କନକବ୍ୟୁରୋ : ଆଜି ପୁରା ଜାତୀୟ ରାଜନୀତି ପରିବେଶରେ ଶୋକର ଛାୟା । ମହାରାଷ୍ଟ୍ର ରାଜନୀତିରେ ମୁକୁଟବିହୀନ ବାଦଶାହ କୁହାଯାଉଥିବା ଉପମୁଖ୍ୟମନ୍ତ୍ରୀ ଅଜିତ୍ ପୱାରଙ୍କର ଆଜି ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ନିର୍ବାଚନ ପ୍ରଚାର ପାଇଁ ବାରାମତି ଯାଉଥିବା ବେଳେ ଅବତରଣ କରିବା ସମୟରେ ତାଙ୍କ ଚାଟାର୍ଡ ପ୍ଲେନଟି ଖସିପଡ଼ି ନିଆଁ ଲାଗିଯିବାରୁ ଅଜିତ ପୱାରଙ୍କସମେତ ୬ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି । ଡିଜିସିଏ ପକ୍ଷରୁ ଏହା ସ୍ପଷ୍ଟ ହେବା ପରେ ଜାତୀୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି । ତେବେ ଆମ ଦେଶରେ ବିମାନ ଦୁର୍ଘଟଣା ଅନେକ ରାଜନେତାଙ୍କ ମୁଣ୍ଡ ନେଲାଣି । ୧୯୮୦ରେ ସଞ୍ଜୟ ଗାନ୍ଧୀଙ୍କ ଠାରୁ ନେଇ ଏବେ ଅଜିତ୍ ପୱାରଙ୍କ ପର୍ଯ୍ୟନ୍ତ ୧୦ ଟପ୍ ନେତାଙ୍କ ଜୀବନ ନେଲାଣି ବିମାନ ଦୁର୍ଘଟଣା ।
ଅଧିକ ପଢନ୍ତୁ.. ସ୍କୁଲରେ ନାହାନ୍ତି ଶିକ୍ଷକ ,ପିଲାଙ୍କ ପାଠ ପଢ଼ାକୁ କରାଯାଉଛି ଅଣଦେଖା
ସଞ୍ଜୟ ଗାନ୍ଧୀ : ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରଥମ ରାଜନେତା ହେଉଛନ୍ତି ସଞ୍ଜୟ ଗାନ୍ଧୀ । ଭାରତର ଆଇରନ୍ ଲେଡି ତଥା ଭାରତ ବର୍ଷର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଞ୍ଜୟଙ୍କର ୧୯୮୦ ରେ ବିମାନ ଦୁର୍ଘଟଣାରେ ମୃତ୍ୟ ହୋଇଥିଲା । ଦିଲ୍ଲୀରେ ଏକ ଛୋଟ ବିମାନରେ ଯାଉଥିବାବେଳେ ଉଡାଣର କିଛି ମିନିଟରେ ବିମାନ ଖସିପଡ଼ିଥିଲା । ତାଙ୍କ ମୃତ୍ୟୁ ସେ ସମୟରେ କଂଗ୍ରେସରେ ଏକ ପ୍ରକାର ଶୂନ୍ୟତା ସୃଷ୍ଟି କରିଥିଲା । ଇନ୍ଦିରା ଗାନ୍ଧୀଙ୍କୁ ଶକ୍ତ ଝଟକା ଲାଗିଥିଲା ।
ମୋହନ କୁମାରମଙ୍ଗଳମ୍ : ତତ୍କାଳୀନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ମୋହନ କୁମାରମଙ୍ଗଳମ୍ ୧୯୭୩ରେ ଦିଲ୍ଲୀ ନିକଟରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । AI440 ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ମନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପାର୍କର ପେନ୍ ଓ ଶ୍ରବଣ ଯନ୍ତ୍ରରୁ ତାଙ୍କ ମୃତ ଦେହ ଚିହ୍ନଟ କରାଯାଇଥିଲା ।
ୱାଇଏସ୍ ରାଜଶେଖର ରେଡ୍ଡୀ : ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ୍ ରାଜଶେଖର ରେଡ୍ଡୀଙ୍କର ସେପ୍ଟେମ୍ବର 2009ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସେ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ହେଲିକପ୍ଟର ନାଲାମାଲା ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ୨୪ ଘଣ୍ଟା ଖୋଜାଖୋଜି ପରେ ବିମାନର ଭଗ୍ନାବଶେଷ ମିଳିଥିଲା।
ମାଧବରାଓ ସିନ୍ଧିୟା: ୨୦୦୧ରେ ଏକ ଚାଟାର୍ଡ ପ୍ଲେନରେ ଯାଉଥିବାବେଳେ ଦୁର୍ଘଟଣାରେ କଂଗ୍ରେସ ନେତା ମାଧବରାଓ ସିନ୍ଧିୟାଙ୍କ ମୃତ୍ୟୁ ହୋଇଥିଲା । ତା ପୂର୍ବରୁ ବି ସେ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କିନ୍ତୁ ସେ ଅଳ୍ପକେ ବର୍ତ୍ତିଯାଇଥିଲେ । କିନ୍ତୁ ୨୦୦୧ର ବିମାନ ଦୁର୍ଘଟଣା ତାଙ୍କ ଜୀବନ ନେଇଯାଇଥିଲା। କଂଗ୍ରେସ ସରକାରରେ ସେ ବେସାମରିକ ବିମାନ ଉଡ଼ାଣ , ମାନବ ସମ୍ବଳ ବିକାଶ, ରେଲୱେଓ ସଞ୍ଚାର ବିଭାଗରେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ ।
ବଲୱନ୍ତ ରାୟ ମେହତା : ଗୁଜୁରାଟର ଭୂତପୂର୍ବ ମୁଖ୍ୟମନ୍ତ୍ରୀ , ଯାହାଙ୍କ ମୃତ୍ୟୁ ମଧ୍ୟ ବିମାନ ଦୁର୍ଘଟଣାରେ ହୋଇଥିଲା । ୧୯୬୫ରେ ଭାରତ -ପାକ୍ ଯୁଦ୍ଧସମୟରେ ତାଙ୍କ ମୃତ୍ୟୁ ହୋଇଥିଲା। ପାକ୍ ବାୟୁସେନାର ଗୁଳିରେ ତାଙ୍କ ବିମାନ ଖସିପଡ଼ିଥିଲା ।
ଜିଏମସି ବାଲୟୋଗୀ : ଲୋକସଭା ଅଧ୍ୟକ୍ଷ ଏବଂ ତେଲୁଗୁ ଦେଶମ୍ ପାର୍ଟି ନେତା ଜିଏମସି ବାଲୟୋଗୀ ୨୦୦୨ ମାର୍ଚ୍ଚ ୩ ତାରିଖରେ ଏକ ହେଲିକପ୍ଟରରେ ଯାଉଥିବାବେଳେ ଆନ୍ଧ୍ର କୃଷ୍ଣା ଜିଲ୍ଲାର କୈକାପୁର ନିକଟ ଏକ ଜଳାଶୟରେ ଖସିପଡ଼ିଥିଲା ।
ସାଇପ୍ରିୟସ୍ ସାଙ୍ଗମା : ୨୦୦୪ ସେପ୍ଟେମ୍ବର ୨୨ରେ ମେଘାଳୟର ଗ୍ରାମୀଣ ବିକାଶ ମନ୍ତ୍ରୀ ସାଇପ୍ରିୟନ୍ ସାଙ୍ଗମା ପୱନ ହଂସ ହେଲିକପ୍ଟରରେ ଗ୍ବାହାଟ୍ଟୀ ଯାଉଥିବାବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଙ୍କ ସହ ଥିବା ଅନ୍ୟ ୯ଜଣଙ୍କ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଦୋରଜୀ ଖାଣ୍ଡୁ : ୨୦୧୧ରେ ତତ୍କାଳୀନ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଦୋରାଜୀ ଖାଣ୍ଡୁଙ୍କର ମଧ୍ୟ ହଲିକପ୍ଟର ଦୁର୍ଘଟଣାରେ ଜୀବନ ଯାଇଥିଲା । ତାଙ୍କ ସହ ଥିବା ଅନ୍ୟ ୪ ଜଣ ମଧ୍ୟ ପ୍ରାଣ ହରାଇଥିଲେ । ବିଜୟ ରୂପାଣୀ : ୨୦୨୫ ଜୁନ୍ ୧୨ ତାରିଖ, ଏୟାର ଇଣ୍ଡିଆର ବୋଇଙ୍ଗ 787-8 ଡ୍ରିମଲାଇନର୍ ବିମାନ ଅହମଦାବାଦରୁ ଲଣ୍ଡନ୍ ଅଭିମୁଖେ ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନରେ ଥିଲେ ଗୁଜରାତର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ତାଙ୍କ ସହ ସମସ୍ତଙ୍କ ୨୪୨ ଜଣଙ୍କର ଜୀବନ ଚାଲିଯାଇଥିଲା । ଅତି ଭୟଙ୍କର ଥିଲା ଏ ବିମାନ ଦୁର୍ଘଟଣା । ଆଉ ଏକ ଛାତିଥରା ଚପର୍ ଦୁର୍ଘଟଣା ଥିଲା ୨୦୨୧ ଡିସେମ୍ବର ୮ ତାରିଖରେ ସିଡିଏସ୍ ବିପିନ୍ ରାୱତଙ୍କ ଚପର୍ ତାମିଲନାଡ଼ୁ କନୌର ନିକଟରେ ଅବତରଣ ପୂର୍ବରୁ ପାହାଡ଼ରେ ମାଡ଼ ହୋଇ ଖସିପଡ଼ିଥିଲା । ଏଥିରେ ବିପିନ୍ ରାୱତ୍ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସହ ପାଇଲଟଙ୍କୁ ମିଶାଇ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ମାନବକୃତ ତ୍ରୁଟି ଯୋଗୁଁ ସିଡିଏସଙ୍କ ଚପର୍ ଦୁର୍ଘଟଣା ହୋଇଥିବା କୁହାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/28/1-2026-01-28-18-46-09.jpg)