କନକ ବ୍ୟୁରୋ : ଶୀତ ଋତୁର ଆଗମନ ସହିତ ବଜାରରେ ଅନେକ ପ୍ରକାରର ସବୁଜ ପନିପରିବା ଓ ଫଳମୂଳର ପସରା ଦେଖିବାକୁ ମିଳେ । ତେବେ ଏସବୁ ମଧ୍ୟରେ ଯଦି କୌଣସି ଗୋଟିଏ ଫଳ ସବୁଠାରୁ ଲୋକପ୍ରିୟ, ଶସ୍ତା ଏବଂ ଗୁଣକାରୀ ଥାଏ, ତେବେ ତାହା ହେଉଛି ପିଜୁଳି । ଶୀତୁଆ ସକାଳ କିମ୍ବା ଖରାବେଳେ ଲୁଣ ଓ ଲଙ୍କା ଗୁଣ୍ଡ ମିଶା ପିଜୁଳି ଖାଇବାର ମଜା କିଛି ନିଆରା । ଅନେକ ଲୋକ ଏହାକୁ ‘ଗରିବଙ୍କ ସେଓ’ ବୋଲି ଆଦରରେ କହିଥାନ୍ତି ସତ, କିନ୍ତୁ ଏହାର ଔଷଧୀୟ ଗୁଣ ଦାମୀ ସେଓ ଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହା କେବଳ ଜିଭର ଲାଳସା ମେଣ୍ଟାଏ ନାହିଁ, ବରଂ ଶରୀରକୁ ଅନେକ ମାରାତ୍ମକ ରୋଗରୁ ରକ୍ଷା କରିବାରେ ଏକ ପ୍ରାକୃତିକ କବଚ ଭଳି କାମ କରେ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଜୁଳିରେ କମଳା ଲେମ୍ବୁ ଠାରୁ ମଧ୍ୟ ଅଧିକ ମାତ୍ରାରେ ଭିଟାମିନ୍-ସି ରହିଥାଏ । ଶୀତଦିନେ ସାଧାରଣତଃ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ଥଣ୍ଡା, କାଶ ଲାଗିରହେ । ଏଭଳି ସ୍ଥିତିରେ ନିୟମିତ ପିଜୁଳି ଖାଇବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ପାଏ । ଯେଉଁମାନଙ୍କର କୋଷ୍ଠକାଠିନ୍ୟ ବା ପେଟ ସଫା ନ ହେବା ଭଳି ସମସ୍ୟା ରହିଛି, ସେମାନଙ୍କ ପାଇଁ ପିଜୁଳି ଏକ ବରଦାନ ସଦୃଶ । ଏଥିରେ ଥିବା ପ୍ରଚୁର ଫାଇବର ହଜମ ପ୍ରକ୍ରିୟାକୁ ସୁଧାରିବାରେ ସାହାଯ୍ୟ କରେ । ମଧୁମେହ ରୋଗୀମାନେ ଅନେକ ମିଠା ଫଳ ଖାଇବାକୁ ଭୟ କରନ୍ତି, କିନ୍ତୁ ପିଜୁଳିର ଗ୍ଲାଇସେମିକ ଇଣ୍ଡେକ୍ସ ବହୁତ କମ୍ ଥିବାରୁ ଏହା ରକ୍ତରେ ଶର୍କରା ସ୍ତରକୁ ବଢାଏ ନାହିଁ, ବରଂ ନିୟନ୍ତ୍ରଣରେ ରଖେ । ଏହା ବ୍ୟତୀତ ହୃଦରୋଗ ଆଶଙ୍କା କମାଇବା, ଦୃଷ୍ଟିଶକ୍ତି ବଢାଇବା ଏବଂ ମାନସିକ ଚାପ ଦୂର କରିବାରେ ମଧ୍ୟ ପିଜୁଳିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାରେ ଚମକ ଆଣିଥାଏ ଏବଂ ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ ସାବ୍ୟସ୍ତ ହୁଏ ।
ଅଧିକ ପଢ଼ନ୍ତୁ--ରୋଗ ଗାୟବ କରେ ଗ୍ରୀନ୍ ମଟର; ଶୀତଦିନେ ଖାଆନ୍ତୁ ପ୍ରଚୁର
ତେବେ ଯେତେ ଉପକାରୀ ହେଲେ ମଧ୍ୟ ପିଜୁଳି ଖାଇବାର ସଠିକ୍ ସମୟ ଓ ତରିକା ଜାଣିବା ନିହାତି ଆବଶ୍ୟକ । ଆୟୁର୍ବେଦ ଅନୁସାରେ, ସନ୍ଧ୍ୟା ପରେ କିମ୍ବା ରାତିରେ ପିଜୁଳି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏହାର ପ୍ରକୃତି ଶୀତଳ ହୋଇଥିବାରୁ ରାତିରେ ଖାଇଲେ କାଶ ଓ ଥଣ୍ଡା ବଢିବାର ଆଶଙ୍କା ଥାଏ । ସବୁଠାରୁ ଭଲ ହେବ ଯଦି ଆପଣ ଦିନବେଳା ଖରା ଥିବା ସମୟରେ, ବିଶେଷକରି ମଧ୍ୟାହ୍ନ ଭୋଜନର କିଛି ସମୟ ପୂର୍ବରୁ କିମ୍ବା ଅପରାହ୍ନରେ ଏହାକୁ ଖାଆନ୍ତି । ସକାଳେ ଏକଦମ୍ ଖାଲି ପେଟରେ ମଧ୍ୟ ପିଜୁଳି ନ ଖାଇବା ଭଲ । ପିଜୁଳିକୁ କାଟି ସେଥିରେ ଅଳ୍ପ କଳା ଲୁଣ ମିଶାଇ ଖାଇଲେ ଏହା କେବଳ ସୁଆଦିଆ ଲାଗେ ନାହିଁ, ବରଂ ସହଜରେ ହଜମ ହୁଏ ଏବଂ ପେଟରେ ଗ୍ୟାସ୍ ସମସ୍ୟା ସୃଷ୍ଟି କରେ ନାହିଁ । ତେଣୁ ଏହି ଶୀତ ଋତୁରେ ନିଜ ଖାଦ୍ୟ ତାଲିକାରେ ପିଜୁଳିକୁ ନିଶ୍ଚୟ ସାମିଲ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/15/guava-2025-12-15-18-39-42.jpg)