କରୋନାର ପ୍ରକୋପ ମଧ୍ୟରେ ଆର୍ଥିକ ସ୍ଥିତିର ମୁକାବିଲା ପାଇଁ ଅର୍ଥମନ୍ତ୍ରୀଙ୍କ ବୁଷ୍ଟର : ଚିକିତ୍ସା କର୍ମୀଙ୍କ ପାଇଁ ୫୦ ଲକ୍ଷର ଟଙ୍କାର ବୀମା ରାଶି ଘୋଷଣା

1,110

କନକ ବ୍ୟୁରୋ : କରୋନାକୁ ନେଇ ସାରା ଦେଶ ଏବେ ଲଢେଇ କରୁଥିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ନେଇଛି ବଡ ନିଷ୍ପତ୍ତି । ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଆଜି ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସୀତାରମଣ । କରୋନାକୁ ନେଇ ଦେଶର ଅର୍ଥନୀତି ଖରାପ ସ୍ଥିତିରେ ଚାଲିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରାଳୟର ଏପରି ଘୋଷଣା ସାଧାରଣ ଦେଶବାସୀଙ୍କୁ ବଡ ଆଶ୍ୱସ୍ତି ଦେବ ।

କରୋନା ସହିତ ଲଢେଇରେ ସବୁଠାରୁ ବଡ ଭୂମିକା ନିଭାଉଛନ୍ତି ଡାକ୍ତରମାନେ । ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଜୀବନ ସହ ଲଢି କାମ କରୁଛନ୍ତି । ଚିକିତ୍ସା ସେବାରେ ଥିବା ଚିକିତ୍ସାକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଘୋଷଣା କରିଛନ୍ତି ।  ଏଥିରେ ଦେଶର ପ୍ରାୟ ୩୦ ଲକ୍ଷ କର୍ମଚାରୀ ଉପକୃତ ହେବେ । କୋରନା ପ୍ରଭାବିତଙ୍କୁ ମିଳିବ ପ୍ରୋତ୍ସାହନ ରାଶି । ଦେଶରେ କୌଣସି ଗରିବ ଭୋକରେ ରହିବ ନାହିଁ । ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାରେ ପ୍ରତ୍ୟକ ଗରିବ ଲୋକଙ୍କୁ ଅତିରିକ୍ତ ୫ କେଜି ଚାଉଳ ଆଗାମୀ ୩ ମାସ ପାଇଁ ଦିଆଯିବ । ଏହାର ଲାଭ ଦେଶର ୮୦ କୋଟି ଲୋକଙ୍କୁ ମିଳିବ । ଏହା ବାଦ୍ ମଧ୍ୟ ପ୍ରତ୍ୟକଙ୍କୁ ଗୋଟିଏ କେଜି ଲେଖାଏଁ ଡାଲି ଦିଆଯିବ । ସେହିପରି ଅପ୍ରେଲ ପ୍ରଥମ ସପ୍ତାହରେ ପିଏମ୍ କିସାନ ଯୋଜନାରେ ଚାଷୀଙ୍କୁ ପ୍ରଥମ କିସ୍ତିରେ ୨୦୦୦ ଟଙ୍କା ପ୍ରଦାନ କରାଯିବ । ଏହି ଟଙ୍କା ସିଧାସଳଖ ସେମାନଙ୍କର ଖାତାକୁ ଯିବ ।

ଦେଶରେ ୨୧ ଦିନିଆ ଲକଡାଉନ୍ ଲାଗୁ ହୋଇଥିବା ସମୟରେ ନିର୍ମଳା ସୀତାରମଣ ଘୋଷଣା କରିଥିବା ଏହି ମେଗା ଆର୍ଥିକ ପ୍ୟାକେଜ୍ ଦାଦନ ଶ୍ରମିକ ଓ ଗରିବ ଲୋକଙ୍କ ପାଇଁ ବେଶ୍ ସହାୟକ ହେବ । ଜନଧନ ଯୋଜନାରେ ମହିଳା ଖାତା ଧାରକଙ୍କୁ ଆଗାମୀ ୩ ମାସ ପାଇଁ ୫ ଶହ ଟଙ୍କା ଲେଖାଏଁ ମିଳିବ । ଏଥିରେ ପ୍ରାୟ ୨୦ ଲକ୍ଷ ମହିଳା ଏଥିରେ ଉପକୃତ ହେବେ । ଉଜ୍ୱଳା ଯୋଜନାରେ ବିପିଏଲ୍ ପରିବାରକୁ ପ୍ରତି ମାସରେ ଗୋଟିଏ ଲେଖାଏଁ ଆଗାମୀ ୩ ମାସ ଯାଏଁ ୩ଟି ସିଲିଣ୍ଡର ମାଗଣାରେ ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଛି । ଏଥିରେ ୮ କୋଟି ୩୦ ଲକ୍ଷ ପରିବାର ଉପକୃତ ହେବେ ।