ଫାଶୀ ପୂର୍ବରୁ ପୋଷାକ ବଦଳାଇଲାନି ଅଭିଯୁକ୍ତ ବିନୟ : କାନ୍ଦି କାନ୍ଦି ନିଜ କୃତକର୍ମ ପାଇଁ ଭୁଲ ମାଗିଲା

131,912

କନକ ବ୍ୟୁରୋ : ଦୀର୍ଘ ସାତ ବର୍ଷର ଅପେକ୍ଷା ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଲା । ଅନେକ ନ୍ୟାୟିକ ପ୍ରକ୍ରିୟା ପରେ ଫାଶୀର ରାସ୍ତା ସଫା ହୋଇଥିଲା । ଆଉ ଆଜି ସକାଳ ସାଢ଼େ ୫ଟାରେ ନିର୍ଭୟା ନରପିଶାଚଙ୍କୁ ଫାଶୀ ଦିଆଯାଇଛି । ତେବେ ଫାଶୀ ପୂର୍ବରୁ ଜେଲ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ତିହାର ଜେଲର ବାହାରେ ଅର୍ଦ୍ଧସୈନିକ ବଳ ମୁତୟନ ହୋଇଥିଲେ ।

ଫାଶୀ ପୂର୍ବରୁ ତିହାର ଜେଲର ଅନେକ ଅଧିକାରୀ ଫାଶୀ ଦିଆଯାଉଥିବା କକ୍ଷକୁ ପହଞ୍ଚିଥିଲେ । ଦୋଷୀଙ୍କୁ ସକାଳ ୪ଟାରେ ଉଠାଇବା ସହ ଗାଧୋଇବା ସହ ନୂଆ ପୋଷାକ ପିନ୍ଧିବାକୁ ଦିଆଯାଇଥିଲା । ଆଉ ତା’ପରେ ଅଭିଯୁକ୍ତଙ୍କୁ ଚା, ନାସ୍ତା ପାଇଁ ପଚାରା ଯାଇଥିଲା । ତେବେ କୌଣସି ବି ଦୋଷୀ ସକାଳ ଜଳଖିଆ କରିନଥିଲେ । ଦୋଷୀ ବିନିୟ ପୋଷାକ ବଦଳାଇବା ପାଇଁ ମନା କରିଦେଇଥିଲା । ତେବେ ମୃତ୍ୟୁକୁ ଆଖି ଆଗରେ ଦେଖି କାନ୍ଦିବା ଆରମ୍ଭ କରିଦେଇଥିଲା ଅଭିଯୁକ୍ତ  ବିନିୟ ।  କାନ୍ଦି କାନ୍ଦି ନିଜ କୃତକର୍ମ ପାଇଁ ଭୁଲ ମାଗିଲା । ଆଉ ତା’ପରେ ଜେଲ ପ୍ରଶାସନ ଦୋଷୀଙ୍କୁ ଶେଷ ଇଚ୍ଛା ପଚାରିଥିଲେ । ଆଉ ଠିକ ସାଢ଼େ ୫ଟାରେ ତିହାର ଜେଲାରେ ଫାଶୀ କ’ରେ ଫାଶଈରେ ଚାରି ଅଭିଯୁକ୍ତଙ୍କୁ ଝୁଲାଇ ଦିଆଗଲା ।

ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ତିହାର ଜେଲ ବାହାରେ ଲୋକଙ୍କ ଭିଡ଼ ଜମିଥିଲା । ଫାଶୀ ହେବା ପରେ ଲୋକଙ୍କ ମନରେ ମଧ୍ୟ ଖୁସି ପ୍ରକାଶ ପାଇଛି । ସକାଳୁ ସକାଳୁ ତିହାର ସମ୍ମୁଖରେ ଶହ ଶହ ଲୋକଙ୍କର ଲାଗିଥିଲା ଭିଡ । ହାତରେ ତ୍ରିରଙ୍ଗା ଧରି ନିର୍ଭୟା ଲଂଗ ଲିଭ୍ ଓ ଭାରତ ମାତାକି ଜୟ ନାରାରେ କମ୍ପିଥିଲା ପୁରା ପରିବେଶ । ଏହା ସହିତ ମିଠା ଖୁଆଇ ଖୁସି ମନାଇଥିଲେ ଲୋକେ । ଦୀର୍ଘ ଦିନ ଧରି ଦୋଷୀଙ୍କୁ ଫାଶୀ ମିଳିବା ନେଇ ବିଳମ୍ବ ଜାରି ରହିଥିଲା । ଗୋଟିଏ ପରେ ଗୋଟିଏ ଫାଶୀ ତାରିଖ ଘୁଂଚିବା ନେଇ ଦେଖାଦେଇଥିବା ଅସନ୍ତୋଷର ଆଜି ପରିସମାପ୍ତି ଘଟିଛି ।

ସେପଟେ ନିର୍ଭୟାଙ୍କ ପୈତୃକ ଗାଁ ଉତ୍ତରପ୍ରଦେଶର ବାଲିଆରେ ମଧ୍ୟ ଏହାକୁ ନେଇ ବିଜୟଉତ୍ସବ ମନାଇଛନ୍ତି ଗ୍ରାମବାସୀ । ବିଳମ୍ବ ହୋଇଥିଲେ ବି ଗାଁର ଝିଅକୁ ନ୍ୟାୟ ମିଳିଥିବାରୁ ମଥାରେ ଟୀକା ଲଗାଇ, ପରସ୍ପର ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି । ସମଗ୍ର ମହିଳାଙ୍କ ପାଇଁ ଏହା ବିଜୟ ବୋଲି ଗ୍ରାମବାସୀ କହିଛନ୍ତି ।

Comments are closed.