କନକ ବ୍ୟୁରୋ: ଯାତ୍ରା ଦୁନିଆ ଚର୍ଚ୍ଚିତ ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ସ୍ୱାମୀକୁ ଉଠେଇନେଲା ପୁଲିସ୍ । ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ପୁଲିସ ଏବେ ଆକ୍ସନ ମୋଡ଼ରେ । ମିଳିଥିବା ସୂଚନା ଅନୁସାରେ, ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତ ସିଂହାରଙ୍କୁ ପୁଲିସ ଉଠାଇନେଇଛି । ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଅଭିଯୋଗ ପରେ ପୁଲିସ ତାଙ୍କ ସ୍ୱାମୀ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । 

Advertisment

ସୋନାଲି-ଶ୍ରୀକ୍ଷେତ୍ରଙ୍କ ଭିତରେ ଦୀର୍ଘ ୪ ମାସ ଧରି ବିବାଦ ରହିଆସିଛି । ଦୁହେଁ ସ୍ୱାମୀ-ସ୍ତ୍ରୀ ପରସ୍ପରଙ୍କ ଉପରେ ଅଭିଯୋଗ ପରେ ଅଭିଯୋଗ କରି ଆସୁଛନ୍ତି । ହେଲେ ସୋନାଲି ପଣ୍ଡା ପୂର୍ବରୁ ମଧ୍ୟ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଆଉ ସୋନାଲିଙ୍କ ଅଭିଯୋଗ ପରେ ଏବେ ଶ୍ରୀକ୍ଷେତ୍ରଙ୍କ ବିରୁଦ୍ଧରେ ଲାଗିଛି ପକସୋ ଆକ୍ଟ ଭଳି ସଙ୍ଗିନ ଦଫା । 

ଆହୁରି ପଢ଼ନ୍ତୁ... ବର୍ଦ୍ଧିତ ଦରମାକୁ ନବୀନଙ୍କ ‘NO’: କଂଗ୍ରେସ କହିଲା, ପଲିଟିକାଲ୍ ଷ୍ଟଣ୍ଟ୍

ଗତ ଅଗଷ୍ଟରେ ସୋନାଲିଙ୍କ ଯେଉଁ ଅଭିଯୋଗ ବଳରେ ଶ୍ରୀକ୍ଷେତ୍ରଙ୍କୁ ପୁଲିସ ଏବେ ଗିରଫ କରିଛି । ତାହାର ଏକ୍ଲୁସିଭ ଏଫ୍ ଆଇ ଆର୍ କପି ଲାଗିଛି କନକ ନ୍ୟୁଜ ହାତରେ । ମାତ୍ର ୧୫ ବର୍ଷ ବୟସରୁ ଜୋର୍ ଜବରଦସ୍ତି ବିବାହ, ଶାରୀରିକ ସମ୍ପର୍କ ଆଉ ତା ପରେ ଗର୍ଭପାତ ଭଳି ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ସୋନାଲି ପଣ୍ଡା । ଆଉ ନାବାଳିକାକୁ ଶୋଷଣ ଅଭିଯୋଗରେ ଏବେ ସ୍ଵାମୀଙ୍କ ନାଁରେ ଲାଗିଛି ଦଫା । 

ଆପଣ ଭଲ ଭାବେ ମନେ ରଖିଥିବେ । ସ୍ୱାମୀ ଓ ପୁଅକୁ ଛାଡ଼ି ତୁଳସୀ ଗଣନାଟ୍ୟ ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳଙ୍କ ପାଖରେ ପତ୍ନୀ ସୋନାଲି ରହୁଛନ୍ତି ବୋଲି ତାଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ଅଭିଯୋଗ କରିଆସୁଛନ୍ତି । ହେଲେ ଏହି ଅଭିଯୋଗକୁ ତୁଳସୀ ଗଣନାଟ୍ୟ ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓ ଯାତ୍ରା ପାର୍ଟିର ଅଭିନେତ୍ରୀ ସୋନାଲି ପଣ୍ଡା ଖଣ୍ଡନ କରିଆସୁଛନ୍ତି । ତେବେ କିଛି ମାସ ତଳେ ସୋନାଲି ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ଏବେ ପୁଲିସ ତାଙ୍କ ସ୍ୱାମୀଙ୍କୁ ଉଠେଇ ନେଇଛି ।