ଭିକାରି ମୁକ୍ତ ହେବ ପୁରୀ ସହର : ଆରମ୍ଭ ହେବ ‘ନୀଳାଦ୍ରି ନୀଳୟ’ ଯୋଜନା, ଖୋଲିବ ୮ଟି ପୁନର୍ବାସ କେନ୍ଦ୍ର

342

କନକ ବ୍ୟୁରୋ : ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳକୁ ଭିକାରିମୁକ୍ତ କରାଯିବ । ସମସ୍ତ ଭିକାରିଙ୍କ ପୁନର୍ବାସ ବ୍ୟବସ୍ଥା କରାଯିବ । ମୁଖ୍ୟସ୍ରୋତରେ ସାମିଲ୍‌ ପାଇଁ ଯଥାସମ୍ଭବ ଉଦ୍ୟମ କରାଯିବ। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆରମ୍ଭ କରୁଛି ‘ନୀଳାଦ୍ରି ନୀଳୟ’ ଯୋଜନା । ଏହି ଉପଲକ୍ଷେ  ସଂସ୍କୃତି ଭବନଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ‘ନୀଳାଦ୍ରି ନୀଳୟ’ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ରୂପରେଖର ସମୀକ୍ଷା କରାଯାଇଛି । ବୈଠକରେ ଉପସ୍ଥିତ ସ୍ବେଚ୍ଛାସେବୀମାନେ ଏହି ଯୋଜନାକୁ ସଫଳ କରିବା ପାଇଁ ହାତ ବଢ଼ାଇଛନ୍ତି ।

ଯୋଜନା ସଂପର୍କରେ ସୂଚନା ଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଆରମ୍ଭ ହବାକୁ ଥିବା ଏହି ଯୋଜନାରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଠଟି ‘ନୀଳାଦ୍ରି ନୀଳୟ’ ଭିକାରି ପୁନର୍ବାସ ଗୃହ ଖୋଲିବ। ପ୍ରତ୍ୟେକ ଗୃହରେ ୫୦ଜଣ ଭିକାରିଙ୍କ ରହିବା, ଖାଇବା ପାଇଁ ବ୍ୟବସ୍ଥା କରାଯିବ । ଏଥିସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ । ସେମାନଙ୍କ ପରିବାର ସହ ଯୋଗାଯୋଗ କରି ପୁନଃ ଥଇଥାନର ବ୍ୟବସ୍ଥା କରାଯିବ। ଏଥିପାଇଁ ପୁରୀ ପୌରାଞ୍ଚଳ ତଥା ଆଖପାଖରେ ଭିକାରିମାନଙ୍କୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯିବ ।
ବ୍ୟକ୍ତିଗତ କାଉନସେଲିଂ ପରେ ସେମାନଙ୍କ ପାଇଁ ସ୍ଥିରିକୃତ ‘ନୀଳାଦ୍ରି ନୀଳୟ’ ଗୃହକୁ ପଠାଇବାର ବ୍ୟବସ୍ଥା କରାଯିବ । ଦିବ୍ୟାଙ୍ଗ, ମାନସିକ ଅନଗ୍ରସର, ବୟସ୍କ ଓ କୁଷ୍ଠ ରୋଗୀ ଅବା କୁଷ୍ଠ ରୋଗମୁକ୍ତ ଭିକାରିମାନଙ୍କ ପାଇଁ ସ୍ୱତନ୍ତ୍ର ଗୃହ କାର୍ଯ୍ୟ କରିବ । ଆଗାମୀ ୩ ତାରିଖରୁ ପ୍ରଫୁଲ୍ଲ ଯୋଜନାର ପରାମର୍ଶଦାତାମାନଙ୍କ ତଦାରଖରେ ପୁରୀ ପୌରାଞ୍ଚଳର ୪ଜଣ କମ୍ୟୁନିଟି ଅର୍ଗାନାଇଜ଼ର ଓ ଏହି କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ସହିତ ସହବନ୍ଧିତ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନେଇ ମିଳିତ ଟିମ୍ ଗଠନ କରାଯିବ । ଏହି ଟିମ୍‌ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବସୁଥିବା ଭିକାରିମାନଙ୍କୁ ଚିହ୍ନଟ କରି ସେମାନଙ୍କ ପୁନର୍ବାସର ବ୍ୟବସ୍ଥା କରିବେ । ଏହା ଏକ ବୃହତ ଓ ସମ୍ବେଦନଶୀଳ ଯୋଜନା ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଓ ପୋଲିସ ପ୍ରଶାସନର ସହାୟତା ନିଆଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।