କନକ ବ୍ୟୁରୋ : ଭାରତରେ ଜମିବ ବିଶ୍ୱର ସବୁଠାରୁ ବଡ଼ ଏଆଇ ମହାକୁମ୍ଭ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ‘ଇଣ୍ଡିଆ ଏଆଇଇମ୍ପାକ୍ଟ ସମିଟ୍ ୨୦୨୬’। ସମ୍ମିଳନୀରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍, ଗୁଗଲ୍ ସିଇଓ ସୁନ୍ଦର ପିଚାଇ ଏବଂ ଓପନ୍ ଏଆଇର ସାମ୍ ଅଲ୍ଟମ୍ୟାନଙ୍କ ଭଳି ଦିଗ୍ଗଜ ବ୍ୟକ୍ତି ସାମିଲ ହେବେ। ଭାରତର ବୈଷୟିକ ଦକ୍ଷତା ପ୍ରଦର୍ଶନ ପାଇଁ ଏହା ଏକ ବଡ଼ ମଞ୍ଚ ସାଜିଥିବାବେଳେ, ପ୍ରଧାନମନ୍ତ୍ରୀ ମୋଦୀ ଏହାର ଶୁଭାରମ୍ଭ କରିବେ।
ଭାରତରେ ଏ୍ରଆଇ ମହାକୁମ୍ଭ। କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ଆଜି ବିଶ୍ୱର କେନ୍ଦ୍ରବିନ୍ଦୁ ପାଲଟିଛି। ଫେବୃଆରୀ ୧୬ରୁ ୨୦ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ହେଉଛି 'ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬'। ଏହା ଏହି ଶିଖର ସମ୍ମିଳନୀର ଚତୁର୍ଥ ସଂସ୍କରଣ ଏବଂ ଏପର୍ୟ୍ୟନ୍ତର ସବୁଠାରୁ ବଡ଼ ଆୟୋଜନ ବୋଲି କୁହାଯାଉଛି। ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ବିଶ୍ୱର ପ୍ରାୟ ୨୦ରୁ ଅଧିକ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ୪୫ରୁ ଅଧିକ ଦେଶର ମନ୍ତ୍ରୀ ପ୍ରତିନିଧି ମଣ୍ଡଳୀ ଯୋଗଦେବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ଏହି ସମ୍ମିଳନୀରେ ସାମିଲ ହେବା ପାଇଁ ଭାରତ ଗସ୍ତ କରୁଛନ୍ତି। ତାଙ୍କ ସହିତ ଗୁଗଲର ସିଇଓ ସୁନ୍ଦର ପିଚାଇ, ଓପନ୍ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ଏବଂ ଏନଭିଡିଆର ଜେନସେନ୍ ହୁଆଙ୍ଗଙ୍କ ଭଳି ପ୍ରଯୁକ୍ତିବିଦ୍ୟା ଦୁନିଆର ମହାରଥୀମାନେ ଦିଲ୍ଲୀରେ ଏକାଠି ହେବେ।
ଅଧିକ ପଢ଼ନ୍ତୁ :୩ ଘଣ୍ଟାରେ ହଟିବ ଡିପଫେକ୍ କଣ୍ଟେଣ୍ଟ୍ : ଏଆଇ ଉପରେ କେନ୍ଦ୍ରର କଡା ନିୟମ
ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଆଇର କ୍ଷୀପ୍ର ଅଭିବୃଦ୍ଧି ସହିତ ଜଡ଼ିତ ସୁଯୋଗ ଏବଂ ଏହାର ବିପଦଗୁଡ଼ିକର ସମୀକ୍ଷା କରିବା। ଏଥିରେ 'ପିପୁଲ୍, ପ୍ଲାନେଟ୍ ଏବଂ ପ୍ରଗତି' ଭଳି ତିନୋଟି ମୂଳ ସୂତ୍ର ଉପରେ ଆଲୋଚନା କରାଯିବ। ଭାରତର ଶିଳ୍ପପତି ମୁକେଶ ଅମ୍ବାନୀ, ଏନ୍. ଚନ୍ଦ୍ରଶେଖରନ୍ ଏବଂ ନନ୍ଦନ ନିଲେକାନି ମଧ୍ୟ ଏହି ବିଶ୍ୱସ୍ତରୀୟ ମଞ୍ଚରେ ନିଜର ମତ ରଖିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଆଇ ସମ୍ମିଳନୀକୁ ଉଦଘାଟନ କରିବା ସହ ବିଶ୍ୱର ଶୀର୍ଷ ସିଇଓମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଏହି ସମ୍ମିଳନୀ ମାଧ୍ୟମରେ ଭାରତରେ ପ୍ରାୟ ୧୦୦ ବିଲିୟନ ଡଲାରର ନୂତନ ପୁଞ୍ଜିନିବେଶ ଆସିବାର ସମ୍ଭାବନା ରହିଛି, ଯାହା ଦେଶର ବୈଷୟିକ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/14/13a-2026-02-14-22-19-24.jpg)