team india Photograph: (Kanak news)
କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚକୁ ବର୍ଜନ କରିବାକୁ ପାକିସ୍ତାନର ଘୋଷଣା ପରେ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ପାକିସ୍ତାନର ପୂର୍ବ ରେକର୍ଡ ଯାହା ଏବେ ବି ମନେ କରାଯାଉଛି ଯେ ପିସିବି ୟୁ-ଟର୍ଣ୍ଣ ନେବ । ଭାରତର ମହାନ ଖେଳାଳି ସୁନୀଲ ଗାଭାସ୍କର କହିଛନ୍ତି ଯେ ୟୁ-ଟର୍ଣ୍ଣ ନେବାରେ ପାକିସ୍ତାନର ପୂର୍ବରୁ ରେକର୍ଡ ଅଛି । ଏପରିକି ପାକିସ୍ତାନୀ ଖେଳାଳି ଅବସର ଘୋଷଣା କରିବାର କିଛି ଦିନ ପରେ ପୁଣି ଫେରିଆସନ୍ତି । ଏପରି ସମାନ ଧରଣର ନିଷ୍ପତ୍ତି ପିସିବି ମଧ୍ୟ ନେଇପାରେ।
ଆହୁରି ପଢ଼ନ୍ତୁ... ପାକିସ୍ତାନର ନିଷ୍ପତ୍ତି କ୍ରିକେଟ୍ ସ୍ବାର୍ଥର ଅନୁକୂଳ ନୁହେଁ: ଆଇସିସି
ଯଦି ପିସିବି ନିଜ ନିଷ୍ପତ୍ତିରେ ଅଟଳ ରହେ ଓ ମ୍ୟାଚ ଖେଳେନାହିଁ ତେବେ ଭାରତୀୟ ଦଳର ପରବର୍ତ୍ତି ପଦକ୍ଷେପ କଣ ହେବ? ଭାରତୀୟ ଦଳ କ''ଣ ଏହି ମ୍ୟାଚ ଖେଳିବାକୁ ଶ୍ରୀଲଙ୍କା ଗସ୍ତ କରିବ? ଏହାର ଉତ୍ତର ହେଉଛି, ଆସନ୍ତା ୧୫ ତାରିଖରେ ଭାରତୀୟ ଦଳ ନିଶ୍ଚିତ ଭାବେ ଶ୍ରୀଲଙ୍କା ଗସ୍ତ କରିବ। ଆଇସିସିର ପ୍ରୋଟୋକଲ୍ ଅନୁସାରେ ଗୋଟିଏ ପ୍ରତିଯୋଗିତାରେ ଓ୍ବାକ୍-ଓଭର ପଏଣ୍ଟ ପାଇବାକୁ ହେଲେ ଗୋଟିଏ ଦଳକୁ ଷ୍ଟାଡିୟମରେ ଉପସ୍ଥିତ ରହିବାକୁ ପଡ଼ିବ। ଏପରିକି ଦଳର ଅଧିନାୟକଙ୍କୁ ଟସ୍ ପାଇଁ ପଡ଼ିଆରେ ଉପସ୍ଥିତ ରହିବେ। ଯଦି ବିପକ୍ଷ ଦଳର ଅଧିନାୟକ ଟସ୍ ପାଇଁ ଆସନ୍ତି ନାହିଁ, ତେବେ ରେଫରି ମ୍ୟାଚକୁ ବାତିଲ୍ ଘୋଷଣା କରିବା ସହ ପଡ଼ିଆରେ ଉପସ୍ଥିତ ଥିବା ଦଳକୁ ଅଙ୍କ ପ୍ରଦାନ କରନ୍ତି।
ଏଣୁ ଆସନ୍ତା ୧୫ ତାରିଖରେ ଭାରତୀୟ ଦଳ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଉପସ୍ଥିତ ରହିବ। ଏହା ସହିତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ପାଇଁ ପଡ଼ିଆରେ ଉପସ୍ଥିତ ରହିବେ ଓ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କୁ ଅପେକ୍ଷା କରିବେ। ଯଦି ସଲମାନ ଟସ୍ ପାଇଁ ଆସନ୍ତି ନାହିଁ ତେବେ ମ୍ୟାଚ୍ ରଦ୍ଦ ହେଲା ବୋଲି ଘୋଷଣା କରାଯିବ ଓ ଭାରତକୁ ଓ୍ବାକ-ଓଭର ପ୍ରଦାନ କରାଯିବା ସହ ୨ ଅଙ୍କ ପ୍ରଦାନ କରାଯିବ।
Follow Us