ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଣି ନୂଆ ମୋଡ : ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଦୋଷୀ ପବନ କୁମାର, ନିଜକୁ ନାବାଳକ ଭାବେ ବିଚାର କରିବା ସହ ଫେବୃଆରୀ ୧ରେ ଫାଶୀ ନଦେବାକୁ କରିଛି ଆବେଦନ

255

କନକ ବ୍ୟୁରୋ : ନିର୍ଭୟା ମାମଲାରେ ଦିନକୁ ଦିନ ନୂଆ ନୂଆ ମୋଡ ଆସୁଛି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ନେଇ ସଦ୍ୟତମ ଡେଥ୍ ୱାରେଣ୍ଟ ବାହାର କରିବା ପରେ ଦୋଷୀ ପବନକୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଦିଲ୍ଲୀ ହାଇକୋର୍ଟ ତାକୁ ନାବାଳକ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିବା ବେଳେ ଏନେଇ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି । ନିଜ ଓକିଲଙ୍କ ଜରିଆରେ ନିଜକୁ ନାବାଳକ ଭାବେ ପୁଣି ଥରେ ଅପିଲ ଉପସ୍ଥାପନ କରିଛି ପବନ କୁମାର ।

ନିର୍ଭୟା ଘଟଣା ହେବା ସମୟରେ ଅର୍ଥାତ ୧୬ ଡିସେମ୍ବର ୨୦୧୨ରେ ସେ ନାବାଳକ ଥିଲେ ବୋଲି ନିଜ ଆବେଦନରେ ଉଲ୍ଲେଖ କରିଛି । ଏହା ସହ ଆସନ୍ତା ଫେବୃଆରୀ ୧ ତାରିଖରେ ତାକୁ ଫାଶୀ ନଦେବାକୁ ତିହାର ଜେଲ କର୍ତୃପକ୍ଷଙ୍କୁ ଆଦେଶ ଦେବାକୁ ସେ ଆବେଦନ କରିଛି । ଗତକାଲି ନିର୍ଭୟା କାଣ୍ଡର ଦୋଷୀ ପବନ କୁମାର ଗୁପ୍ତା, ୧୯ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲଂଜ କରିଛି । ଏଥିରେ ଜାଲ କାଗଜପତ୍ର ଦାଖଲ କରିଥିବା ଏବଂ ଉପସ୍ଥିତ ନରହିବା କାରଣରୁ ତା’ ଓକିଲଙ୍କୁ ସମାଲୋଚନା ମଧ୍ୟ କରାଯାଇଛି ।

ତେବେ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ନେଇ ନୂଆ ତାରିଖ ଆସିଛି । ଆସନ୍ତା ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ୪ଜଣ ଯାକ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଯିବ । ନିର୍ଭୟା ଦୋଷୀଙ୍କ ମଧ୍ୟରୁ ଜଣେ ମୁକେଶ ସିଂହର ରାଜକ୍ଷମା ଆବେଦନ ଖାରଜ ହୋଇଯିବା ପରେ ନୂଆ ଫାଶୀ ତାରିଖ ଦେଇଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ନ୍ୟାୟିକ ପ୍ରକ୍ରିୟା ଭିତରେ ଫାଶୀ ତାରିଖ ଗଡି ଚାଲିଥିବା ବେଳେ, ଏହାକୁ ନେଇ ରାଜନୀତି ବି ଜୋର୍ ଧରିଛି ।