ବଜାରରୁ ଗାଏବ ହେଉଛି ୨୦୦୦ ଟଙ୍କିଆ ! ଏପଟେ ଆଜି ବି ଥମିନି ଏଟିଏମ୍ ସଙ୍କଟ

43

କନକ ବ୍ୟୁରୋ : ଆଜି ମଧ୍ୟ ଏଟିଏମ୍‌ ଖାଲି ପଡ଼ିଛି । ଯେଉଁ କେତେକ ଏଟିଏମ୍‌ରେ ଟଙ୍କା ଅଛି ସେଠି ଲୋକଙ୍କର ପ୍ରବଳ ଭିଡ଼ । ଗତକିଛି ଦିନ ହେଲା ଆରମ୍ଭ ହୋଇଥିବା ଏହି ସଙ୍କଟ ଆଜି ଆହୁରି ଗୁରୁତର ହୋଇପଡ଼ିଛି । କେବଳ ଏତିକି ନୁହେଁ କେତେକ ବ୍ୟାଙ୍କରେ ମଧ୍ୟ ଟଙ୍କା ସଙ୍କଟ ସୃଷ୍ଟି ହେଲାଣି ।

ସ୍ଥିତିରେ ସୁଧାର ହୋଇଛି ବୋଲି କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ କହୁଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ ପ୍ରକାରର ରହିଛି । ଲୋକମାନେ ଏଟିଏମ୍‌ରୁ ଟଙ୍କା ଉଠାଇ ପାରୁନାହାନ୍ତି । ଏଟିଏମ୍‌ରୁ ନିରାଶ ହୋଇ ବ୍ୟାଙ୍କ ଶାଖା ଯାଉଥିବା ଗ୍ରାହକମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି । ଆମ ପାଖରେ ଟଙ୍କା ନଥିବା କହି ଶାଖାଗୁଡ଼ିକ ଗ୍ରାହକଙ୍କୁ ଫେରାଇ ଦେଉଛନ୍ତି । ବଜାରରୁ ହଠାତ ୨୦୦୦ ଟଙ୍କିଆ ନୋଟ୍‌ ଗାଏବ ହୋଇଯିବାରୁ ଏଭଳି ସଙ୍କଟର ଅନ୍ୟତମ କାରଣ ବୋଲି କୁହାଯାଉଛି । ଏଟିଏମ୍‌ ପାଇଁ ୨୦୦୦ ଟଙ୍କିଆ ନୋଟ୍‌ ସ୍ୱପ୍ନ ପାଲଟିଛି । ବିମୁଦ୍ରାକରଣ ପରେ ଟଙ୍କାକୁ ନେଇ ସୃଷ୍ଟି ହୋଇଥିବା ଫାଙ୍କା ସ୍ଥାନକୁ ଦ୍ରୁତ ଗତିରେ ପୂରଣ କରିବା ପାଇଁ ସରକାର ନୂଆ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିଥିଲେ । ବିମୁଦ୍ରାକରଣ ପରେ ୬ ଲକ୍ଷ ୭୦ ହଜାର କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ଛପା ହୋଇଥିଲା । ଏହା ପରେ ଏହି ନୋଟ୍‌ ଛପା ବନ୍ଦ କରିଦିଆଯାଇଥିଲା । ଅଧିକାଂଶ ୨୦୦୦ ଟଙ୍କିଆକୁ ଲୋକମାନେ ନିଜ ପାଖରେ ମହଜୁଦ ରଖିଥିବା କୁହାଯାଇଛି । କିଛିଦିନ ତଳେ ବଜାରରେ ମାତ୍ର ୩୪ ଭାଗ ଦୁଇ ହଜାର ଟଙ୍କିଆ ଥିଲା ।

ରିଜର୍ଭ ବ୍ୟାଙ୍କ ତଥ୍ୟ ମୁତାବକ, ଏବେ ବଜାରରେ ୧୭ ଲକ୍ଷ ୪୦ ହଜାର କୋଟି ଟଙ୍କାର ମୁଦ୍ରା ପ୍ରଚଳନରେ ରହିଛି । ସେଥିମଧ୍ୟରୁ ୬ ଲକ୍ଷ ୭୦ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ଗାଏବ ହୋଇଯିବା ପରେ ଯେଉଁ ଅଭାବ ସୃଷ୍ଟି ହୋଇଛି ତାହାକୁ ଅନ୍ୟ ଛୋଟ ନୋଟ୍‌ଗୁଡ଼ିକ ପୂରଣ କରିପାରୁନାହାନ୍ତି । ବିହାର, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୁଜରାଟରେ ସ୍ଥିତି ଗମ୍ଭୀର ଥିଲା । ଓଡ଼ିଶାରେ ମଧ୍ୟ ଅନେକ ଏଟିଏମ୍‌ ଅଚଳ ରହିଥିଲା। ସରକାରୀ ବ୍ୟାଙ୍କଗୁଡ଼ିକର ଏଟିଏମ୍‌ ଫାଙ୍କା ପଡ଼ିଥିଲା । କିଛି ଘରୋଇ ବ୍ୟାଙ୍କର ଏଟିଏମ୍‌ରୁ ଯାହା କିଛି ଟଙ୍କା ବାହାରୁଛି । ଯେଉଁ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରାଯାଉଛି ତାହା ଶୀଘ୍ର ଫାଙ୍କା ମଧ୍ୟ ହୋଇଯାଉଛି । କିଛି ଏଟିଏମ୍‌ରୁ କେବଳ ୫୦୦ ଟଙ୍କିଆ ନୋଟ୍‌ ବାହାରୁଛି । ଅନ୍ୟ କେତେକ ଏଟିଏମ୍‌ରୁ ଚିରାଫଟା ନୋଟ୍‌ ବାହାରୁଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । କିଛି ଏଟିଏମ୍‌ରୁ କେବଳ ୧୦୦ ଟଙ୍କିଆ ବାହାରୁଥିବା ସେମାନେ କହିଛନ୍ତି ।

ଟଙ୍କା ଅଭାବର ଅନେକ କାରଣ ଥିବା କୁହାଯାଉଛି । ବଜାରରେ ୨୦୦୦ ଟଙ୍କିଆ ନାହିଁ । ସରକାର ୬ ମାସ ପୂର୍ବରୁ ୫୦୦ ଟଙ୍କିଆ ନୋଟ୍‌ ଛପାଇବା ବନ୍ଦ କରିଦେଇଥିଲେ । ତେଣୁ ତାହାର ପ୍ରଭାବ ମଧ୍ୟ ଅନୁଭୂତ ହେଉଛି । ଦୁଇ ଶହ ଟଙ୍କିଆ ନୋଟ୍‌ ଅଧିକ ମାତ୍ରାରେ ଛପା ହୋଇଛି । ମାତ୍ର ସେଥିପାଇଁ ଏଟିଏମ୍‌ଗୁଡ଼ିକୁ ରିକାଲିବ୍ରେଟ୍‌ କରାଯାଇନାହିଁ । ତେଣୁ ସବୁ ଏଟିଏମ୍‌ରେ ଦୁଇ ଶହ ଟଙ୍କିଆ ବାହାରୁ ନାହିଁ ।ବ୍ୟାଙ୍କଗୁଡ଼ିକ ପାଖରେ ମଧ୍ୟ ଟଙ୍କା ନାହିଁ ବୋଲି ଚର୍ଚା ହେଉଛି । ବ୍ୟାଙ୍କଗୁଡ଼ିକ ନିଜର ଆବଶ୍ୟକତା ପାଇଁ ଯେତିକି ଟଙ୍କା ମାଗୁଛନ୍ତି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ତାହାର ୩୦% ଟଙ୍କା ପ୍ରଦାନ କରାଯାଉଛି ।

ଏଟିଏମ୍‌ରେ ନଗଦ ଟଙ୍କାର ସ୍ଥିତିର ସମୀକ୍ଷା କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଆଜି ଦେଶର ୮୦% ଏଟିଏମ୍‌ରୁ ଟଙ୍କା ବାହାରୁଥିଲା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଗତକାଲି ୬୦% ଏଟିଏମ୍‌ କାମ କରୁଥିଲା। ଦିନକ ଭିତରେ ସ୍ଥିତିରେ ବହୁତ ସୁଧାର ହୋଇଥିବା ସରକାର କହିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏଟିଏମ୍‌ ସ୍ଥିତିରେ ଅନେକ ସୁଧାର ହୋଇଛି । ଆଗାମୀ କିଛି ଦିନ ଭିତରେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯିବ ବୋଲି ଷ୍ଟେଟ୍‌ ବ୍ୟାଙ୍କ କହିଛି ।