କନକ ବ୍ୟୁରୋ:  ବିନା ତାଲିମରେ ମହିଳା ମାନେ କିପରି ନିଜେ ସ୍ବାବଲମ୍ବୀ ହୋଇଛନ୍ତି ତାହା କରି ଦେଖାଇଛନ୍ତି ଭୋଗରାଇ ବ୍ଲକ ବାରବାଟିଆ ପଂଚାୟତ କୁକୁଡ଼ିଆ ଗାଁର ମହିଳା ମାନେ । ଏହି ଗାଁର ଅନେକ ମହିଳା ଏବେ ନଡ଼ିଆ କତାକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଆକର୍ଷଣୀୟ ଗୃହ ଉପକରଣ ସାମଗ୍ରୀ ପ୍ରସ୍ତୁତ କରି ରୋଜଗାରକ୍ଷମ ହେବା ସହ ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Advertisment

କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସିଥାଏ । ଯାହାକୁ ପ୍ରମାଣିତ କରିଛନ୍ତି ଭୋଗରାଇ ବ୍ଲକ ବାରବାଟିଆ ପଂଚାୟତ କୁକୁଡ଼ିଆ ଗାଁର ମହିଳା ମାନେ । କିଛି ରୋଜଗାର କରିବା ପାଇଁ ଉପାୟ ଖୋଜୁଥିବା ମହିଳା ଏବେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ନଡ଼ିଆ କତାରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । ଏହାକୁ ବିକ୍ରି କରି କିଛି ରୋଜଗାର କରୁଛନ୍ତି । ପୂର୍ବରୁ ନିଜର ଖର୍ଚ୍ଚ ପାଇଁ ମହିଳା ମାନେ ପୁରୁଷ ମାନଙ୍କ ଉପରେ ନିର୍ଭର କରୁଥିଲେ । ଏବେ ନିଜସ୍ବ ଉଦ୍ୟମରେ ନିଜେ ରୋଜଗାର କରି ଖୁସି ପ୍ରକାଶ କରିଛନ୍ତି । 

ଅଧିକ ପଢନ୍ତୁ: ନଡ଼ିଆ କତାରୁ ମିଳୁଛି ରୋଜଗାର । ବିନା ତାଲିମରେ ତିଆରି ହେଉଛି ସୁନ୍ଦର ସାମଗ୍ରୀ

ପୂର୍ବରୁ ମହିଳା ମାନେ ଘର କାମ ପରେ ଅବସର ସମୟକୁ ଅପଚୟ କରୁଥିଲେ । ଏବେ ନଡ଼ିଆ କତାରେ ବିଭିନ୍ନ ଘରୋଇ ଉପକରଣ ତିଆରି କରୁଛନ୍ତି । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳରୁ ନଡ଼ିଆ କତା ଆଣି ତାକୁ ସୁଖାଇ ରଶିରେ ପରିଣତ କରୁଛନ୍ତି । ଏହାପରେ ରଙ୍ଗଦେଇ ବିଭିନ୍ନ ଛାଞ୍ଚରେ ପାପୋଛ ତିଆରି କରୁଛନ୍ତି । ସେହିପରି ରଶିରେ ଫାଇବର ମ୍ୟାଟ୍‌, ମେସମେଟ୍‌, କରିଡର ମ୍ୟାଟ୍‌ ତିଆରି କରୁଛନ୍ତି ମହିଳା। ବଜାରରେ କତା ସମାଗ୍ରୀ ମୂଲ୍ୟ ଭଲ ରହିଥିବାରୁ ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରି ଲାଭବାନ ହେଉଛନ୍ତି। 

 ୨୦୧୬ରେ ୪୦ ଜଣ ମହିଳା ଏକାଠି ହୋଇ ନୀଳ ସରସ୍ବତୀ ଉତ୍ପାଦକ ଗୋଷ୍ଠୀ ଗଠନ କରିଥିଲେ । ୫୦୦ ଟଙ୍କା ଲୋଖାଏଁ ଆଦାୟ କରି ସଞ୍ଚୟ କଲେ । ଏହାପରେ ଜିପିଏଲ୍‌ଏଫ୍‌ରୁ ୫୦ ହଜାର ଟଙ୍କା ଋଣ ଆଣି କାମ ଆରମ୍ଭ କଲେ । ୯ ବର୍ଷ ଭିତରେ ରୋଜଗାର ୮ ଲକ୍ଷ ଟଙ୍କାରେ ପହଞ୍ଚିଲାଣି । ସ୍ଥାନୀୟ ବଜାର ସହ ନିକଟସ୍ଥ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି କତା ସାମଗ୍ରୀ ।   ଗାଁ ମହିଳାଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା ।