ଘୃଣ୍ୟ କର୍ମ ପାଇଁ ଦଣ୍ଡ ପାଇଲେ ନିର୍ଭୟା ଅଭିଯୁକ୍ତ : ଫାଶୀ ପରେ ଶବ ନେବାପାଇଁ ଦାବି କଲେନି ପରିବାର ଲୋକ, ତିହାର ଜେଲରେ ହୋଇପାରେ ଅନ୍ତିମ ସଂସ୍କାର

34,531

କନକ ବ୍ୟୁରୋ : ନିଜ ଘୃଣ୍ୟ କର୍ମ ପାଇଁ ଦଣ୍ଡ ପାଇଲେ ନିର୍ଭୟା ଅଭିଯୁକ୍ତ । ଅପେକ୍ଷାର ଘଟିଲା ଅବସାନ । ନିର୍ଭୟା ଦୋଷୀଙ୍କୁ ମିଳିଲା ଫାଶୀ । ଫାଶୀ ଖୁଣ୍ଟରେ ଝୁଲିଲେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ନିର୍ଭୟାର ଏହି ଦୋଷୀମାନଙ୍କୁ ତିହାର ଜେଲର ଫାଶୀଖୁଂଟରେ ଝୁଲାଯାଇଛିି । ସକାଳ ସାଢେ ୫ଟାରେ ୪ ଅଭିଯୁକ୍ତ ଫାଶୀରେ ଝୁଲିଛନ୍ତି । ମିରଟରୁ ଆସିଥିବା ଜହ୍ଲାଦ ପବନ ଫାଶୀ ଦେଇଛନ୍ତି । ୨୦୧୨ ଡିସେମ୍ବର ୧୬ ତାରିଖରେ ନିର୍ଭୟାକାଣ୍ଡ ଘଟିଥିବା ବେଳେ ୭ ବର୍ଷ ୩ ମାସ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ନିର୍ଭୟାକାଣ୍ଡର ସୈତାନମାନେ ସାଢ଼େ ୫ଟା ବେଳେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି । ଫାଶୀ ପରେ ମେଡିକାଲ ଅଫିସର ଫାଶୀ ଖୁଣ୍ଟ ପାଖକୁ ଯାଇ ଯାଞ୍ଚ କରିଛନ୍ତିି । ଏହାପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଛି । ଚାରି ଜଣଙ୍କ ଶବ ପୋଷ୍ଟମଟମ୍ ପାଇଁ ପଠାଇ ଦିଆଯାଇଛି ।

ଆଉ ଏହାରି ମଧ୍ୟରେ ଚାରି ଅଭିଯୁକ୍ତଙ୍କ ପରିବାର ବର୍ଗକୁ ଶବ ନେବାକୁ କହିଛନ୍ତି । ତେବେ ଏବେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପରି ପରିବାର ପକ୍ଷରୁ ଶବ ନେବା ପାଇଁ କୌଣସି ଦାବି ଜଣାଇ ନାହାନ୍ତି । ଫଳରେ ଚାରି ଶବର ଅନ୍ତିମ ସଂସ୍କାର ତିହାଡ଼ ପ୍ରଶାସନ କରିପାରନ୍ତି ବୋଲି ସୂଚନା ମିଳିଛି । ତିହାଡ଼ର ତିନି ନମ୍ବର ଜେଲରେ ଚାରି ଜଣଙ୍କୁ ଫାଶୀ ଦିଆଯାଇଛି, ଆଉ ସେହିଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି କୁହାଯାଉଛି ।

ସେପଟେ ୪ ଦୋଷୀଙ୍କୁ ଫାଶୀ ମିଳିବା ପରେ ନିର୍ଭୟାଙ୍କ ବାପା ଓ ମା ଖୁସି ପ୍ରକାଶ କରିଛନ୍ତି । ନିର୍ଭୟାଙ୍କ ବାପା କହିଛନ୍ତି, ମହିଳା ସୁରକ୍ଷା ପାଇଁ ଆଜିର ଦିନ ଏକ ବଡ ଦିନ । ଝିଅର ଆତ୍ମାକୁ ଆଜି ଶାନ୍ତି ମିଳିଥିବା । ସେପଟେ ନିର୍ଭୟାଙ୍କ ମା ଆଶାଦେବୀ କହିଛନ୍ତି, ସାରା ଦେଶ ଓ ଝିଅକୁୁ ନ୍ୟାୟ ମିଳିଛି । ଆଜି ମାର ଧର୍ମ ବି ପୂରଣ ହୋଇଛି ।