ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡ଼ିଶା ଫେରିଥିବା ୨୨ ଜଣ ଚିହ୍ନଟ : ୧୫ଜଣଙ୍କ ନମୁନା ନେଗେଟିଭ୍, ରାଉରକେଲାର ୧୨, କେନ୍ଦ୍ରାପଡ଼ା, କଟକ ଓ ଗଂଜାମର ଜଣେ ଲେଖାଏଁ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍

1,323

କନକ ବ୍ୟୁରୋ : ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡ଼ିଶା ଫେରିଥିବା ୧୫ ଜଣଙ୍କ ନମୁନା ନେଗେଟିଭ୍ ରହିଛି । ଯେଉଁ ୧୫ ଜଣଙ୍କ ନମୁନା ନେଗେଟିଭ୍ ଆସିଛି ସେଥିରେ ରାଉରକେଲାର ୧୨ଜଣ ଥିବା ବେଳେ କେନ୍ଦ୍ରାପଡ଼ା, କଟକ ଓ ଗଂଜାମର ଜଣେ ଲେଖାଏଁ ବ୍ୟକ୍ତି ଅଛନ୍ତି । ଏନେଇ ବିଧିବଦ୍ଧ ଭାବେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି । ତେବେ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇ ଓଡ଼ିଶାକୁ ଫେରିଥିବା ୨୨ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭ଜଣ ବିଦେଶୀ ନାଗରିକ ଅଛନ୍ତି । ଆଉ ଏହି ସମସ୍ତଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଏଥିରୁ ୧୫ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି ।

ସେପଟେ ତବଲିଗ ନିଜାମୁଦ୍ଦିନର ଧାର୍ମିକ ସମାବେଶରେ ସାମିଲ ଲୋକଙ୍କୁ ଖୋଜା ଚାଲିଛି । ଏହି ସମାବେଶରେ ସାମିଲ ହୋଇଥିବା କିଛି ଲୋକଙ୍କ ନମୁନାରେ କରୋନା ଭୂତାଣୁ ଠାବ ହେବା ପରେ ସରକାରଙ୍କ ଉଦବେଗ ବଢିଛି । ବର୍ତ୍ତମାନ ସୁଦ୍ଧା ଏହି ଧାର୍ମିକ ସମ୍ମିଳନୀରେ ସାମିଲ ୩୮୯ ଜଣଙ୍କ ପଜିଟିଭ ରିପୋର୍ଟ ଆସିଛି । ସେପଟେ ନିଜାମୁଦ୍ଦିନର ଧର୍ମୀୟ ସଭାରେ ସାମିଲ ୬ ହଜାର ଲୋକଙ୍କୁ ବିଭିନ୍ନ ରାଜ୍ୟରେ ଚିହ୍ନଟ କରାଯାଇଛି । ସେମାନଙ୍କୁ ମଧ୍ୟରୁ ୫ ହଜାର ଲୋକଙ୍କୁ ସଙ୍ଗରୋଧରେ ରଖାଯାଇଛି । ଗତକାଲି କେନ୍ଦ୍ର କ୍ୟାବିନେଟ ସଚିବ ଭିଡିଓ କନଫରେନ୍ସିରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିଜାମୁଦ୍ଦିନ ଧାର୍ମିକ ସଭାରେ ସାମିଲ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି କ୍ୱାରେନଟାଇନରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।