କନକ ବ୍ୟୁରୋ : ଭାରତ ଚୀନ୍କୁ ଅର୍ଥନୈତିକ ସ୍ତରରେ କ୍ରମାଗତ ଭାବରେ ବଡ ବଡ ଝଟକା ଦେବାରେ ଲାଗିଛି | ଭାରତ-ଚୀନ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷକୁ ଆଖି ଆଗରେ ରଖି ଆଜି କୌଣସି ଚୀନ୍ କମ୍ପାନୀଗୁଡ଼ିକୁ ରାଜପଥ ପ୍ରକଳ୍ପରେ ଭାଗ ନେବାକୁ ଭାରତ ଅନୁମତି ଦେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ | ଚାଇନିଜ୍ କମ୍ପାନୀଗୁଡିକ ମଧ୍ୟ ମିଳିତ ଉଦ୍ୟୋଗ ଭାଗୀଦାରୀ ଭାବରେ କାମ କରିବାକୁ ଅନୁମତି ପାଇବେ ନାହିଁ | ଏହା ସହ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପରି ବିଭିନ୍ନ କ୍ଷେତ୍ରରେ ଚାଇନାର ନିବେଶକମାନେ କୌଣସି ପ୍ରକାରର ନିବେଶ ଯେମିତି କରିପାରିବେ ନାହିଁ, ସେ ନେଇ ସରକାର ସୁନିଶ୍ଚିତ କରିବେ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ।
ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଦିନକୁ ଦିନ ବଢିବାକୁ ଲାଗୁଥିବା ବେଳେ ଚୀନ ସହ ହିଂସାତ୍ମକ ସଂଘର୍ଷରେ ଭାରତର ୨୦ଜଣ ଭାରତୀୟ ସେନା ଯବାନ ସହିଦ ହୋଇଥିଲେ। ଏ ନେଇ ଚୀନକୁ ଉଚିତ ଜବାବ ଦେବା ପାଇଁ ସୋମବାର ସରକାର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ୫୯ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।
Follow Us