କନକ ବ୍ୟୁରୋ: ଗୋଟିଏ ସଂସ୍କରଣ ବ୍ୟବଧାନରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଥିବା ଜିମ୍ବାୱେ ଆଧିପତ୍ୟଭରା ବିଜୟରୁ ତା’ର ଚଳିତ ଅଭିଯାନ ଆରମ୍ଭ କରିଛି । ସୋମବାର ଗ୍ରୁପ୍-ବି’ର ଏକ ମୁକାବିଲାରେ ଏହି ଦଳ ନବାଗତ ଓମାନକୁ ଅତି ସହଜରେ ୮ ୱିକେଟ୍‌ରେ ପରାସ୍ତ କରିଛି । ଦୁଇ କମ୍‌ ଶକ୍ତିଶାଳୀ ଦଳ ମଧ୍ୟରେ ହୋଇଥିବା ଏହି ମୁକାବିଲାରେ ଜିମ୍ବାୱେ ଟସ୍‌ ଜିତି ଓମାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଖେଳାଳିଙ୍କ ହାରାହାରି ବୟସ ଦୃଷ୍ଟିରୁ ଚଳିତ ବିଶ୍ବକପ୍‌ ସବୁଠୁ ବୟସ୍କ ଦଳ ଓମାନକୁ ଜିମ୍ବାୱେ ବୋଲରମାନେ ମାତ୍ର ୧୦୩ ରନ୍‌ରେ ଅଲ୍‌ଆଉଟ୍‌ କରି ଏହି ନିଷ୍ପତ୍ତି ଯେ ପୂରା ଠିକ୍‌ ଥିଲା ତାହା ପ୍ରମାଣିତ କରିଥିଲେ ।

Advertisment

ଏହା ବି ପଢ଼ନ୍ତୁ:ସିକେ ନାୟୁଡ଼ୁ ଟ୍ରଫି: ବେଙ୍ଗଲ୍‌ଠୁ ହାରିଲା ଓଡ଼ିଶା

ଓମାନର ଶୀର୍ଷ ୫ ବ୍ୟାଟର୍‌ ଏକଅଙ୍କରେ ସୀମିତ ରହିବା ମଧ୍ୟ ବିଶ୍ବକପ୍‌ ଇତିହାସର ଅନ୍ୟତମ ଅଲୋଡ଼ା ରେକର୍ଡ ଥିଲା । ଏହି ଦଳ ୨୭ ରନ୍‌ରେ ୫ ୱିକେଟ୍‌ ହରାଇ ଘୋର ସଙ୍କଟରେ ପଡ଼ିଥିଲା ବେଳେ ସୁଫିଆନ ମେହମୁଦ ଓ ବିନାୟକ ଶୁକ୍ଳା ହିଁ ପ୍ରତିପକ୍ଷ ବୋଲରଙ୍କର କିଛିଟା ପ୍ରତିରୋଧ କରିଥିଲେ । ଉଭୟ ଷଷ୍ଠ ୱିକେଟ୍‌ରେ ୩୯ ରନ୍‌ର ଉପଯୋଗୀ ଭାଗୀଦାର ଗଢ଼ିବାରୁ ଓମାନ କଷ୍ଟେମ‌ଷ୍ଟେ ୧୦୦ ରନ୍‌ ପାର ହୋଇଥିଲା । ଶେଷ ଆଡ଼କୁ ନଦୀମ ଖାନ୍‌ ୧୮ ବଲ୍‌ରୁ ୨୦ ରନ୍‌ର ମନୋରଞ୍ଜନ ଭରା ପାଳି ଖେଳିଥିଲେ । ଜିମ୍ବାୱେର ତିନି ପେସର୍‌ ରିଚାର୍ଡ ନଗରଭା, ବ୍ଲେସିଙ୍ଗ୍‌ ମୁଜରବାନି ଓ ବ୍ରାଡ୍‌ ଇଭାନ୍ସ ତିନିଟି ଲେଖାଏଁ ୱିକେଟ୍‌ ନେଇ ଓମାନର ବିପର୍ଯ୍ୟୟ ଘଟାଇଥିଲେ । ଜବାବରେ ଜିମ୍ବାୱେ ଓପନର୍‌ ବ୍ରାଏନ୍‌ ବେନେଟ୍‌ଙ୍କ ଅପରାଜିତ ୪୮ ରନ୍‌ ସହ ବ୍ରାଣ୍ଡନ୍‌ ଟେଲରଙ୍କ ୩୧ ରନ୍‌ ବଳରେ ୧୩.୩ ଓଭରରେ ମାତ୍ର ୨ ୱିକେଟ୍‌ ବିନିମୟରେ ୧୦୬ ରନ୍‌ କରି ସହଜ ବିଜୟ ପାଇଥିଲା । ଟେଲର୍‌ ମାତ୍ର ୪ ରନ୍‌ ପୂର୍ବରୁ ଅବସର ଆହତ ହେବା ଅବଶ୍ୟ ଜିମ୍ବାୱେ ପାଇଁ କିଛିଟା ଚିନ୍ତାଜନକ ଖବର ଥିଲା । ବ୍ଲେସିଙ୍ଗ୍‌ ତାଙ୍କ ଶାଣିତ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ଓମାନ ୧୯.୩ ଓଭରରେ-୧୦୩ (ବିନାୟକ ଶୁକ୍ଳା ୨୮, ସୁଫିୟାନ ମେହମୁଦ ୨୫, ନଦୀମ ଖାନ ୨୦, ବ୍ଲେସିଙ୍ଗ୍‌ ମୁଜରବାନି ୩/୧୬, ରିଚାର୍ଡ ନଗରଭା ୩/୧୭, ବ୍ରାଡ୍‌ ଇଭାନ୍ସ ୩/୧୮) । ଜିମ୍ବାୱେ ୧୩.୩ ଓଭରରେ-୧୦୬/୨ (ବ୍ରାଏନ ବେନେଟ୍‌ ୪୮, ବ୍ରାଣ୍ଡନ ଟେଲର ୩୧, ସୁଫିୟାନ ମେହମୁଦ ୨/୧୨) ।