କନକ ବ୍ୟୁରୋ : ଭାରତ-ପାକିସ୍ତାନ ବିବାଦରୁ ରୁଷ ନିଜକୁ ଦୂରେଇ ରଖିଛି । ଦିଲ୍ଲୀ ଓ ଇସଲାମାବାଦ ସେମାନଙ୍କର ସମସ୍ୟାଗୁଡ଼ିକୁ ପୂର୍ବ ସିମଲା ଚୁକ୍ତି ତଥା ଲାହୋର ଘୋଷଣାନାମା ଅନୁଯାୟୀ ସମାଧାନ କରିବାକୁ କହିଛି । ରୁଷ ସ୍ପଷ୍ଟ କରିଛି, ଆମେ ଭାରତ ଓ ପାକିସ୍ତାନ ଅବା ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମାଧାନ ପାଇଁ ମଧ୍ୟସ୍ଥତା କରୁନାହୁଁ। ରୁଷ ସରକାର କହିଛନ୍ତି, ଯଦି କୌଣସି ପକ୍ଷ ଅନୁରୋଧ କରନ୍ତି ତେବେ ଆମେ ସହାୟତା କରିବାକୁ ପ୍ରସ୍ତୁତ। ତେବେ ବର୍ତ୍ତମାନ ଏପରି କୌଣସି ପ୍ରକ୍ରିୟା ନାହିଁ । ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକାଂଶ ସମୟ ଉତ୍ତେଜନାପୂର୍ଣ୍ଣ ରହିଛି । ସେହିପରି ଆଫଗାନିସ୍ତାନ ସହିତ ପାକିସ୍ତାନର ସମ୍ପର୍କ ମଧ୍ୟ ବର୍ତ୍ତମାନ ତିକ୍ତ ହେବା‌ରେ ଲାଗିଛି । ରୁଷ ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭଙ୍କୁ ପଚରାଯାଇଥିଲା ଯେ, ପାକିସ୍ତାନ, ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବାରେ ମଧ୍ୟସ୍ଥତାର ଭୂମିକାକୁ ରୁଷ କିପରି ଦେଖେ । ଏହାର ଉତ୍ତରରେ ରୁଷ ବୈଦେଶିକ ମନ୍ତ୍ରଣାଳୟ କହିଛି, ରୁଷ ଏହି ଦେଶଗୁଡ଼ିକ ମଧ୍ୟରେ ମଧ୍ୟସ୍ଥତା ଭାବରେ କାର୍ଯ୍ୟ କରେ ନାହିଁ । ଯଦି ଏହି ଦେଶଗୁଡ଼ିକ ଅନୁରୋଧ କରନ୍ତି, ତେବେ ଆମେ ଯେକୌଣସି ମତଭେଦ ସମାଧାନରେ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ସର୍ବଦା ପ୍ରସ୍ତୁତ ରହିଛୁ ।

Advertisment

ପାକିସ୍ତାନ ସହିତ ସମ୍ପର୍କ ନେଇ ଉତ୍ତର

ରୁଷର ବୈଦେଶିକ ମନ୍ତ୍ରଣାଳୟ କହିଛି, ୨୦୨୫ ମସିହାରେ ପାକିସ୍ତାନ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ସାମିଲ ଥିଲା । ଏହା ଉଭୟ ଦେଶର ସହଯୋଗ ବିସ୍ତାର କରିବାର ଇଚ୍ଛାକୁ ଦର୍ଶାଇଥିଲା । ୨୦୩୦ ପର୍ଯ୍ୟନ୍ତ ଋଷ ଓ ପାକିସ୍ତାନ ବାଣିଜ୍ୟ ତଥା ଆର୍ଥିକ ସହଯୋଗର ବିକାଶ ପାଇଁ ଏକ କାର୍ଯ୍ୟକ୍ରମ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଗତ କିଛି ମାସ ମଧ୍ୟରେ ପାକିସ୍ତାନ ଓ ରୁଷ ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିଛି । ରୁଷ ପାକିସ୍ତାନର ବିଭିନ୍ନ କ୍ଷେତ୍ରରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି । ବିଶେଷକରି ପାକିସ୍ତାନର ଇସ୍ପାତ କାରଖାନା ଓ ରେଳବାଇକୁ ଉନ୍ନତ କରିବାରେ ରୁଷ ଇଛା ପ୍ରକାଶ କରିଛି । ପାକିସ୍ତାନ ମଧ୍ୟ ଭାରତ ସହିତ ନିଜ ମାମଲାରେ ରୁଷକୁ ମଧ୍ୟସ୍ଥତା ଭାବରେ ସାମିଲ କରିବାକୁ ଚେଷ୍ଟା କରିଆସୁଛି । ତେବେ ରୁଷ ଏପର୍ଯ୍ୟନ୍ତ ଭାରତର ସ୍ଥିତିକୁ ସମର୍ଥନ କରିଆସିଛି ଓ ମଧ୍ୟସ୍ଥତାରୁ ବିରତ ରହିଛି ।

ଅଧିକ ପଢ଼ନ୍ତୁ---ଯୁଦ୍ଧବିରତି ହେଉ କି ବାଣିଜ୍ୟ ଚୁକ୍ତି, ସବୁ ଘୋଷଣା କରୁଛନ୍ତି ଟ୍ରମ୍ପ: ମୋଦୀ ସରକାରଙ୍କୁ କଂଗ୍ରେସର କଡ଼ା ସମାଲୋଚନା

ଭାରତର ନିକଟତର ହୋଇଛି ରୁଷ

ଦଶନ୍ଧି ଧରି ରୁଷ ଓ ଭାରତ ବିଶ୍ୱସ୍ତ ସହଯୋଗୀ ହୋଇଆସିଛନ୍ତି । ଏହି ସମୟରେ ପାକିସ୍ତାନକୁ ଆମେରିକୀୟ ସମର୍ଥକ ଶିବିର ଭାବରେ ବିବେଚନା କରାଯାଉଛି । ଫଳସ୍ୱରୂପ, ରୁଷ ସହିତ ପାକିସ୍ତାନର ବୃଦ୍ଧି ପାଉଥିବା ଘନିଷ୍ଠତା ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି । ପାକିସ୍ତାନ ଅନେକ କ୍ଷେତ୍ରରେ ରୁଷ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ କାର୍ଯ୍ୟ କରୁଛି । ଚୀନ୍ ମଧ୍ୟ ଏହି କ୍ଷେତ୍ରରେ ପାକିସ୍ତାନକୁ ସହାୟତା ଜାରି ରଖିଛି ।