କନକ ବ୍ୟୁରୋ : ଦିଲ୍ଲୀରେ ନିର୍ଭୟା ଗଣଦୁଷ୍କର୍ମ ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ୨୦୧୨ ଡିସେମ୍ବର ୧୬ ତାରିଖରେ ନିର୍ଭୟାଙ୍କ ସହିତ ଯେଉଁପରି ଭାବେ ଅତି ଜଘନ୍ୟ ଭାବରେ ଗଣଦୁଷ୍କର୍ମ ହେଲା ଓ ସାରା ବିଶ୍ୱରେ ଭାରତର ନାଁ ବଦନାମ ହେଲା । ଆଉ ଜୀବନ ଯୁଦ୍ଧରେ ନିର୍ଭୟା ହାରିଯାଇଥିଲେ । ହେଲେ ନ୍ୟାୟିକ ଲଢେଇରେ ସାତ ବର୍ଷ ପରେ ଆଜି ତାଙ୍କୁ ନ୍ୟାୟ ମିଳିଛି । ସାରା ଦେଶବାସୀଙ୍କ ପାଇଁ ନୂଆ ସକାଳ ଆଣିଛି । ତେବେ ଫାଶୀରେ ଝୁଲିବା ପୂର୍ବରୁ ନିର୍ଭୟା ଅଭିଯୁକ୍ତମାନେ ଫାଶୀ ଟାଳିବା ପାଇଁ ସମସ୍ତ ଫନ୍ଦିଫିକର କରିଥିଲେ । ଅଭିଯୁକ୍ତମାନେ ଫାଶୀରୁ ବଞ୍ଚିବା ପାଇଁ ଆଇନ ବିକଳ୍ପର ଭଲରେ ବ୍ୟବହାର କରିନେଇଥିଲେ ।
ଫାଶୀ ପୂର୍ବରୁ ଶୋଇପାରିନଥିଲେ ନିର୍ଭୟା ଅଭିଯୁକ୍ତ । ମୃତ୍ୟୁର ଡର ସାରା ରାତି ସେମାନଙ୍କୁ ଶୁଆଇ ଦେଇନଥିଲା । ସୂଚନା ଅନୁସାରେ ଫାଶୀ ପୂର୍ବରୁ ତିହାର ଜେଲର କଏଦୀ ମାନେ ମଧ୍ୟ ସମୟ ପୂର୍ବରୁ ଉଠିଯାଇଥିଲେ । କାରଣ ତିହାର ଜେଲ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ସୂଚନା ଥାଇ ଚାରି ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା । ଫାଶୀ ପାଇଁ ସମୟ ପୂର୍ବରୁ ସବୁ କିଛି ସ୍ଥିର ଥିଲା । ଜହ୍ଲାଦ ବି ପ୍ରସ୍ତୁତ ଥିଲେ । ଆଉ ଏଥିପାଇଁ ବାକି କଏଦୀମାନେ ମଧ୍ୟ ଶୋଇ ପାରିନଥିଲେ ।
ପ୍ରଥମେ ଜେଲକୁ ଲକଡାଉନ୍ କରାଯାଇଥିଲା । ସମସ୍ତ କଏଦୀଙ୍କୁ ଭିନ୍ନ ଭିନ୍ନ ସେଲରେ ବନ୍ଦ କରାଯାଇଥିଲା । ଆଉ ତା’ପରେ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ସୁପରିଟେଣ୍ଡେଣ୍ଟ୍ ଓ ସୁରକ୍ଷା କର୍ମଚାରୀମାନେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉଥିବା ସେଲକୁ ନେଇଯାଇଥିଲେ । ପ୍ରାୟ ସାଢ଼େ ୫ଟାରେ ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇଥିଲା । ପାଖାପାଖି ୩୦ ମିନିଟରୁ ଅଧିକ ସମୟ ଅଭିଯୁକ୍ତଙ୍କ ଶବ ଝୁଲିରହିଥିଲା । ଆଉ ତା’ପରେ ଅଭିଯୁକ୍ତଙ୍କ ଶବକୁ ଫାଶୀ ଖୁଣ୍ଟରୁ ଓଲ୍ହାଇ ମେଡ଼ିକାଲ ଯାଞ୍ଚ ପାଇଁ ପଠାଯାଇଛି ।