କଟକଣା ନାହିଁ, ରାଜ୍ୟରେ ବଢ଼ି ଚାଲିଛି କୋଚିଂ ସେଣ୍ଟର ସଂଖ୍ୟା ! ସ୍ୱତନ୍ତ୍ର ନୀତି ଆଣିବା ପାଇଁ ଦାବି

Advertisment
କଟକଣା ନାହିଁ, ରାଜ୍ୟରେ ବଢ଼ି ଚାଲିଛି କୋଚିଂ ସେଣ୍ଟର ସଂଖ୍ୟା ! ସ୍ୱତନ୍ତ୍ର ନୀତି ଆଣିବା ପାଇଁ ଦାବି

https://indianexpress.com

କନକ ବ୍ୟୁରୋ : ରାଜ୍ୟରେ ଛତୁ ଫୁଟିଲା ପରି ଖୋଲୁଛି କୋଚିଂ ସେଣ୍ଟର। ଛାତ୍ରଛାତ୍ରୀଙ୍କୁ ଲୋଭନୀୟ ଓ ସଫଳତା ସମ୍ପର୍କିତ ବିଜ୍ଞାପନ ଦେଖାଇ ସେଣ୍ଟରଗୁଡ଼ିକ ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି । ବର୍ଷକୁ ବର୍ଷ ସେଣ୍ଟରଗୁଡ଼ିକ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ରୋକ ଲଗାଯାଇ ପାରୁନି । କୌଣସି ସ୍ବତନ୍ତ୍ର ଆଇନ କିମ୍ବା ନିୟମ କରାଯାଇ ନଥିବାରୁ କୋଚିଂ ସେଣ୍ଟରଗୁଡ଼ିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କଠାରୁ ମନଇଚ୍ଛା ଫି’ ନେଉଛନ୍ତି । କେତେକ ସ୍ଥାନରେ କୋଚିଂ ସେଣ୍ଟର୍‌ ଯୋଗୁଁ ଛାତ୍ରଛାତ୍ରୀ ଏବେ ଯୁକ୍ତ୨ ପରୀକ୍ଷା ଦେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିବା ପରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି ଅଭିଭାବକ ମହାସଂଘ । ରାଜ୍ୟରେ ବଢ଼ିଚାଲିଥିବା କୋଚିଂ ସେଣ୍ଟରଗୁଡ଼ିକ ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ କରିବାକୁ ଦାବି କରାଯାଇଛି ।

କୋଚିଂ ସେଣ୍ଟରଗୁଡ଼ିକ ଉପରେ ଲଗାମ ନ ଥିବାରୁ ସେମାନେ ମନଇଚ୍ଛା ଛାତ୍ରଛାତ୍ରୀଙ୍କ କ୍ଲାସ ନେଉଛନ୍ତି । ପିଲାମାନେ ଯେତେବେଳେ ସ୍କୁଲ ଓ କଲେଜରେ କ୍ଲାସ କରିବା କଥା ସେତେବେଳେ କୋଚିଂ ସେଣ୍ଟର୍‌ଗୁଡ଼ିକ ପକ୍ଷରୁ କ୍ଲାସ କରିବାକୁ ପିଲାଙ୍କୁ ବାଧ୍ୟ କରାଯାଉଛି । ଯେଉଁଥିପାଇଁ ସେମାନେ ଶିକ୍ଷାନୁଷ୍ଠାନରେ କ୍ଲାସ କରୁନାହାନ୍ତି । ଅନୁପସ୍ଥିତ ରହୁଛନ୍ତି । ପରିଣାମସ୍ବରୂପ ଉପସ୍ଥାନ ଅଭାବ ହେତୁ ଏବର୍ଷ ଅନେକ ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଉପସ୍ଥାନ ଅଭାବରୁ ରାଜ୍ୟରେ ପ୍ରତିଷ୍ଠିତ ସରକାରୀ ଶିକ୍ଷାନୁଷ୍ଠାନ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ ଜଣ ଛାତ୍ରଛାତ୍ରୀଙ୍କୁ ଚଳିତବର୍ଷ ଫର୍ମ ପୂରଣ କରିବାକୁ ଅନୁମତି ଦିଆଯାଇ ନାହିଁ ।

publive-image

ପିଲାଙ୍କର ଗୋଟିଏ ବର୍ଷ ନଷ୍ଟ ହେବାକୁ ବସିଛି । କଲେଜ କର୍ତୃପକ୍ଷ ଯୁକ୍ତି ବାଢ଼ିଛନ୍ତି ଯେ ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାରୁ ବାରଣ କରାଯାଇଛି । କୌଣସି ପ୍ରକାର ତ୍ରୁଟି ହୋଇନି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିୟମରେ ଯଦି କୌଣସି ଛାତ୍ରଛାତ୍ରୀଙ୍କର କ୍ଲାସରୁମ୍‌ରେ ଉପସ୍ଥାନ ୬୦ ପ୍ରତିଶତରୁ ଅଧିକ ଥିବ ସେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ । ଗତ ଦୁଇବର୍ଷ ମଧ୍ୟରେ ୨୮ ଜଣ ଛାତ୍ରଛାତ୍ରୀ ଗୋଟିଏ ବି ପରୀକ୍ଷା ଦେଇନାହାନ୍ତି । କ୍ଲାସରେ ବହୁ ଦିନ ଅନୁପସ୍ଥିତ ରହିଛନ୍ତି । ସେହି ଅନୁଯାୟୀ ୨୮ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହୋଇଛି ।

ଅନ୍ୟପକ୍ଷର, ଏବେ ରାଜ୍ୟରେ କେତେ କୋଚିଂ ସେଣ୍ଟର୍‌ ରହିଛି ସେନେଇ ବି କାହା ପାଖରେ ଖବର ନାହିଁ । ଶିକ୍ଷା ସମ୍ପର୍କିତ ହୋଇଥିଲେ ମଧ୍ୟ ଉଚ୍ଚଶିକ୍ଷା କିମ୍ବା ଗଣଶିକ୍ଷା ବିଭାଗ ନିକଟରେ ତାଲିକା ନାହିଁ । ଏପରିକି କୋଚିଂ ସେଣ୍ଟର୍‌ ଖୋଲି ପିଲାଙ୍କୁ ପଢ଼ାଉଥିବା‌ କେତେକ କଲେଜ ଶେଷ ମୁହୂର୍ତ୍ତରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବାକୁ ଗଣଶିକ୍ଷା ବିଭାଗ ଉପରେ ଚାପ ପକାଉଥିବା ଘଟଣା ପଦାକୁ ଆସୁଛି ।

publive-image

କୋଚିଂ ସେଣ୍ଟରଗୁଡ଼ିକ ପାଇଁ ସ୍ବତନ୍ତ୍ର ନୀତି ନିୟମ ପ୍ରଣୟନ କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି।ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ କହିଛନ୍ତି ଯେ କୋଚିଂ ସେଣ୍ଟରଗୁଡ଼ିକ ପାଇଁ ସ୍ବତନ୍ତ୍ର ନିୟମ ନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଶୋ‌ଷଣର ଶିକାର ହେଉଛନ୍ତି । କେତେକ ସଂସ୍ଥା କୋଚିଂ ସେଣ୍ଟର ସହ କଲେଜ ଚଳାଇ ପିଲାଙ୍କ ପିଛା ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି । ଏଥିପାଇଁ ସ୍ବତନ୍ତ୍ର ନିୟମ କରାଯିବା ସହ ପିଲାଙ୍କ ପାଠପଢ଼ା ସମୟ, ଫି’ ଧାର୍ଯ୍ୟ କରିବାକୁ ସେମାନେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe