ଭାରତରେ ହୋଇନି ସମୂହ ସଂକ୍ରମଣ । ଆଇସିଏମଆର କହିଲା, ମାତ୍ର ୦ ଦଶମିକ ୭୩ ପ୍ରତିଶତ ରହିଛି ସ୍ଥାନୀୟ ସଂକ୍ରମଣ । ସେପଟେ ଦେଶରେ ଦ୍ରୁତ ବେଗରେ ସୁସ୍ଥ ହେଉଛନ୍ତି ଆକ୍ରାନ୍ତ । ୪୯ ଦଶମିକ ୨ ପ୍ରତିଶତ ହେଉଛନ୍ତି ସୁସ୍ଥ ।

207

କନକ ବ୍ୟୁରୋ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦେଶରେ ଗୋଷ୍ଠି ସଂକ୍ରମଣ ହୋଇନାହିଁ । କେନ୍ଦ୍ର ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାଗର୍ବ କହିଛନ୍ତି ଗୋଷ୍ଠି ସଂକ୍ରମଣ ହେଲେ ସମସ୍ତେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହେବ  । କିନ୍ତୁ ଭାରତରେ ସେହି ପର୍ଯ୍ୟାୟ ଆସି ନାହିଁ । ଏଥିସହ ଦେଶରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଦୈନିକ ପ୍ରାୟ ୧୦ ହଜାର ନୂଆ କରୋନା ଆକ୍ରାନ୍ତ ଯୋଡି ହେଉଛନ୍ତି ଦେଶରେ । ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ସାରା ବିଶ୍ୱରେ ପଂଚମ ସ୍ଥାନରେ ରହିଛି ଭାରତ । ତେବେ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ଦୃଢ଼ୋକ୍ତି ପ୍ରକାଶ କରିଛି ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ।

ଆଇସିଏମଆର ଦେଇଥିବା ତଥ୍ୟ

ଆକ୍ରାନ୍ତଙ୍କ ହାର ଭାରତରେ କମ୍

୧ ଲକ୍ଷ ଜନସଂଖ୍ୟାରେ ଭାରତରେ ମାତ୍ର ୨୦.୭୭ ଆକ୍ରାନ୍ତ

୧ ଲକ୍ଷ ଜନସଂଖ୍ୟାରେ ସାରା ବିଶ୍ୱରେ ୯୧.୬୭ ଆକ୍ରାନ୍ତ

ଲକ୍ଡାଉନ ଯୋଗୁଁ ହ୍ରାସ ପାଇଛି ସଂକ୍ରମଣ

କଂଟେନମେଂଟ ଜୋନ୍ ବାହାରେ ମାତ୍ର ୦.୭୩ ପ୍ରତିଶତ ସ୍ଥାନୀୟ ଆକ୍ରାନ୍ତ

ସୁସ୍ଥ ହାର ୪୯.୨୧ ପ୍ରତିଶତ

ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି, ଗୋଷ୍ଠୀ ସଂକ୍ରମଣ ବା ସମୂହ ସଂକ୍ରମଣ ହେଲେ ପ୍ର୍େତ୍ୟକ ଲୋକ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହେବ । ଭାରତରେ ଏପର୍ଯ୍ୟନ୍ତ ଏହି ପର୍ଯ୍ୟାୟ ଆସିନାହିଁ ବୋଲି କହିଛନ୍ତି ବଳରାମ ଭାର୍ଗବ ।

ରାପିଡ୍ ଆଂଟି ବଡି ଟେଷ୍ଟ ଜରିଆରେ ସେରୋ-ସର୍ଭେ କରିବା ପରେ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହିଛି ଆଇଏମଆର । ବିଭିନ୍ନ ଅଂଚଳରେ ଲୋକମାନଙ୍କ ରକ୍ତ ସେରମ୍ ନେଇ ଏହି ଟେଷ୍ଟ କରାଯାଇଛି । ମେ’ ମାସରେ ଏହି ପରୀକ୍ଷା ଆରମ୍ଭ କରାଯାଇଥିଲା । ସାଧାରଣ ଲୋକ ଓ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ରୋଗୀଙ୍କ ଆଂଟି ବଡି ପରୀକ୍ଷା ପରେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛି ଆଇସିଏମଆର୍ ।