କନକ ବ୍ୟୁରୋ: ବରଗଡ଼ ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ ଚାଲିଥିବା ସିକେ ନାୟୁଡୁ ଟ୍ରଫିରେ ବେଙ୍ଗଲ ୧୦୨ ରନ୍‌ରେ ଓଡ଼ିଶାକୁ ହରାଇଦେଇଛି । ୨୯୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଓଡ଼ିଶା ଅତି ବେପରୁଆ ବ୍ୟାଟିଂ କରି ୧୯୧ ରନ୍‌ରେ ଅଲ୍‌ଆଉଟ୍‌ ‌ହୋଇଯାଇଥିଲା । ଶ୍ରେୟାଂଶ ଭରଦ୍ବାଜ ସର୍ବାଧିକ ୪୦, ସମ୍ବିତ ବେଜା ୩୧, ସାଇଦୀପ ମହାପାତ୍ର ୨୩, ଦୁଇ ଓପନର ଦୀନେଶ ମାଝୀ ଓ ଓମ୍‌ ମୁଣ୍ଡେ ୧୯ ରନ୍‌ ଲେଖାଏଁ, ସମ୍ବିତ ବରାଳ ୧୮, ଅଭିଷେକ ସିଂହ ୧୫ ରନ୍‌ କରିଥିଲେ । ବେଙ୍ଗଲ ପକ୍ଷରୁ ଇର୍ସାଦ ଆଲମ ଓ ରୋହିତ ୫ଟି ଲେଖାଏଁ ୱିକେଟ୍‌ ନେଇ ବେଙ୍ଗଲକୁ ବିଜୟ ଦେଇଥିଲେ । ଗତକାଲିର ସ୍କୋର୍‌ ୧୩୫/୩ରୁ ଖେଳ ଆରମ୍ଭ କରିଥିବା ବେଙ୍ଗଲ ଏଥିରେ ୧୩୬ ରନ୍‌ ଯୋଡ଼ି ୨୭୧/୯ରେ ପାଳି ଘୋଷଣା କରିଥିଲା । ଆୟୁଷ ସିଂହ (୧୨୯) ଶତକ ଅର୍ଜନ କରିଥିଲେ ।

Advertisment

ଏହା ବି ପଢ଼ନ୍ତୁ: ୟୁ' ଟର୍ଣ୍ଣ ମାରିଲା ପାକିସ୍ତାନ, ଫେବ୍ରୁଆରି ୧୫ରେ ଭାରତ ସହ ଖେଳିବ

ଓଡ଼ିଶାର ଓମ୍‌ ଟି ମୁଣ୍ଡେ ୫ ୱିକେଟ୍‌ ସଫଳତା ପାଇଥିଲା ବେଳେ ସମ୍ବିତ ବରାଳ ୩ ଓ ବାଦଲ ବିଶ୍ଵାଳ ଗୋଟିଏ ୱିକେଟ୍‌ ନେଇଥିଲେ । ପ୍ରଥମ ପାଳିରେ ବେଙ୍ଗଲ ୩୪୩ ଏବଂ ଓଡ଼ିଶା ୩୨୧ ରନ୍‌ କରିଥିଲା । ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା କ୍ରିକେଟ୍‌ ସଂଘ ପକ୍ଷରୁ ପୂର୍ବତନ ଭାରତୀୟ ଖେଳାଳି ତଥା ବେଙ୍ଗଲ ଦଳର ଅନ୍ୟତମ କୋଚ ଉତ୍ପଳ ଚାଟାର୍ଜୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା କ୍ରିକେଟ୍‌ ସଂଘର ପୂର୍ବ ସଭାପତି ଅରୁଣ ମହାନ୍ତି, ପୂର୍ବତନ ଉପସଭାପତି ପ୍ରଭାତାଦିତ୍ୟ ମିଶ୍ର, ପ୍ରାକ୍ତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ସମ୍ପାଦକ ରବି ପଣ୍ଡା, କୋଷାଧ୍ୟକ୍ଷ ଅମିୟ ଭୂଷଣ ସାହୁ, ପ୍ରଦୀପ ନନ୍ଦ, ଗୁରୁଦତ୍ତ ଦାସ, ରଜତ ଦାଶଙ୍କ ସହ କ୍ରିଷ୍ଣା ବିକାଶ ସ୍କୁଲ୍‌ର କ୍ରୀଡ଼ା ଅଧିକାରୀ ପୀତାମ୍ବର ପ୍ରଧାନ, କୋଚ୍ ଅଶୋକ ସିଂହ, ସହକାରୀ ପ୍ରଶିକ୍ଷକ ରୂପକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।