କନକ ବ୍ୟୁରୋ : ଭୋଟ୍ ଦେଉଛି ବିହାର । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଭାରତୀୟ ସମ୍ବିଧାନ ଆମ ଦେଶର ନାଗରିକକୁ ନିଜ ନେତା ବାଛିବାର ଅଧିକାର ଦେଇଛି । ହେଲେ ଜଣେ ନେତା ଯଦି କାମ କରିବାରେ ଫେଲ୍ ମାରେ, ତେବେ ସାଧାରଣ ଲୋକଟିଏ କଣ କରିବ? ପ୍ରତ୍ୟେକ ଥର ନିର୍ବାଚନ ସମୟରେ ନେତାମାନେ ଲୋକଙ୍କ ପାଖକୁ ଯାଆନ୍ତି, ଆଉ ଅନେକ ଗୁଡ଼ିଏ ପ୍ରତିଶ୍ରୁତି ଦିଅନ୍ତି । ହେଲେ ନିର୍ବାଚନ ସରିବା ସହ ସେହି ପ୍ରତିଶ୍ରୁତିକୁ ଭୁଲିଯାଆନ୍ତି ନେତା । ଆଉ ଯାହାର ଫଳସ୍ୱରୂପ ଲୋକଙ୍କ ମନରେ କ୍ରୋଧ ଜନ୍ମେ, ଆଉ ଅନେକ ସମୟରେ ଲୋକମାନେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନିଅନ୍ତି ।

Advertisment

ତେବେ ଆମେ ଆପଣଙ୍କୁ ଏତେ କଥା କହିବାର କାରଣ ହେଉଛି, ଆଜି ବିହାରରେ ମତଦାନ ପ୍ରକ୍ରିୟା ଜାରି ରହିଥିବାବେଳେ, ଦିନ ୧୨ଟା ପରେ ବି ୪ଟି ବୁଥରେ ଗୋଟିଏ ବି ଭୋଟ୍ ପଡ଼ିନି । ଯାହାକି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବିଲୁକୁଲ୍ ଭୋଟ୍ ପଡ଼ିନି ଏହି ଜାଗାରେ 

ବିହାରର ଦରଭଙ୍ଗା ଜିଲ୍ଲାର କୁଶେଶ୍ୱରସ୍ଥାନ ବିଧାନସଭା ନିର୍ବାଚନମଣ୍ଡଳୀର ସୁଘରାଇନ ପଞ୍ଚାୟତରେ ଆଜି ଭୋଟଦାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଗ୍ରାମବାସୀମାନେ କ୍ରମାଗତ ଅବହେଳା ଏବଂ ରାସ୍ତା ନିର୍ମାଣ ଅଭାବର ପ୍ରତିବାଦରେ ଭୋଟଦାନ ପ୍ରକ୍ରିୟାକୁ ବର୍ଜନ କରିଛନ୍ତି । ତେବେ ଗ୍ରାମବାସୀଙ୍କ ପ୍ରତିବାଦ ଏତେ ତୀବ୍ର ଥିଲା ଯେ ବୁଥ ନମ୍ବର ୨୮୪, ୨୮୫, ୨୮୬ ଏବଂ ୨୮୭ରେ ଗୋଟିଏ ବି ଭୋଟ୍ ପଡ଼ିନି ।

ଆହୁରି ପଢ଼ନ୍ତୁ : ‘ତାଓ୍ୱାରୁ ରୁଟି ଓଲଟିବା ଦରକାର, ନହେଲେ ଜଳିଯିବ’ : ବିହାରରେ ସରକାର ବଦଳାଇବାଙ୍କୁ ଲାଲୁଙ୍କ ଅପିଲ୍

କାହିଁକି ଭୋଟ ପଡ଼ିନି ?

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ସେମାନେ ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ଦାବି କରିଆସୁଛନ୍ତି, କିନ୍ତୁ ସରକାର ଏବଂ ଜନପ୍ରତିନିଧିଙ୍କ ଦ୍ୱାରା ଲଗାତାର ଅବହେଳା ଯୋଗୁଁ ସେମାନେ କ୍ଷୁବ୍ଧ ଅଛନ୍ତି । ଫଳସ୍ୱରୂପ, ସମଗ୍ର ଗାଁ ସର୍ବସମ୍ମତି ଭାବରେ ଭୋଟ୍ ବର୍ଜନ କରିଛି। ଗାଁ ଲୋକେ ଚେତାବନୀ ଦେଇଛନ୍ତି ଯେ ରାସ୍ତା ନିର୍ମାଣ ସମ୍ପର୍କରେ ଏକ ଠୋସ୍ ଘୋଷଣା ନହେବା ପର୍ଯ୍ୟନ୍ତ ସେମାନେ ସେମାନଙ୍କର ଗଣତାନ୍ତ୍ରିକ ପ୍ରତିବାଦ ଜାରି ରଖିବେ। ତେବେ ପ୍ରଶାସନ ପରିସ୍ଥିତିକୁ ବୁଝି ସମାଧାନ ପାଇଁ ଆଲୋଚନା କରିବାକୁ ପ୍ରୟାସ କରୁଛି । 

ଆହୁରି ପଢ଼ନ୍ତୁ : ଛାଡ଼ଖାଇର ପ୍ରକୃତ ଅର୍ଥ କଣ ? ଏହିଦିନ ଆମିଷ ଖାଇବା କଥା ନା ନାହିଁ?

ବିହାରରେ ଆଜି ନେତାଙ୍କ ଭାଗ୍ୟ ପରୀକ୍ଷା

ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡୁଛି । ଯେଉଁଥିରେ କି ବିହାରର ନେତା ବାଛୁଛନ୍ତି ଜନତା । ତେବେ ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହେବା ସହିତ ନଭେମ୍ବର ୧୪ରେ ଆସିବ ରେଜଲ୍ଟ । ଯାହାକି ବିହାରର ଭାଗ୍ୟ ନିର୍ଦ୍ଧାରଣ କରିବ । ଖାସ୍ କରି ଏଥର କାହା ସପକ୍ଷରେ ଜନମତ ଯିବ, ତାକୁ ସମସ୍ତେ ଚାହିଁ ବସିଛନ୍ତି । ଗୋଟିଏ ପଟେ ଏନଡିଏ ସତ୍ତା ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରୁଛି, ଅନ୍ୟପଟେ ମହାମେଣ୍ଟ ସରକାରକୁ ଫେରିବାକୁ ଗଣିତ କଷୁଛି । ତେଣୁ ଏହି ଲଢ଼େଇ ଭିତରେ ବିହାରର ଭୋଟର କାହାକୁ ନିଜର ନେତା ବାଛୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କର ନଜର ।