କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୨୦୨୪ ସଂସ୍କରଣ ଲାଗି ଯୋଗ୍ୟତା ଅର୍ଜନ କରିପାରିନଥିବା ଜିମ୍ବାଓ୍ବେ ଏଥର ଐତିହାସିକ ସଫଳତା ହାସଲ କରି ସୁପର-୮କୁ ଉନ୍ନୀତ ହୋଇଛି। ଶ୍ରୀଲଙ୍କାର ପାଲେକେଲ୍‌ଠାରେ ମଙ୍ଗଳବାର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ ବର୍ଷାଯୋଗୁଁ ବାତିଲ ହେବା ପରେ ଜିମ୍ବାଓ୍ବେ ଗୋଟିଏ ପଏଣ୍ଟ୍‌ ପାଇ ସୁପର-୮କୁ ଯାଇଥିଲା। ତେବେ ଗ୍ରୁପ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ହରାଇବା ଜିମ୍ବାଓ୍ବେ ପାଇଁ ସବୁଠାରୁ ବଡ଼ ସଫଳତା ବୋଲି କୁହାଯାଉଛି । ଏହା ସହିତ ପୂର୍ବରୁ ‘ଜାୟାଣ୍ଟ୍‌ କିଲର୍‌’ ଭାବେ ପରିଚିତ ଥିବା ଜିମ୍ବାଓ୍ବେ ପୁଣି ନିଜ ନାମକୁ ସାର୍ଥକ କରିଛି।

Advertisment

୧୯୮୦ରେ ସ୍ବାଧାନତା ଲାଭ କରିଥିବା ଆଫ୍ରିକୀୟ ଦେଶ ଜିମ୍ବାଓ୍ବେ ୧୯୯୨ରେ ଟେଷ୍ଟ ମାନ୍ୟତା ପାଇଥିଲା। ତାପୂର୍ବରୁ ଏହି ଦେଶ ଆଇସିସିର ଏକ ସହଯୋଗୀ ରାଷ୍ଟ୍ର ଥିଲା। କିନ୍ତୁ ଅଶୀ ଦଶକରେ ବି ଏହି ଦଳ ବିଶ୍ବକପ୍‌ରେ ଶକ୍ତିଶାଳୀ ଦଳଗୁଡ଼ିକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଚାଲିଥିଲା। ୧୯୮୩ ବିଶ୍ବକପ୍‌ରେ ଏହି ଦଳ ଅଷ୍ଟ୍ରେଲିଆକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା। କେବଳ ସେତିକି ନୁହେଁ, ଭାରତକୁ ବି ପ୍ରାୟତଃ ହରାଇ ଦେଇଥିଲା। କିନ୍ତୁ କପିଳ ଦେବଙ୍କ ଐତିହାସିକ ୧୭୫ ରନ ଜରିଆରେ ଭାରତ ସେଥିରୁ ଅଳ୍ପକେ ରକ୍ଷା ପାଇଯାଇଥିଲା। ସେହିପରି ୧୯୯୨ ବିଶ୍ବକପରେ ଜିମ୍ବାଓ୍ବେ ଇଂଲଣ୍ଡକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ୧୯୯୯ ବିଶ୍ବକପ୍‌ରେ ଏହି ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ପରି ଶକ୍ତିଶାଳୀ ଦଳକୁ ପରାସ୍ତ କରିଥିଲା। 

ଆହୁରି ପଢ଼ନ୍ତୁ... ବୃନ୍ଦାବନ ଆଶ୍ରମରେ ବିରାଟ କୋହଲି

ଏହି ବିଶ୍ବକପ୍‌ରେ ଜିମ୍ବାଓ୍ବେ ନିଜ କ୍ରିକେଟ୍‌ ଇତିହାସର ସର୍ବୋତ୍ତମ ପ୍ରଦର୍ଶନ କରି ସୁପର ସିକ୍ସ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ୨୦୦୭ରେ ଆୟୋଜିତ ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବି ଏହି ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ନିଜର ପରମ୍ପରାକୁ ବଜାୟ ରଖିଥିଲା। କିନ୍ତୁ ୨୦୧୦ ଦଶକରେ ଜିମ୍ବାଓ୍ବେ କ୍ରିକେଟ୍‌ ଏକ ଖରାପ ସମୟ ଦେଇ ଗତି କରିଥିଲା। ଦେଶରେ ରାଜନୈତିକ ଅସ୍ଥିରତା, କ୍ରିକେଟ୍‌ ବୋର୍ଡରେ ରାଜନୈତିକ ହସ୍ତକ୍ଷେପ ଓ ବରିଷ୍ଠ ଖେଳାଳିଙ୍କ ସହ ବିବାଦ ଯୋଗୁଁ ଦଳର ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା। ଏପରିକି ୧୦୧୯ରେ ତିନିମାସ ପାଇଁ ଆଇସିସି ଜିମ୍ବାଓ୍ବେର ସଦସ୍ୟତା ରଦ୍ଦ କରିଥିଲା। 

ତେବେ କଟକଣା ଉଠିବା ପରେ ଜିମ୍ବାଓ୍ବେ କ୍ରିକେଟ ପ୍ରଶାସନରେ କେତେକ ସଂସ୍କାର ଅଣାଯାଇଥିଲା ଓ ଘରୋଇ କ୍ରିକେଟ ଉପରେ ଗୁରୁତ୍ବ ପରେ ସ୍ଥିତିରେ ଉନ୍ନତି ଆସିଥିଲା। ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନକୁ ହରାଇ ଦଳ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ତେବେ ୨୦୨୩ରେ ଉଗାଣ୍ଡାଠାରୁ ହାରି ଦଳ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିପାରିନଥିଲା। କିନ୍ତୁ ଚଳିତ ଥର ଅଷ୍ଟ୍ରେଲିଆକୁ ହରାଇ ଓ ସୁପର-୮ ପର୍ଯ୍ୟାୟକୁ ଉନ୍ନୀତ ହୋଇ ସିକନ୍ଦର ରାଜାଙ୍କ ନେତୃତ୍ବାଧୀନ ଏହି ଦଳ ପୁଣି ଥରେ ପ୍ରମାଣ କରିଦେଇଛି ଯେ ପୁରୁଣା ଜିମ୍ବାଓ୍ବେ ଏବେ ପୁଣି ଫେରିଆସିଛି।