କନକ ବ୍ୟୁରୋ : ସୁପ୍ରିମକୋର୍ଟ ମେଟା ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି ସ୍ପଷ୍ଟ କରିଛନ୍ତି ଯେ, ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଲୋକଙ୍କ ଗୋପନୀୟତା ସହିତ ହେରଫେରକୁ ଏହା ସହ୍ୟ କରାଯିବ ନାହିଁ । ବାଣିଜ୍ୟିକ ଲାଭ ପାଇଁ ଡାଟା ସେୟାରିଂର ବ୍ୟବହାରକୁ କୋର୍ଟ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି । ସୁପ୍ରିମକୋର୍ଟ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ତଥ୍ୟ ସେୟାରିଂ ମାମଲାର ଶୁଣାଣି କରି ମେଟାକୁ କଡ଼ା ଭର୍ତ୍ସନା କରିଛନ୍ତି । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି, ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନାର ବାଣିଜ୍ୟିକ ବ୍ୟବହାରକୁ ଅନୁମତି ଦିଆଯିବ ନାହିଁ । ଶୁଣାଣି ସମୟରେ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି ଯେ,ଏହି ଅଦାଲତ ଜନସାଧାରଣଙ୍କ ପାଇଁ, କୋଟି କୋଟି ଟଙ୍କା ମୂଲ୍ୟର କୌଣସି ଅନ୍ତର୍ଜାତୀୟ ନିଗମ ପାଇଁ ନୁହେଁ । କୋର୍ଟ ଗୁରୁତ୍ୱାରୋପ କରିଛନ୍ତି, ନାଗରିକଙ୍କ ଗୋପନୀୟତା ଏକ ମୌଳିକ ଅଧିକାର । ଏହା ସହିତ କୌଣସି ପ୍ରକାର ସାଲିସ୍ କରାଯାଇପାରିବ ନାହିଁ ।

Advertisment

ଜଟିଳ ଓ ଚତୁର ନିୟମ

ଶୁଣାଣି ସମୟରେ, ସିଜେଆଇ ସୂର୍ଯ୍ୟକାନ୍ତ ମେଟାର କାର୍ଯ୍ୟଶୈଳୀ ଓ ସର୍ତ୍ତାବଳୀ ବିଷୟରେ କଡ଼ା ପ୍ରଶ୍ନ ଉଠାଇଥିଲେ । ସେ ମେଟାକୁ ପଚାରିଥିଲେ ଯେ, ତଥ୍ୟ ସେୟାର କରିବାକୁ ଚାହୁଁନଥିବା ବ୍ୟବହାରକାରୀଙ୍କ ପାଇଁ ଅପ୍ଟ-ଆଉଟ୍ ବିକଳ୍ପ ପ୍ରଦାନ କରିବେ କି ? ଏକ ବ୍ୟବହାରିକ ଉଦାହରଣ ଦେଇ ଏହି ପ୍ରକ୍ରିୟାର ଜଟିଳତା ଉପରେ ପ୍ରଶ୍ନ ଉଠାଇ ସେ ପଚାରିଥିଲେ, ରାସ୍ତା ପାର୍ଶ୍ୱରେ ଫଳ ବିକ୍ରୟ କରୁଥିବା ଜଣେ ସରଳ ମହିଳା ଏହି କଷ୍ଟକର ନିୟମ ଓ ସର୍ତ୍ତାବଳୀ କିପରି ବୁଝିପାରିବେ ? କୋର୍ଟ କହିଛନ୍ତି,ମେଟାର ଶବ୍ଦଗୁଡ଼ିକ କଷ୍ଟକର ଓ ଜଟିଳ ଭାଷାରେ ଲେଖାଯାଇଛି । ଆଇନ ବିଶେଷଜ୍ଞମାନେ ମଧ୍ୟ ସେଗୁଡ଼ିକୁ ସହଜରେ ବୁଝିପାରିବେ ନାହିଁ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, କୋର୍ଟ ଏହାକୁ ଏକ ପ୍ରକାରର ପାଇରେସି ବୋଲି କହିଛନ୍ତି । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି, ଏହାକୁ ଅନୁମତି ଦିଆଯିବ ନାହିଁ । କୋର୍ଟ କହିଛନ୍ତି, ବ୍ୟବହାରକାରୀମାନେ ଏହି ଆପ୍ସ ପ୍ରତି ଆଶକ୍ତ ହୋଇଗଲେଣି । ତେଣୁ କମ୍ପାନି ଏହି ବାଧ୍ୟବାଧକତାର ସୁଯୋଗ ନେଉଛି ।

ଅଧିକ ପଢ଼ନ୍ତୁ---ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଆମେ ମଧ୍ୟସ୍ଥି ନୁହଁ: ବିବାଦରୁ ନିଜକୁ ଦୂରେଇ ରଖିଲା ରୁଷ

ଭାରତୀୟଙ୍କୁ ଶିକାର କରାଯାଇପାରିବ ନାହିଁ

କୋର୍ଟ ଚିନ୍ତା ପ୍ରକାଶ କରି କହିଛନ୍ତି, ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ତଥ୍ୟ ପୂର୍ବରୁ ଅପବ୍ୟବହାର କରାଯାଇଛି । ଶୁଣାଣି ସମୟରେ, ମେଟାର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ଅଖିଲ ସିବଲ ଯୁକ୍ତି ଦେଇଥିଲେ ଯେ, ବାଣିଜ୍ୟିକ ଉଦ୍ଦେଶ୍ୟ ପାଇଁ ସୀମିତ ତଥ୍ୟ ସେୟାରିଂକୁ ଅନୁମତି ଦିଆଯାଇପାରିବ । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏହାର କଡ଼ା ଜବାବ ଦେଇ କହିଥିଲେ, ଯଦି ଆପଣ ତଥ୍ୟର କୌଣସି ଅଂଶ ବିକ୍ରୟ ଯୋଗ୍ୟ ପାଆନ୍ତି, ତେବେ ଆପଣ ତାହାକୁ ବିକ୍ରୟ କରିବେ। ଭାରତୀୟ ଗ୍ରାହକମାନେ ସ୍ୱରହୀନ। ସେମାନଙ୍କର କୌଣସି ସ୍ୱର ନାହିଁ । ଏଭଳିସ୍ଥଳେ ଆପଣ ସେମାନଙ୍କର ଶିକାର କରିପାରିବେ ନାହିଁ। କୋର୍ଟ ସ୍ପଷ୍ଟ କରିଛନ୍ତି, ତଥ୍ୟ ସୁରକ୍ଷା କେବଳ ଏକ ନୀତିଗତ ପ୍ରସଙ୍ଗ ନୁହେଁ, ବରଂ ଲକ୍ଷ ଲକ୍ଷ ଭାରତୀୟଙ୍କ ଅଧିକାରର ବିଷୟ । ଯାହାକୁ କୌଣସି ଅନ୍ତର୍ଜାତୀୟ କମ୍ପାନିର ଲାଭ ପାଇଁ ବଳିଦାନ ଦିଆଯାଇପାରିବ ନାହିଁ ।

ଆମ ସମ୍ବିଧାନକୁ ଅନୁସରଣ ନକଲେ ଦେଶ ଛାଡିଦିଅ

ଶୁଣାଣି ସମୟରେ ଖଣ୍ଡପୀଠ ଏକ କଡ଼ା ଟିପ୍ପଣୀ ଦେଇ କହିଛନ୍ତି, ତଥ୍ୟ ସେୟାରିଂ ନାମରେ ଦେଶର ଗୋପନୀୟତାକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ । କୋର୍ଟ କହିଛନ୍ତି, କମ୍ପାନିଗୁଡ଼ିକର ଗୋପନୀୟତା ସର୍ତ୍ତାବଳୀ ଏତେ ଜଟିଳ ଓ ଚତୁର ଯେ, ସାଧାରଣ ବ୍ୟକ୍ତି ସେଗୁଡ଼ିକୁ ସହଜରେ ବୁଝିପାରିବେ ନା ହିଁ। ଯାହା ବ୍ୟକ୍ତିଗତ ସୂଚନା ପାଇବାର ଏକ ବୈଧ ଉପାୟ ପାଲଟିଛି। ପ୍ରଧାନ ବିଚାରପତି କହିଛନ୍ତି, ଯଦି ଆପଣ ଆମର ସମ୍ବିଧାନକୁ ଅନୁସରଣ କରିପାରିବେ ନାହିଁ, ତେବେ ଭାରତ ଛାଡିଦିଅନ୍ତୁ । ଆମେ ନାଗରିକଙ୍କ ଗୋପନୀୟତାକୁ କ୍ଷୁର୍ଣ୍ଣ ହେବାକୁ ଦେବୁ ନାହିଁ ।