସିଲେ ଏଠାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥାଏ ଓ ଲୋକ ଦେଖାଣିଆ ଆଇନ କଡ଼ା କରାଯାଏ। ଏହା ପର ଅବସ୍ଥା ପୂର୍ବପରି ହୋଇଯାଏ। ଦୀର୍ଘ ୩ବର୍ଷ ହେଲା ମେଟାଲ୍‌ ଡିଟେକ୍ଟର କାମ କରୁ ନଥିବା ବେଳେ ମନ୍ଦିର ଚାରିପଟେ ୱାଚ୍‌ ଟାୱାର୍‌ ନିର୍ମାଣ ନିଷ୍ପତ୍ତି ଫାଇଲରେ ସୀମିତ ରହିଛି। ମନ୍ଦିର ସିଂହଦ୍ବାର ନିକଟରେ ବନ୍ଧୁକଧାରୀ ପୁଲିସ ପୂର୍ବରୁ ରହୁଥିଲେ ମଧ୍ୟ ଏବେ ତାହା ଖୁବ୍‌ କମ ସମୟ ଦେଖିବାକୁ ମିଳୁଛି। ଏପରିକି ମେଟାଲ ଡିଟେକ୍ଟର କିମ୍ବା ହ୍ୟାଣ୍ଡ୍‌ ମେଟାଲ ଡିଟେକ୍ଟର ନାହିଁ।

ମନ୍ଦିର ଭିତରେ ନୂତନ ଫାଣ୍ଡି ତିଆରି ହୋଇଥିବା ସତ୍ତ୍ବେ ତାହା ବ୍ୟବହାରରେ ଲାଗୁ ନାହିଁ। ଶହ ଶହ ପର୍ଯ୍ୟଟକ ଏଠାକୁ ଆସୁଥିଲେ ମଧ୍ୟ ମନ୍ଦିରରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ। ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଲଗାଯାଇ ଥିଲେ ମଧ୍ୟ ଏହା କାମରେ ଲାଗୁ ନାହିଁ। ପୂର୍ବରୁ ଏହାର ଅପରେଟିଙ୍ଗ୍‌ କଣ୍ଟ୍ରୋଲ ରୁମ୍ ଶ୍ରୀଲିଙ୍ଗରାଜ ଥାନା ଓ ମନ୍ଦିର କାର୍ଯ୍ୟାଳୟରେ ରହିଥିଲା। ତେବେ ପୁରୁଣା ଥାନା ଭଙ୍ଗା ହେବା ପରେ ଥାନାରେ ଆଉ ସଂଯୋଗ କରାଯାଇ ନାହିଁ। ସେହିପରି ମନ୍ଦିରର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଲିଙ୍ଗରାଜ ହାଟ ପାଖରେ ଓ ନୂଆ ଲିଙ୍ଗରାଜ ମାର୍କେଟରେ ଥିଲେ ମଧ୍ୟ ସେଠାରେ ତାର ସଂଯୋଗ କରାଯାଇ ନାହିଁ। ଯାହା ଫଳରେ ସିସିଟିଭି ଅକାମୀ ହୋଇପଡ଼ିଛି।

ମନ୍ଦିର ଚାରିପଟେ ୱାଚ୍ ଟାୱାର ତିଆରି ହେବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ତାହା ୬ ବର୍ଷ ହେଲା ଫାଇଲ ଭିତରେ ରହି ଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ବହୁ ଶ୍ରଦ୍ଧାଳୁଙ୍କ ଚେନ୍‌ ଲୁଟ୍‌ କିମ୍ବା ପକେଟମାର ହେଉଛି। ଗତ ଜାନୁଆରି ୧୫ ତାରିଖରେ ବମିଖାଲ ଗାୟତ୍ରୀନଗର ଅଞ୍ଚଳର ପ୍ରଭାତୀ ବାଗ ମନ୍ଦିରର ଆଡ଼ କାଠ ନିକଟରେ ଦର୍ଶନ ସାରି ଫେରିବା ପରେ ତାଙ୍କ ବେକରୁ ୧୦ ଗ୍ରାମର ସୁନା ଚେନ୍‌ ଲୁଟ୍‌ ହୋଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ।