୩୦ ହଜାରରୁ ୩୦ ଲକ୍ଷ ଟଙ୍କାର ମାଲିକାଣୀ । ଘର ଚାରି କାନ୍ଥ ଭିତରୁ ବାହାରି ଏବେ ସଫଳ ବ୍ୟବସାୟୀ ବନିଲେ ଜଣେ ସାଧାରଣ ମହିଳା । ଚିଙ୍ଗୁଡ଼ି ଓ ମାଛ ଚାଷ କରି ବର୍ଷକୁ ରୋଜଗାର କରୁଛନ୍ତି ପାଖାପାଖି ୩ ଲକ୍ଷ ଟଙ୍କା । SHG କୁ ମାଧ୍ୟମ କରି ଧାନ ଚାଷ, ଗୋପାଳନ, ଚିଙ୍ଗୁଡ଼ି ଫାର୍ମ ଓ ମାଛ ଚାଷ କରି ନିଜେ ସ୍ବାବଲମ୍ବୀ ହେଵା ସହ ୬ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ପୂଜା । ଆଉ ଏଥିରୁ ସଫଳ ହୋଇ ଆଜି ୩୦ ଲକ୍ଷ ଟଙ୍କାର ପୁଞ୍ଜିପତି ହୋଇପାରିଛନ୍ତି ଜଣେ ମହିଳା । 

Advertisment

କଠିନ ପରିଶ୍ରମ ଓ ନିଜସ୍ବ ଉଦ୍ୟମରେ ଆତ୍ମନିର୍ଭରଶୀଳ ହେବା ସହ ୬ଟି ପରିବାରକୁ ରୋଜଗାରର ରାସ୍ତା ଦେଖାଇଛନ୍ତି ଭୋଗରାଇ ରୋଣାକୋଠା ଗାଁର ପୂଜା ମଣ୍ଡଳ । ୧୨ ବର୍ଷ ତଳେ ପୂଜା ମା’ ଦୁର୍ଗା ଏସଏଚଜିରେ ସାମିଲ ହୋଇଥିଲେ । ଏହା ପରେ ସରକାରଙ୍କ ବିଭିନ୍ନ ସହାୟତା ସମ୍ପର୍କରେ ଜାଣିବା ସହ ସେଥିରୁ ଲାଭ ଉଠାଇଥିଲେ । ପ୍ରଥମେ ୩୦ ହଜାର ଟଙ୍କା ଋଣ ନେଇ ଧାନ ଚାଷ କଲେ । ଆଉ ସେଥିରୁ ବାହାରିଥିବା ଲାଭାଂଶ ଓ ପୁଣି ୫୦ ହଜାର ଟଙ୍କା ଋଣ ନେଇ ପ୍ରଥମ କରି ଆରମ୍ଭ କଲେ ମଧୁର ମାଛ ଚାଷ। କିଛି ବର୍ଷ ମାଛ ଚାଷ କରି ଲାଭବାନ ହେବା ପରେ ପୁଣି ଏସଏଚଜି ଜରିଆରେ ୧ ଲକ୍ଷ ଟଙ୍କା ଋଣ ଆଣି ଆରମ୍ଭ କଲେ ଚିଙ୍ଗୁଡ଼ି ଚାଷ । ଆଉ ଏଥିରେ ସହଯୋଗ କରୁଛନ୍ତି ତାଙ୍କ ସ୍ୱାମୀ, ଶ୍ବଶୁର ଓ ପରିବାର ବର୍ଗ । ସମସ୍ତଙ୍କ ସହଯୋଗ ଓ ପରିଶ୍ରମ ଯୋଗୁ ପୂଜା ମଣ୍ଡଳ ମାଛ ଓ ଚିଙ୍ଗୁଡ଼ି ଚାଷରେ ସଫଳ ହୋଇଛନ୍ତି । ଯେଉଁଥିରେ ୧୦ ବର୍ଷ ଭିତରେ ପୂଜାଙ୍କ ପ୍ରଚେଷ୍ଟାରେ ୧୭ଟି ପୋଖରୀରେ ମାଛ ଚାଷ ହେଉଛି । ୫ଟି ପୋଖରୀରେ ମଧୁର ମାଛ ଓ ୧୨ଟି ପୋଖରୀରେ ଚିଙ୍ଗୁଡ଼ି ଚାଷ କରୁଛନ୍ତି ପୂଜା । 
 
ଖାଲି ସେତିକିରେ ଅଟକି ନାହାନ୍ତି ପୂଜା । ଚାଷବାସ କରିବା ସହ ଘରେ ଦୁଇଟି ଗାଈ ମଧ୍ୟ ରଖିଛନ୍ତି । ଚିଙ୍ଗୁଡ଼ି, ମାଛ ଓ ଧାନ ଚାଷରୁ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି । ତାଙ୍କର ଏଭଳି ଉଦ୍ୟମ ପାଇଁ ଘରର ଆର୍ଥିକ ସ୍ଥିତି ସୁଧୁରିଵା ସହ ସେ ଘରର ଜଣେ ରୋଜଗାରିଆ ସଦସ୍ୟ ହୋଇ ପାରିଛନ୍ତି । ପୂଜାଙ୍କ ଏଭଳି ଉଦ୍ୟମ ଅଞ୍ଚଳର ଅନ୍ୟ ମହିଳାଙ୍କ ପାଇଁ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଚଳିତ ବର୍ଷ ତାଙ୍କୁ ଲକ୍ଷପତି ଦିଦି ଭାବେ ସମ୍ମାନିତ କରାଯାଇଛି । ଦିନେ ଯିଏ ଘର ଚାରି କାନ୍ଥ ଭିତରେ ରହି ରୋଷେଇବାସରେ ସୀମିତ ଥିଲେ ସେ ଆଜି ଲକ୍ଷପତି ଦିଦି ଭାବେ ସମଗ୍ର ଅଞ୍ଚଳରେ ପରିଚିତ । କଠିନ ପରିଶ୍ରମ ଯେ ସଫଳତା ଆଣିଦିଏ ତା’ର ଉଦାହରଣ ହେଉଛନ୍ତି ପୂଜା ।