କନକ ବ୍ୟୁରୋ: ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିବା ପରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉଁତା । କହିଛନ୍ତି, ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନ ନେବା ବିଜେଡିର ଦୋମୁଁହା ନୀତି। ଯେତେବେଳେ ବିଧାନସଭାରେ ବିଲ୍ ପାରିତ ହେଉଥିଲା, ସେତେବେଳେ ବିଜେଡି ଦଳର ସବୁ ସଦସ୍ୟ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ସମସ୍ତେ ଉପସ୍ଥିତ ରହି ଦରମା ବୃଦ୍ଧି ବିଲକୁ ସମର୍ଥନ କରିଥିଲେ। ହେଲେ ଏବେ ପଲିଟିକାଲ୍ ଷ୍ଟଣ୍ଟ ପାଇଁ ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନେବି ନାହିଁ ବୋଲି କହୁଛନ୍ତି ।

Advertisment

ଆହୁରି ପଢ଼ନ୍ତୁ : ‘ନବୀନ ବାବୁ ବହୁତ ଧନୀ, ତାଙ୍କର ଦରମା ଦରକାର ନାହିଁ’

କଂଗ୍ରେସ ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନଙ୍କ ପାଖରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଅଛି। ସେ  ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଓ ତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ସେହି କାରଣରୁ ସେ ଦରମା ନେଇ ନ ପାରନ୍ତି।  ପୂର୍ବତନ ବିଧାୟକମାନେ ଯେଉଁ ସମସ୍ୟାରେ ବଞ୍ଚୁଥିଲେ ସେମାନଙ୍କ ପାଇଁ ଏହା ଏକ ବରଦାନ ସଦୃଶ । ନବୀନ ବାବୁ ଦୋମୁହାଁ ନୀତି ନ କରି  ଯାହା ସରକାର କରିଛନ୍ତି ତାକୁ ସ୍ୱାଗତ କଲେ ଭଲ ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉଁତା । ଗୋଟିଏ ପଟେ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବି ନାହିଁ କହୁଛନ୍ତି ହେଲେ ତାଙ୍କ ଦଳ ବିଲକୁ ସମର୍ଥନ ଦେଇଛି। ତାଙ୍କ ଦଳର ନେତା କହୁଛନ୍ତି ଦରମା ବଢ଼ିବା ଠିକ୍ ହୋଇଛି। ତାଙ୍କ ଦଳ ଭିତରେ ଏହାକୁ ନେଇ ମିସ୍ କମ୍ୟୁନିକେସନ୍ ରହୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

କଂଗ୍ରେସ ବିଧାୟକଙ୍କ ପୂର୍ବରୁ ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଥିଲେ, ନବୀନ ବାବୁ ବହୁତ ଧନୀ ଲୋକ। ତାଙ୍କର ଦରମା ଆବଶ୍ୟକତା ନାହିଁ। ସେ ସେଥିପାଇଁ ଦରମା ମନା କରିଥିବେ। ତାଙ୍କ ବାପା  ବିଜୁ ପଟ୍ଟନାୟକ ମଧ୍ୟ ଦରମା ନେଇନଥିଲେ। ଏସବୁ ଡ୍ରାମା, ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନ ବାବୁ ନିଜେ ଯେମିତି ଦରମା ନେବାକୁ ମନା କଲେ, ସେମିତି ଦଳର ବିଧାୟକଙ୍କ ପାଇଁ ବି ଏହା ଲାଗୁ କରିଥିଲେ ଭଲ ହେଇଥାନ୍ତା । ତା ସହିତ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ବିଧାୟକଙ୍କ ଦରମା ବଢ଼େଇବାକୁ ନିଜେ ଦାବି କରିଥିଲେ । ଆଉ ଏଥିରେ ନବୀନଙ୍କର ମଧ୍ୟ ସମର୍ଥନ ଥିଲା । ଏମିତି କି ଯେଉଁଦିନ ବିଲ୍ ବିଧାନସଭାରେ ପାସ୍ ହେଲା, ସେଦିନ ନବୀନ ବିଧାନସଭାରେ ରହି ଏହାର ବିରୋଧ ବି କରିପାରିଥାନ୍ତେ ବୋଲି କହିଛନ୍ତି ଜୟ ନାରାୟଣ । ଯାହାକୁ ନେଇ ସରଗରମ ହୋଇଛି ଓଡ଼ିଶା ପଲିଟିକ୍ସ ।

ଏପଟେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି,  ବିଜେଡି ବିଧାୟକ ଦରମା ଛାଡିବା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛି ବି ନିର୍ଦ୍ଦେଶ ଦେଇନାହାଁନ୍ତି । ବିଜେଡି ଏହି ବିଲକୁ ସମର୍ଥନ କରିଛି, ତେଣୁ ବିରୋଧ କରିବାର ପ୍ରଶ୍ନ ଉଠୁନି । ହେଲେ ଯେଉଁ କଥା ଚର୍ଚ୍ଚା ହେଉଛି ସେହି କଥା କିନ୍ତୁ ସତ ନୁହେଁ । ଦରମା ବଢ଼ିନି, ବରଂ ଅନ୍ୟ ସବୁ ଖର୍ଚ୍ଚ ବଢ଼ିଛି । ଦରମା ବଢ଼ାଯିବା ନିଷ୍ପତିକୁ ଯଥାର୍ଥ ବୋଲି କହିବା ସହିତ ବିଜେଡି ଏନେଇ ଦାବି କରୁଥିଲା, ଆଉ ଏହି ବିଲକୁ ବିଜେଡି ସମର୍ଥନ କରିଛି ବୋଲି କହିଛନ୍ତି ଗଣେଶ୍ୱର ବେହେରା ।

ସୂଚନାଯୋଗ୍ୟ ଯେ, ବିଧାନସଭାରେ ବିଧାୟକଙ୍କ ଦରମା ବଢାଇବା ନେଇ ବିଲ୍ ପାସ୍ ହୋଇସାରିଛି । ହେଲେ ତାହାରି ଭିତରେ କିନ୍ତୁ ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ବର୍ଦ୍ଧିତ ଦରମା ନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଦେଇଛନ୍ତି । ଏହି ଟଙ୍କାକୁ ଗରିବ ଲୋକଙ୍କ ହିତରେ ଖର୍ଚ୍ଚ କରିବାକୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।