ଦ୍ୱିତୀୟ ଦିନରେ ବି ଏଟିଏମଗୁଡିକରୁ ବାହାରୁନି ଟଙ୍କା ! ଭାରତୀୟ ଷ୍ଟେଟବ୍ୟାଙ୍କର ରିସର୍ଚ୍ଚର୍ ଟିମ୍ କହିଲା, ଅଭାବ ଅଛି ୭୦ ହଜାର କୋଟି ଟଙ୍କା

24

କନକ ବ୍ୟୁରୋ : ଏଟିଏମରେ ଟଙ୍କା ନାହିଁ । ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ସମାନ ସ୍ଥିତି । ସେପଟେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିସର୍ଚ ଟିମ୍ କହିଛି, ୭୦ ହଜାର କୋଟି ଟଙ୍କାର ନଗଦ ଟଙ୍କା ନିଅଂଟ ରହିଛି । ଏବଂ ୨୪ ଘଂଟା ମଧ୍ୟରେ ଏହି ନିଅଂଟିଆ ସ୍ଥିତି ଦୂର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଶ୍ୱାସନା ସତ୍ୱେ ସ୍ୱାଭାବିକ ହୋଇପାରୁନି ଏଟିଏମରେ ଟଙ୍କା ଅଭାବ । ଲଗାତର ଦ୍ୱିତୀୟ ଦିନରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଏଟିଏମଗୁଡିକରେ ଟଙ୍କା ନଥିବା ଦେଖିବାକୁ ମିଳିଛି । ଯାହା ୨୦୧୬ର ବିମୁଦ୍ରାକରଣକୁ ମନେପକାଇ ଦେଇଛି । ତେବେ ପ୍ରଶ୍ନ ଉଠୁଛି ହଠାତ କାହିଁକି ଏଭଳି ନଗଦ ଟଙ୍କାର ଅଭାବ ଦେଖାଦେଲା?

– ଅଧିକାଂଶ ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରୁନାହିଁ
– କଳାଧନ କାରବାରରେ ୨ ହଜାର ଟଙ୍କିଆ ନୋଟ୍ ବ୍ୟବହାର ହେଉଥିବା ସନ୍ଦେହ
– ୨ ହଜାର ଟଙ୍କିଆ ପରି ବଡନୋଟ୍ ରଖିବା ଓ ନେବା ଆଣିବା କରିବାକୁ ସୁବିଧା
– ନିର୍ବାଚନରେ ବ୍ୟବହାର କରିବାକୁ ବଡନୋଟ୍ ଗଚ୍ଛିତ କରୁଥାଇପାରନ୍ତି ନେତା

ଏଟିଏମରେ ନଗଦ ଟଙ୍କା ଅଭାବ ନେଇ ଆରବିଆଇର ସଫେଇ ହେଉଛି ହଠାତ ଲୋକେ ଅଧ୍ଖଳ ଟଙ୍କା ଉଠାଣ କରୁଛନ୍ତି । ଏପ୍ରିଲ ମାସର ପ୍ରଥମ ୧୩ଦିନରେ ୪୫ ହଜାର କୋଟି ଟଙ୍କା ଉଠାଣ ହୋଇଛି । କିନ୍ତୁ ମାର୍ଚ୍ଚ ମାସର ଶେଷ ୧୫ ଦିନରେ ମାତ୍ର ୭ହଜାର କୋଟି ଟଙ୍କା ଉଠାଣ ହୋଇଥିଲା ।

– ବିମୁଦ୍ରାକରଣ ପୂର୍ବରୁ ଏଟିଏମ ଗୁଡିକରେ ଦିନକୁ ୬ରୁ ୭ ହଜାର କୋଟି ଟଙ୍କା ଜମା ହେଉଥିଲା
– ହେଲେ ଏବେ ଦିନକୁ ପ୍ରାୟ ୧୦ ହଜାର କୋଟି ଟଙ୍କା ଏଟିଏମରେ ଜମା କରିବାକୁ ପଡୁଛି
– ଅର୍ଥାତ ଡିଜିଟାଲ ପେମେଂଟ ନେଇ ଲୋକଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ସମ୍ଭବ ହୋଇନି
– ଏବେ ଚାଷବାସ ଆରମ୍ଭ କରିବା ସମୟ ହୋଇଥିବାରୁ ନଗଦ ଟଙ୍କାର ଆବଶ୍ୟକତା ବଢିଛି

ମମତା ବାନାର୍ଜୀଙ୍କ ଏହି ଟ୍ୱିଟ ଏକ ବଡଧରଣର ସମସ୍ୟା ଆଡକୁ ଇସାରା କରୁଛି । ମମତା ସନ୍ଦେହ କରୁଛନ୍ତି ଦେଶରେ ଆର୍ଥିକ ଜରୁରୀ ପରିସ୍ଥିତି ଭଳି ସଂକଟ ଦେଖାଦେଇଛି । ବଜାରରେ ୨ହଜାର ଟଙ୍କା ଭଳି ବଡନୋଟ୍ ଗାଏବ ହୋଇଯିବା ଘଟଣାକୁ ସେ ବିମୁଦ୍ରାକରଣର ପ୍ରଭାବ ସହ ତୁଳନା କରିଛନ୍ତି ।

ସେପଟେ ଆପ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ବାରମ୍ବାର ଗଣମାଧ୍ୟମରେ ଏଭଳି ଖବର ଫଳରେ ଭୟଭୀତ ହୋଇ ସମସ୍ତେ ଟଙ୍କା ଉଠାଇବା ଆରମ୍ଭ କରିପାରନ୍ତି । ଏବଂ ଏହା ଦ୍ୱାରା ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଭୁଷୁଡି ପଡିବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।