ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା : ଘଣ୍ଟାପ୍ରତି ପ୍ରାୟ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା

Advertisment
ରାଜ୍ୟରେ କାଳବୈଶାଖୀ ସହ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା : ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ‌ଆର‌ସି

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି । ତାପାମାତ୍ରାରେ ବି ବଡ଼ ପରିବର୍ତ୍ତନ ଅନୁଭୂତ ହେଉଛି । ଦୁଇ ଦିନ ତଳେ ୪୦ ଡିଗ୍ରି ଅତିକ୍ରମ କରିଥିବା ୪ ସହରର ପା‌ରଦ ଖସିଛି । ଆଜି କେବଳ ବଲାଙ୍ଗୀରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ବାକି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ତଳେ ରହିଛି । ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷାର ଆଶଙ୍କା ରହିଛି । ଫଳରେ ଏହି ସମୟରେ ରାଜ୍ୟର ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ଅନୁମାନ କରାଯାଉଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଖୁବ୍‌ ଜୋରରେ ପବନ ବହିବ । ଘଣ୍ଟାପ୍ରତି ପ୍ରାୟ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ । ଏଣୁ ଏହି ସବୁ ଜିଲ୍ଲାରେ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ‌କିନ୍ତୁ ୭ ଓ ୮ ତାରିଖ ବେଳକୁ ପବନର ବେଗ କମିବ ।

୭ ତାରିଖରେ ଉପକୂଳ ଓଡ଼ିଶା ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଏବଂ ୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୯ ତାରିଖ ବେଳକୁ ପବନର ବେଗ ବଢ଼ିବ। ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ ଓ ସମ୍ବଲପୁରରେ ଝଡ଼‌ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ରାଜ୍ୟର ତାପମାତ୍ରା ସ୍ଥିର ରହିବ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ାରେ ସର୍ବାଧିକ ୫୪.୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳଗୁଡ଼ିକରେ ଜୋରରେ ପବନ ବହିବା ସହ ଝଡ଼ବର୍ଷା ହୋଇପାରେ। ଏହି ସମୟରେ ତାପମାତ୍ରା ସର୍ବାଧିକ ୩୪ ଡିଗ୍ରି ଓ ସର୍ବନିମ୍ନ ୨୨ ଡିଗ୍ରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe