କନକ ବ୍ୟୁରୋ : ଅଭିଯୁକ୍ତ ପୱନର ଶେଷ ଚେଷ୍ଟା ବିଫଳ । ଆଜି ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପୱନ କୁମାର ଗୁପ୍ତାର ସାନି ଆବେଦନକୁ ଖାରଜ କରିଦେଇଛନ୍ତି । ଅପରାଧ ଦିନ ସେ ନାବାଳକ ଥିବାରୁ ତାର ଦଣ୍ଡ କୋହଳ କରାଯାଉ ବୋଲି ପୱନର ଓକିଲ ଆବେଦନ କରିଥିଲେ । ଏହାର ପ୍ରମାଣ ସ୍ବରୂପ ତାର ସ୍କୁଲ ସାର୍ଟିଫିକେଟ୍ ମଧ୍ୟ ଦାଖଲ କରାଯାଇଥିଲା । ତେବେ ଦଲିଲ ଓ ଆବେଦନରେ କୌଣସି ନୂଆ କଥା ନାହିଁ ବୋଲି ଦର୍ଶାଇ ସର୍ବୋଚ୍ଚ ଅଦାଲତ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ଦୁଷ୍କର୍ମକାରୀଙ୍କୁ ଫେବ୍ରୁଆରି ୧, ସକାଳ ୬ଟାରେ ଫାଶୀ ଲାଗି ଜାରି କରାଯାଇଥିବା ‘ମୃତ୍ୟୁ ପରଓ୍ଵାନା’ କାଏମ୍ ରହିବା ଏକ ପ୍ରକାର ନିଶ୍ଚିତ ହୋଇଛି।
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପୱନ୍ କୁମାର ଗୁପ୍ତାର ସାନି ଆବେଦନ ଫଳରେ ‘ମୃତ୍ୟୁ ପରଓ୍ଵାନା’ର କାର୍ଯ୍ୟକାରୀତା ନେଇ ଦ୍ୱନ୍ଦ୍ୱ ଓ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । କାରଣ ଏହି ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାକୁ ନାବାଳକ ଅପରାଧୀ ରୂପେ ବିବେଚନା କରିବାକୁ ଦିଲ୍ଲୀ ହାଇକୋର୍ଟ ଗତ ଡିିସେମ୍ବର ୧୯ ତାରିଖ ରାୟରେ ମନା କରିଦେବା ପରେ ଦୋଷୀ ଏହି ରାୟକୁ ଚାଲେଞ୍ଜ କରି ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
Follow Us