ଏଯାଏଁ ସୁଧୁରିନି ଶିଶୁମଡ଼କର ଗଡ଼ ନଗଡ଼ାର ଅବସ୍ଥା ! ଲାଗି ରହିଛି ଶିଶୁମଡ଼କ

ନଗଡ଼ାରେ ଆଧୁନିକ କୃଷି ଫେଲ୍ ମାରିଛି । ଲୋକେ ପୂର୍ବବତ୍ ପୋଡ଼ୁଚାଷରେ ମାତିଛନ୍ତି

74

କନକ ବ୍ୟୁରୋ : ନଗଡ଼ା ଏକ ଆଦର୍ଶ ଗାଁ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ । ନଗଡ଼ା ବିକାଶ ପାଇଁ ତାଙ୍କ ସରକାର ଅଙ୍ଗୀକାରବଦ୍ଧ ବୋଲି ୨୦୧୬ ମସିହା ନଭେମ୍ବର ୨୫ ତାରିଖ ମୁଖ୍ୟମନ୍ତ୍ରୀ କାଳିଆପାଣି କଲରଙ୍ଗିରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ନଗଡ଼ା ସଡ଼କର ଶିଳାନ୍ୟାସ କରିଥିଲେ । ହେଲେ ଘୋଷଣାକୁ ଦୁଇବର୍ଷ ପୂରିବାକୁ ବସିଥିବା ବେଳେ ଏବେ ବି ଶିଶୁମଡ଼କର ଗଡ଼ ଭାବେ କୁଖ୍ୟାତ ଥିବା ନଗଡ଼ାର ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇ ରହିଛି । ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ, ପାନୀୟଜଳ, ବିଦ୍ୟୁତ୍, କୃଷି, ଜୀବନ ଓ ଜୀବିକା ସେହି ଭଳି ବହୁ ପଛରେ ରହିଯାଇଛି ।

ଘୋଷଣା ପରେ ନଗଡ଼ା ରାଜସ୍ବ ମୌଜା ଅତିରିକ୍ତ ଗୁହିଆଶାଳ ମୌଜା ଏବଂ ତିନି ପଡ଼ାଗାଁ ତୁମୁଣି, ନାଲିଆଡାବ ଓ ଅଶୋକଝରର ଉନ୍ନ୍ରୟନ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆର୍‌ଡିସି)ଙ୍କୁ ଦାୟିତ୍ବ ଦିଆଯାଇଥିଲା । ଇତି ମଧ୍ୟରେ ଦୁଇ ଜଣ ଆର୍‌ଡିସି ଓ ନଗଡ଼ା ନୋଡାଲ୍ ଅଫିସର ଥିବା ସୁକିନ୍ଦା ତହସିଲଦାର ନବକୃଷ୍ଣ ଜେନାଙ୍କ ବଦଳି ହୋଇସାରିଛି ।

ଏକଦା ଜିଲ୍ଲା ପ୍ରଶାସନ ଦକ୍ଷତାର ପ୍ରତୀକ ଥିବା ୮.୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ନଗଡ଼ା ସଡ଼କ ଇତିମଧ୍ୟରେ ଅତ୍ୟନ୍ତ ଖରାପ ହୋଇଛି । ଖରାପ ରାସ୍ତା ଯୋଗୁ ବସ୍‌ ଏକ ସପ୍ତାହ ଚାଲିବା ପରେ ବନ୍ଦ ରହିଛି । ଏବେ ଏହି ରାସ୍ତାରେ ଚାଲି ଚାଲି ଯିବା ଆଦୌ ନିରାପଦ ନୁହେଁ ବୋଲି ଖୋଦ୍ ନଗଡ଼ାବାସୀ ମତ ଦିଅନ୍ତି । ନଗଡ଼ାର ଶିଶୁ ଅଙ୍ଗନବାଡ଼ି ଓ ସ୍କୁଲ୍ ଯାଉଥିଲେ ମଧ୍ୟ ସଂପୃକ୍ତ ଶିଶୁ ଓ ଅଭିଭାବକ ଶିକ୍ଷା ପ୍ରତି ଯତ୍ନବାନ ନଥିବା ଅଭିଯୋଗ ହୋଇଛି । ନଗଡ଼ା ଉପସ୍ବାସ୍ଥ୍ୟକେନ୍ଦ୍ର ଏଯାବତ୍ କାର୍ଯ୍ୟକ୍ଷମ ହୋଇନି । ଜଣେ ହୋମିଓପ୍ୟାଥିକ ଡାକ୍ତରଙ୍କୁ ନେଇ ଚାଲିଥିବା ଭ୍ରାମ୍ୟମାଣ ନଗଡ଼ା ଏମ୍ଆର୍‌ସିକୁ ସ୍ଥାନୀୟ ଜୁଆଙ୍ଗମାନେ ଏବେ ବି ଭରସୁନଥିବା ଜଣାପଡ଼ିଛି ।
ନଗଡ଼ା ଘଟଣାବଳୀ ପରଠୁ ଶତାଧିକ ଗର୍ଭବତୀ ନିଜ ନିଜ ଝାଟିମାଟି ଘରେ ଅତି ଅସ୍ବାସ୍ଥ୍ୟକର ପରିବେଶରେ ସନ୍ତାନ ପ୍ରସବ କରିଛନ୍ତି । ଶିଶୁ ମୃତ୍ୟୁ ଜାରି ରହିଛି । ଚଳିତ ବର୍ଷ ଏଠାରେ ତିନି ଜଣ ଶିଶୁ ଆଖିବୁଜିବା ସହ ଏଠାରେ ଶିଶୁମୃତ୍ୟୁ ସଂଖ୍ୟା ୨୫ ଛୁଇଁଛି । ରୋଗ ଉପଚାର କ୍ଷେତ୍ରରେ ଜୁଆଙ୍ଗମାନେ ଏବେ ବି ଗୁଣି ଗାରେଡ଼ି ଓ ପ୍ରାକୃତିକ ଜଡ଼ିବୁଟିକୁ ଭରସା କରୁଛନ୍ତି ।ନଗଡ଼ା ଆବାସ ଯୋଜନାରେ ପ୍ରତି ନଗଡ଼ାବାସୀଙ୍କୁ ଖଣି ପ୍ରଭାବିତ ବିଜୁ ପକ୍କାଘର ଯୋଜନାରେ ସ୍ବତନ୍ତ୍ର ବାସଗୃହ ଯୋଗାଇଦେବା ଯୋଜନା ଏବେ ବି ଅଧ ପନ୍ତରିଆ । ମୋ ଗୁହାଳ ଯୋଜନାର ଶୁଭ ବି ପଡ଼ିନି । ନଗଡ଼ାକୁ ବିଜୁଳି ଆଲୁଅ ସାତ ସପନ ହୋଇରହିଛି । ପାନୀୟଜଳ ପ୍ରକଳ୍ପ ପାଇପ୍ ଓ ଚାନ୍ଦିନି ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ମରାମତି ହେଉନି।

 

ନଗଡ଼ାରେ ଆଧୁନିକ କୃଷି ଫେଲ୍ ମାରିଛି । ଲୋକେ ପୂର୍ବବତ୍ ପୋଡ଼ୁଚାଷରେ ମାତିଛନ୍ତି । ନଗଡ଼ାବାସୀଙ୍କୁ ଏଯାବତ୍ ମନରେଗା ଯୋଜନାରେ ଜବ୍‌ କାର୍ଡ ମିଳିନଥିବା ଅଭିଯୋଗ ହୋଇଛି । ତିନି ପାହାଡ଼ି ଗାଁରେ ୧୦ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ପ୍ରାଥମିକ ସ୍ତରରେ ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ଗୋଟିଏ ଗ୍ରୁପରେ ସଠିକ୍ ବାଟରେ ଅର୍ଥ ବିନିଯୋଗ ହୋଇନି । ପ୍ରଶାସନ ପକ୍ଷରୁ ସବୁ ଗାଁରେ ହଜାରେରୁ ଅଧିକ ବର୍ଣ୍ଣ ଶଙ୍କର କୁକୁଡ଼ା ଚିଆଁ ଓ ଛେଳି ପ୍ରଦାନ କରାଯାଇଥିଲେ ମଧ୍ୟ ଉଭୟ ଛେଳି ଓ କୁକୁଡ଼ା ଚାଷ ଏଠି ସଂପୂର୍ଣ୍ଣ ନଷ୍ଟ ହୋଇଛି ।