ଷ୍ଟକ ବଜାରରେ କରୋନା ଝଡ ପରେ ଅର୍ଥମନ୍ତ୍ରୀଙ୍କ ଚିନ୍ତା : ନିର୍ମଳା କହିଲେ, ତିନି ସପ୍ତାହରେ ମୁକାବିଲା ନହେଲେ ବଢିବ ସମସ୍ୟା . . ଉଦ୍ୟୋଗ ଜଗତରେ ଦେଖାଦେଲାଣି କଞ୍ଚାମାଲର ଅଭାବ 

406

କନକ ବ୍ୟୁରୋ : ଷ୍ଟକ ବଜାରରେ କରୋନା ଝଡ ଅର୍ଥମନ୍ତ୍ରୀଙ୍କ ଚିନ୍ତା ବଢାଇ ଦେଇଛି । କରୋନା ଆତଙ୍କର ପ୍ରଭାବ ଷ୍ଟକ ବଜାର ଉପରେ ପଡିଛି । ଗତକାଲି ଗୋଟିଏ ଦିନରେ ନିବେଶକ ସାଢେ ୫ ଲକ୍ଷ ଟଙ୍କା ହରାଇଛନ୍ତି । ନିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରିବାରୁ ସେନସେକ୍ସରେ ହ୍ରାସ ହୋଇଥିଲା । ଆଉ ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି । ତେବେ କରୋନା ପାଇଁ ଏବେ ଚିନ୍ତାରେ ଅର୍ଥମନ୍ତ୍ରୀ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଯଦି ତିନି ସପ୍ତାହ ଭିତରେ କରୋନାର ସଫଳ ମୁକାବିଲା କରାନଯାଏ, ତେବେ ତାହା ଦେଶ ପାଇଁ ବଡ ଆହ୍ୱାନ ସୃଷ୍ଟି କରିବ ।

ସେପଟେ କରୋନା ଭୂତାଣୁ ଯୋଗୁଁ ଉଦ୍ୟୋଗ ଜଗତରେ କଞ୍ଚାମାଲର ଅଭାବ ଦେଖା ଦେଲାଣି । ଔଷଧ ଠାରୁ ଆରମ୍ଭ କରି ଇଲୋକ୍ଟ୍ରୋନିକ୍ସ କଂପାନୀଗୁଡିକ ଅଧିକାଂଶ କଂଚାମାଲ ଚୀନରୁ ମଗାଉଥିବାରୁ, ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି, ପ୍ରଥମେ କରୋନା ବ୍ୟାପିବା ଉପରୋ ରୋକ ଲଗାଇବା ପାଇଁ ସରକାରଙ୍କୁ ପ୍ରାଥମିକତା ଦେବାକୁ ହେବ । ଏହାପରେ ଆର୍ଥିକ ପ୍ରୋତ୍ସାହନ କଥା ଚିନ୍ତା କରାଯାଇପାରିବ ।