ନବରଙ୍ଗପୁରରେ ଫେଲ ମାରିଛି ନିରାମୟ ଯୋଜନା ! ଔଷଧ ଲେଖୁଛନ୍ତି ଡାକ୍ତର ହେଲେ ରୋଗୀଙ୍କୁ ମିଳୁନି ଔଷଧ

31

କନକ ବ୍ୟୁରୋ : ସରକାର କହୁଛନ୍ତି ରାଜ୍ୟରେ ନିରାମୟ ଯୋଜନା ଶତ ପ୍ରତିଶତ ସଫଳ । ସବୁ ହସ୍ପିଟାଲରେ ମାଗଣାରେ ରୋଗୀଙ୍କୁ ଔଷଧ ଦିଆଯାଉଛି । ରୋଗୀ ଆଉ ବାହାରୁ ମେଡିସିନ୍ କିଣୁନାହାନ୍ତି । ହେଲେ ଏହା କଣ ସତ? ଉପାନ୍ତ ଅଂଚଳରେ କେମିତି କାମ କରୁଛି ସରକାରଙ୍କ ଏହି ଯୋଜନା ? ସରଳ ନିରୀହ ଆଦିବାସୀଙ୍କୁ ମିଳୁଛି କି ସରକାରଙ୍କର ଏହି ଯୋଜନାର ସୁଫଳ ?

ମେଡିକାଲ୍ ଓପିଡି ବାହାରେ ରୋଗୀଙ୍କ ଲମ୍ବା ଲାଇନ୍ । ଭିତରେ ରୋଗୀଙ୍କୁ ଦେଖୁଛନ୍ତି ଡାକ୍ତର । ଆବଶ୍ୟକ ଔଷଧ ବି ଲେଖୁଛନ୍ତି । ହେଲେ ପ୍ରେସକ୍ରିପସନରେ ଡାକ୍ତରଙ୍କ ଲେଖା ସ୍ପଷ୍ଟ ଥିଲେ ବି ଖୋଲାଖୋଲି ସରକାରୀ ନିର୍ଦ୍ଦେଶର ଉଲ୍ଲଘଂନ କରାଯାଉଛି । ଏବେବି କ୍ୟାପିଟାଲ୍ ଲେଟରରେ ପ୍ରେସକ୍ରିପସନ୍ ଲେଖୁନାହାଁନ୍ତି ଡାକ୍ତର । ଆଉ ରୋଗୀଙ୍କ ଅଭିଯୋଗ ହେଲା, ଡାକ୍ତର ଲେଖୁଥିବା ଔଷଧ ନିରାମୟ କେନ୍ଦ୍ରରେ ମିଳୁନି, ବାହାରୁ କିଣିବାକୁ ପଡୁଛି ।

ନିୟମ ରହିଛି, କେବଳ ନିରାମୟ କେନ୍ଦ୍ରରେ ମିଳୁଥିବା ଔଷଧ ଡାକ୍ତର ଲେଖିବେ । ଏବଂ ରୋଗୀଙ୍କୁ ବିନା ମୂଲ୍ୟରେ ସେହି ଔଷଧ ଯୋଗାଇ ଦିଆଯିବ । ହେଲେ ନିରାମୟ କେନ୍ଦ୍ରରେ ମିଳୁଥିବା ଔଷଧ ସମୁଦ୍ରକୁ ସଂଖେ । ଥଣ୍ଡା, ଜର, କାଶ ଭଳି ସାଧାରଣ ରୋଗକୁ ଛାଡିଦେଲେ ଗୁରୁତର ରୋଗ ପାଇଁ ଏଠାରେ ଔଷଧ ନାହିଁ । ଆଉ, ଡାକ୍ତର ଲେଖୁଥିବା ଦାମୀ ମେଡିସିନ୍ ମିଳୁଛି ବାହାର ଔଷଧ ଦୋକାନରେ ।

ଏଭଳି ସ୍ଥିତିରେ ରାଜ୍ୟ ସରକାର କହୁଛନ୍ତି ନିରାମୟ ଯୋଜନାରେ ମାଗଣା ଔଷଧ ମିଳୁଛି । ଗରିବ ରୋଗୀ ଏହାର ଫାଇଦା ପାଉଛନ୍ତି । ହେଲେ ନବରଙ୍ଗପୁରର ଏପରି ଘଟଣା ନିରାମୟ ଯୋଜନାର ସଫଳ ରୂପାୟନ ଉପରେ ପ୍ରଶ୍ନ ଉଠାଇଛି ।