କନକ ବ୍ୟୁରୋ : କେଉଁଠି ସରକାର ‘ଶିକ୍ଷାର ବିକାଶ’ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତ କେଉଁଠି ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରୁ ଆସିଛି ଏଭଳି ଏକ ଚିନ୍ତାର ବିଷୟ । ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି କୋମଳମତି ଶିଶୁ ଓ ସେମାନଙ୍କ ଅଭିଭାବକ ।  ଏ ହେଉଛି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଗେଡ଼ମା ସରକାରୀ ପ୍ରାଥମିକ ବିଦ୍ୟାଳୟର ଖବର । ସ୍କୁଲ ଫାଟକରେ ଝୁଲୁଛି ତାଲା । କ୍ଲାସରୁମରେ ପାଠ ପଢ଼ିବା ବଦଳରେ ଖରା କାକରରେ ବାହାରେ ବସିଛନ୍ତି ଛାତ୍ରଛାତ୍ରୀ । 

Advertisment

ଅଭିଯୋଗ ଅନୁଯାୟୀ, ଏହି ସ୍କୁଲରେ ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬ଟି ଶ୍ରେଣୀ ରହିଛି । ୬୮ ଜଣ ପିଲାଙ୍କୁ ପଢ଼ାଇବା ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ ଅଛନ୍ତି । ସମସ୍ୟା ଏତିକିରେ ସରିନି । ଦୁଇ ଶିକ୍ଷକଙ୍କ ମଧ୍ୟରୁ ଜଣେ ସବୁବେଳେ ସରକାରୀ ଅଫିସ୍ କାମ ଓ ଅନ୍ୟାନ୍ୟ ପ୍ରାଶାସନିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଫଳରେ ଜଣେ ମାତ୍ର ଶିକ୍ଷକଙ୍କ ଭରସାରେ ଚାଲିଛି ସମଗ୍ର ସ୍କୁଲ । ଜଣେ ଶିକ୍ଷକ କିଭଳି ଏକାସାଙ୍ଗରେ ୬ଟି ଶ୍ରେଣୀର ପିଲାଙ୍କୁ ପଢ଼ାଇବେ ? ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  

ଅଧିକ ପଢ଼ନ୍ତୁ---ଓଡ଼ିଶା ବନ୍ଦବେଳେ ବଡ଼ ଅଘଟଣ : ୩ ବର୍ଷର ପୁଅର ଗଲା ଜୀବନ

ତେବେ ଏହି ସମସ୍ୟା କେବଳ ଗେଡ଼ମା ସ୍କୁଲର ନୁହେଁ । ହାଟଡିହି ବ୍ଲକରେ ମୋଟ ୩୦୨ଟି ବିଦ୍ୟାଳୟ ଥିବା ବେଳେ ପ୍ରାୟ ୫୦ରୁ ଅଧିକ ସ୍କୁଲରେ ସମାନ ସ୍ଥିତି । ଏପରିକି ତିନୋଟି ସ୍କୁଲରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି ବୋଲି ବ୍ଲକ ଶିକ୍ଷା ଅଧିକାରୀ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଆମେ ସମସ୍ୟା ବିଷୟରେ ଜାଣିଛୁ । ମାତ୍ର ବର୍ତ୍ତମାନ ବାର୍ଷିକ ପରୀକ୍ଷା ସମୟ ଆସିଯାଇଥିବାରୁ ଶିକ୍ଷକମାନଙ୍କୁ ଏପଟ ସେପଟ କରିବା ସମ୍ଭବ ହେଉନାହିଁ । ପରୀକ୍ଷା ଶେଷ ହେବା ମାତ୍ରେ ଆମେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବୁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।