କନକ ବ୍ୟୁରୋ: ଶୀତର ସ୍ୱେଟର ପିନ୍ଧିଥିବା ସହର ଆଉ କୁହୁଡ଼ିର କମ୍ବଳ ଢାଙ୍କି ହୋଇଥିବା ଗାଁ ବି ଶୀତର ଶାସ୍ତି ଭିତରେ ଶାନ୍ତି ଖୋଜିବାକୁ ଚା’ର ଉତ୍ସବ ପାଳେ । ସୂର୍ଯ୍ୟର ସ୍କ୍ରିନ୍ ଲାଇଟ୍ ଦେଖାଯାଉ କି ନଯାଉ କମ୍ବଳ ତଳୁ ବାହାରି ଆସି ଛକର ଚା ଦୋକାନରେ ଭିଡ ଜମାନ୍ତି ସହରିଆ । ଭେରାଇଟି ଚା ପିଇ ଶୀତକୁ ନିଜନିଜ ଅନ୍ଦାଜରେ ଉପଭୋଗ କରନ୍ତି ସହରର ଲୋକେ । ରାଜଧାନୀ ଭୁବନେଶ୍ୱରରେ ସକାଳ ହେଉ କି ସଞ୍ଜ ଓଠ ଯେବେ ଉଷୁମ ଚା ଖୋଜେ ସେବେ ଫୁଟନ୍ତା ଚା’ କେଟିଲୀ ପାଖରେ ଜମେ ଚା’ ପ୍ରେମୀଙ୍କ ଭିଡ଼ । 

Advertisment

ଚା’- ଓଠର ଶୋଷ ନା ହୃଦୟର ଗୋଟେ ଉଷୁମ ଅବସୋସ । କପେ ଚା’ରେ ଫୁର୍ତ୍ତି ହୋଇଯାଏ ମନ, ଅବସାଦ ଧୂଆଁ ହୋଇଯାଏ ଘନ ଘନ । ଚା’ରେ ଶୀତ କେବେ ଚହଲି ଯାଏ ତ କେବେ ଚା’ ପିଇ ବର୍ଷା ବି ଗୀତ ଗାଏ । ଚା’ କପର ଆଖି ଠାରରେ ପୁଣି ଅଟକିଯାଏ ଜୀବନ, ବ୍ରେକ୍ ମାରେ ବହୁ ବ୍ୟସ୍ତତା । ତତଲା ତସଲାରେ କ୍ଷୀର ଓ ଚିନିର ଚୋରା ପୀରତି ଖେଳ ଯେବେ ଟକମକ ଫୁଟେ ଆଉ କାଚ ଗ୍ଲାସ ହେଉ କି କାଗଜ ଗ୍ଲାସରେ ଢାଳି ହୋଇଯାଏ ସେବେ ପ୍ରତି କପରେ ଲେଖା ହୁଏ ନିଜକୁ ସିଝେଇ ଅନ୍ୟକୁ ସୁଖ ଦେବାର କବିତା । ନିଜକୁ ପୋଡି ଅନ୍ୟକୁ ପ୍ରୀତି ବାଣ୍ଟିବାର ଗପ । 

ଅଧିକ ପଢ଼ନ୍ତୁ---ସ୍କୁଲ, କଲେଜ ପିଲାଙ୍କୁ ପ୍ରେମାନନ୍ଦଜୀଙ୍କ ଚେତାବନୀ;ଥଟ୍ଟା, ମଜା ପିଲାଙ୍କ ଭବିଷ୍ୟତ ସାରିଦେବ

ଖାଲି ଭୁବନେଶ୍ୱର ନୁହେଁ କେନ୍ଦ୍ରାପଡ଼ାରୁ କେନ୍ଦୁଝର, ବାଲେଶ୍ବରରୁ ବାରିପଦା... ଶୀତକୁ ଚା କପର ଚେଙ୍କ ଦେଇ ସହରରୁ ଭଗେଇ ଦିଅନ୍ତି ସହରିଆ । କପରୁ ଚା ଓଠ ଯେତେ ଯେତେ ପିଇଥାଏ, କବିର କବିତା ସେତେ ସେତେ ଚା’ ଚିତ୍ର ଓ ଚରିତ୍ର ବଖାଣୁଥାଏ... ମାଲକାନଗିରିରେ ସଞ୍ଜ ନଇଁବା କ୍ଷଣି ଲୋକେ ଶୀତ ବସ୍ତ୍ର ପିନ୍ଧି ଶୀତକୁ ଧମକ ଦେବାଭଳି ଚା ତିଆରି କରିବାକୁ ଦୋକାନୀକୁ ବରାଦୀ ଦିଅନ୍ତି । ପିଲାଠୁ ବୁଢା ସମସ୍ତେ ଏଠି ଚା ପିଇବାକୁ ଗହଳି କରନ୍ତି ।

ହଁ ଶୀତକୁ ଡରେଇବାକୁ କୋରାପୁଟ ହେଉ କି ସୁନ୍ଦରଗଡ, ଫୁଲବାଣୀ ହେଉ କି ବାଲିଗୁଡା... ସବୁଠି ନିଆଁ ଜାଳି ନାଲିଆଖି ଦେଖାନ୍ତି । ଶୀତ କେଉଁ ଡରିବାର ଋତୁ ଯେ, ନିଆଁକୁ ବି ବେଖାତିର କରି ମଣିଷକୁ ଶାସ୍ତି ଦିଏ । ତା’ ଦେହକୁ ଥରାଏ । କିନ୍ତୁ ଶୀତକୁ କପେ ଗରମା ଗରମ ଚା ପିଆଇ ଦେଲେ ଶୀତ ଛାଏଁ ଛାଡିଯାଏ ଆଉ ଗରମ ଚାର ଚକ୍ରବ୍ୟୁହରେ ପଡି ଅଭିମନ୍ୟୁ ପରି ଆହତ ହୁଏ... ବାହାରିବାର ବାଟ ନପାଇ ଶେଷରେ ସେହି ମୁହୂର୍ତ୍ତ ପାଇଁ ଶେଷ ନିଶ୍ୱାସ ତ୍ୟାଗ କରେ ଶୀତ...

ସତରେ ଓଠକୁ ଛୁଇଁଯିବା ଚା’ର ଧର୍ମ ନା ଚା’କୁ ଓଠ ଖୋଜି ହେବା ଗୋଟେ ନିୟମ । ଚା’ର ଉଷୁମ ପ୍ରେମ ପାଇବା ପାଇଁ ଏହାକୁ ଆପଣ ଏକ ବଦଭ୍ୟାସ କହିପାରନ୍ତି କିମ୍ବା ଚା ଗ୍ଲାସର ଗରମ ଛୁଆଁ ପାଇବାକୁ ଏକ ନିତିଦିନିଆ ନିଶା ! ଚା’ କିନ୍ତୁ ଓଠର ଆବଶ୍ୟକତା, ଟେନସନ ଫ୍ରିର ଫର୍ମୁଲା, ହାଲିଆ ଦେହର ବୁଷ୍ଟର ଡୋଜ୍ । ଯାହା କେବଳ ଖାଲି ଶୀତ ନୁହେଁ ସବୁ ଋତୁରେ ଖୋଜାପଡେ । କାରଣ ଦେହ ଥରିଗଲେ- ଥରିଲା ଓଠ ଚା ପାଖକୁ ଆପେ ଆପେ ଧାଇଁଯାଏ... ସେତେବେଳେ ଓଡ଼ିଶା ଓଠରେ ଲାଗେ ଉଷୁମ ଚା’ର ଛୁଆଁ... ।