କନକ ବ୍ୟୁରୋ: ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମୁକାବିଲା ଖେଳିବ ନାହିଁ ବୋଲି ପାକିସ୍ତାନ ଘୋଷଣା କରିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ପ୍ରତିକ୍ରିୟା ଆସିଛି । ଆଇସିସି ପକ୍ଷରୁ କୁହାଯାଇଛି ଯେ ଜାତୀୟ ନୀତିକୁ ନେଇ ସରକାରମାନଙ୍କ ଭୂମିକାକୁ ଆଇସିସି ସମ୍ମାନ ଜଣାଉଥିଲେ ବି ଏହି ନିଷ୍ପତ୍ତି କ୍ରିକେଟର ସ୍ବାର୍ଥ ତଥା ପାକିସ୍ତାନ ସମେତ ସାରା ବିଶ୍ବରେ ଥିବା କୋଟି କୋଟି ପ୍ରସଂଶକଙ୍କ ସ୍ବାର୍ଥର ଅନୁକୂଳ ନୁହେଁ । ନିଜ ଦେଶରେ କ୍ରିକେଟର ଭବିଷ୍ୟତକୁ ଦୃଷ୍ଟିରେ ରଖି ପିସିବି ନିଜ ନିଷ୍ପତ୍ତିର ପୁନର୍ବିଚାର କରୁ ।

Advertisment

ଆହୁରି ପଢ଼ନ୍ତୁ... ଆମ ସରକାରଙ୍କ ନିଷ୍ପତ୍ତି, ଆମେ କିଛି କରିପାରିବୁ ନାହିଁ: ମୁହଁ ଖୋଲିଲେ ପାକିସ୍ତାନ ଅଧିନାୟକ

ଆଇସିସି ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନର ଏହି ନିଷ୍ପତ୍ତି ସଂପର୍କରେ କୌଣସି ଔପଚାରିକ ପତ୍ର ମିଳିନଥିଲେ ବି ପାକିସ୍ତାନ ସରକାରଙ୍କ ଘୋଷଣା ନଜରକୁ ଆସିଛି । ଏପରି ଚୟନମୂଳକ ଅଂଶଗ୍ରହଣ ଏହି ବିଶ୍ବ କ୍ରୀଡ଼ା ପ୍ରତିଯୋଗିତାର ମୌଳିକ ଧାରଣା ସହ ମେଳ ଖାଉନାହିଁ, ଯେଉଁଠାରେ ସମସ୍ତ ଦଳ ଏକ ପୂର୍ବ ନିର୍ଦ୍ଧାରିତ ଖେଳସୂଚୀ ଅନୁସାରେ ସମାନ ସର୍ତ୍ତଅନୁସାରେ ଖେଳିଥାନ୍ତି । ଆଇସିସି ପ୍ରତିଯୋଗିତାଗୁଡ଼ିକ ସ୍ବଚ୍ଛତା, ପ୍ରତିଯୋଗିତାମୂଳକତା, ସ୍ଥାୟୀତ୍ବ ଓ ନିରପେକ୍ଷତା ଉପରେ ପର୍ଯ୍ୟବେଶିତ, କିନ୍ତୁ ଚୟନମୂଳକ ଅଂଶଗ୍ରହଣ ଏହାର ଭାବନା ଓ ପ୍ରତିଯୋଗିତାମୂଳକତାକୁ ହାନୀ ପହଞ୍ଚାଇଥାଏ । ଏପରି ନିଷ୍ପତ୍ତି ବିଶ୍ବ କ୍ରିକେଟର ଇକୋସିଷ୍ଟମକୁ, ପାକିସ୍ତାନ ଯାହାର ଏକ ହିତାଧିକାରୀ, ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ପିସିବି ନିଜ ଦେଶରେ କ୍ରିକେଟର ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଜ ନିଷ୍ପତ୍ତିର ପୁନର୍ବିଚାର କରିବ ବୋଲି ଆଇସିସି ଆଶା ପ୍ରକାଶ କରିଛି ।

ଆଇସିସି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଟ୍ବେଣ୍ଟି-୨୦ ବିଶ୍ବକପକୁ ସଫଳତାର ସହ ଆୟୋଜନ କରିବା ପରିଷଦର ପ୍ରାଥମିକତା ଓ ପିସିବି ସମେତ ସବୁ ସଦସ୍ୟ ରାଷ୍ଟ୍ର ଏଥିରେ ସହଯୋଗ କରିବା ଉଚିତ୍।