ସୁଧହାର ଅପରିବର୍ତ୍ତିତ ରଖିଲା ଆଇବିଆଇ ! ଶସ୍ତା ହେବ ନାହିଁ ବ୍ୟାଙ୍କ କିସ୍ତି

32

କନକ ବ୍ୟୁରୋ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋହାରକୁ ୬ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ଗତ ଦୁଇଦିନ ଧରି ଚାଲିଥିବା ରିଜର୍ଭ ବ୍ୟାଙ୍କ ମନିଟାରୀ କମିଟିର ବୈଠକ ଶେଷରେ ଏହି ଘୋଷଣା କରାଯାଇଛି । ଗତ ଫେବ୍ରୁଆରୀମାସରେ ଘୋଷିତ ଋଣନୀତି ସମୀକ୍ଷାରେ ମଧ୍ୟ ସୁଧହାର ଅପରିବର୍ତ୍ତିତ ରଖାଯାଇଥିଲା ।ବ୍ୟାଙ୍କମାନେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କଠାରୁ ସ୍ପଳ୍ପ ମିଆଦୀ ଋଣ ଆଣନ୍ତି ତାହାକୁ ରେପୋ ହାର ବୋଲି କୁହାଯାଏ । ରେପୋହାର ଅପରିବର୍ତ୍ତିତ ଥିବାରୁ ବ୍ୟାଙ୍କ ଋଣ କିସ୍ତି (ଇଏମଆଇ) ଶସ୍ତା ହେବାର ଆଶା ମଉଳି ଯାଇଛି । ସେହିପରି ରିଭର୍ସ ରେପୋହାର ଅର୍ଥାତ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କଠାରୁ ଋଣ ନିଏ ତାହା ୫.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । କ୍ୟାସ ରିଜର୍ଭ ରେସିଓ (ସିଆରଆର) ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।

ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଭାଗରେ ମୁଦ୍ରାସ୍ପୀତି ହାର ୪.୭ ରୁ ୫.୧ ପ୍ରତିଶତ ମଧ୍ୟରେ ଓ ୨ୟ ଭାଗରେ ୪.୪ ପ୍ରତିଶତ ରହିବା ଅଟକଳ କରିଛି ରିଜର୍ଭ ବ୍ୟାଙ୍କ । ଅନ୍ୟପକ୍ଷରେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶ ଜିଡିପି ଅଭିବୃଦ୍ଧି ୬.୬ ପ୍ରତିଶତ ରହିବ ଓ ୨୦୧୮-୧୯ରେ ଏହା ୭.୪ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ କହିଛନ୍ତି ।

ଦେଶର ଅର୍ଥନୀତିର ଅଭିବୃଦ୍ଧି ହାର ଆକଳନ କରିବା ପାଇଁ ପ୍ରଚଳନ କରାଯାଇଥିବା ଗ୍ରସ୍‌ ଭାଲ୍ୟୁ ଆଡେଡ୍‌ (ଜିଭିଏ) ମଡେଲ୍‌କୁ ରିଜର୍ଭ ବ୍ୟାଙ୍କ ବନ୍ଦ କରିଦେଇଛି । ପୁଣି ଥରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ମଡେଲ୍‌କୁ ଗ୍ରହଣ କରାଯାଇଛି । ୨୦୧୫ ଜାନୁଆରିଠାରୁ ଜିଭିଏ ମଡେଲ୍‌କୁ ଗ୍ରହଣ କରାଯାଇଥିଲା । ଏହା ଉତ୍ପାଦନ ଓ ଯୋଗାଣ ଦୃଷ୍ଟିରୁ ଅର୍ଥନୀତିର ବିକାଶ ହାର ଆକଳନ କରିଥାଏ । ସାରା ବିଶ୍ୱରେ ଜିଡିପି ମଡେଲ୍‌ ଅଧିକ ଗ୍ରହଣୀୟ। ବିଭିନ୍ନ ସରକାରଙ୍କଠାରୁ ଆରମ୍ଭ କରି ବିଶ୍ୱ ସ୍ତରୀୟ ସଂସ୍ଥା ଓ ନିବେଶକମାନେ ଜିଡିପି ତଥ୍ୟକୁ ଅଧିକ ବିଶ୍ୱାସକୁ ନେଇଥାନ୍ତି । ସେଥିପାଇଁ ପୁଣି ଥରେ ଜିଡିପି ମଡେଲକୁ ପ୍ରଚଳନ କରାଯାଇଛି । ମାତ୍ର ଜିଡିପି ମଡେଲ୍‌ରେ ଗ୍ରାହକ ଓ ଚାହିଦାକୁ ବିଚାରକୁ ନିଆଯାଇଥାଏ ।

 ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଟ୍‌କଏନ୍‌ ଭଳି କ୍ରିପ୍‌ଟୋକରେନ୍‌ସିକୁ ନିଷିଦ୍ଧ ଘୋଷଣା କରାଯାଇଛି । ଦେଶ ଭିତରେ କାରବାର କରୁଥିବା କୌଣସି ବ୍ୟାଙ୍କ ଓ ଓ୍ଵାଲେଟ୍‌ କ୍ରିପ୍‌ଟୋକରେନ୍‌ସି କାରବାର କରିପାରିବେ ନାହିଁ । ବ୍ୟାଙ୍କ କିମ୍ବା ଓ୍ଵାଲେଟ୍‌ ଜରିଆରେ ବିଟ୍‌କଏନ୍‌ ଭଳି ଡିଜିଟାଲ୍‌ କରେନ୍‌ସିର କିଣାବିକା ହୋଇପାରିବ ନାହିଁ । ତେବେ ରିଜର୍ଭ ବ୍ୟାଙ୍କ ନିଜସ୍ୱ କ୍ରିପ୍‌ଟୋକରେନ୍‌ସି ଆଣିବା ଉପରେ ବିଚାର କରିବ ବୋଲି ସୂଚନା ଦେଇଛି । ଏଥିପାଇଁ ଏକ ଆନ୍ତଃ ବିଭାଗୀୟ କମିଟି ଗଠନ କରାଯାଇଛି । କମିଟି ଏହାର ରିପୋର୍ଟ ଜୁନ୍‌ ସୁଦ୍ଧା ପ୍ରଦାନ କରିବ । ବର୍ତ୍ତମାନ ସୁଦ୍ଧା ଡିଜିଟାଲ୍‌ କରେନ୍ସିକୁ ନେଇ କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏକ ନିର୍ଦିଷ୍ଟ ନିଷ୍ପତ୍ତିରେ ପହଞ୍ଚିପାରିନାହାନ୍ତି । ସେଥିପାଇଁ ରିଜର୍ଭ ବ୍ୟାଙ୍କ ପ୍ରଥମେ ଡିଜିଟାଲ୍‌ କରେନ୍ସିର ସମ୍ଭାବନାକୁ ନେଇ ଆକଳନ କରିବ । କମିଟି ଯେଉଁ ସୁପାରିସ କରିବ ସେହି ଅନୁସାରେ ରିଜର୍ଭ ବ୍ୟାଙ୍କ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ।