କନକ ବ୍ୟୁରୋ: ଖରା ଯେତିକି ବଢୁଛି, ମହାନଦୀ ସେତିକି ମରୁଛି । ଛତିଶଗଡର ମନମାନି ପାଇଁ ମରୁଭୂମିର ରୂପ ନେବାକୁ ବସିଛି ଓଡ଼ିଶାର ଜୀବନରେଖା । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମହାନଦୀର ସ୍ଥିତି ପରଖିବାକୁ ଓଡ଼ିଶା ଆସିବ ଟ୍ରିବ୍ୟୁନାଲ ଟିମ । ହେଲେ ଟ୍ରିବ୍ୟୁନାଲ ଗଠନକୁ ୮ ବର୍ଷ ବିତିବାକୁ ବସିଛି, ୫୦ରୁ ଅଧିକ ଥର ଶୁଣାଣି ସରିଛି । ବଦଳରେ ନ୍ୟାୟ ମିଳିବା ତ ଦୂରର କଥା, ଓଡ଼ିଶାକୁ ମିଳିଛି କେବଳ ତାରିଖ ପରେ ତାରିଖ । ତେଣୁ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ, ଟ୍ରିବ୍ୟୁନାଲ ଗସ୍ତ ପରେ ଏଥର ମହାନଦୀକୁ ମିଳିବ ତ ନ୍ୟାୟ ? 

Advertisment

ଦୀର୍ଘ ଅଢେଇ ବର୍ଷ ପରେ ପୁଣି ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଓଡ଼ିଶାରେ ରହି ସମ୍ବଲପୁର ଓ ଝାରସୁଗୁଡ଼ା ଅଞ୍ଚଳରେ ମହାନଦୀର କ୍ଷେତ୍ର ପରିଦର୍ଶନ କରିବ ଟିମ୍ । ହୀରାକୁଦ ଡ୍ୟାମ୍‌ ଓ ମହାନଦୀ ତଳମୁଣ୍ଡକୁ ଯାଇ ସ୍ଥିତି ପରଖିବେ । ମହାନଦୀରେ ଜଳ ପ୍ରବାହ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ । ଓଡ଼ିଶା ଛତିଶଗଡ଼ ମଧ୍ୟରେ ଜଳ ବିବାଦ ନେଇ ବୈଷୟିକ ଓ ପରିବେଶଗତ ଦିଗଗୁଡ଼ିକର ମୂଲ୍ୟାଙ୍କନ କରିବେ ।  

ଏହା ବି ପଢ଼ନ୍ତୁ: ସାବତ ଅନୁଷ୍ଠାନ ଶୈଳବାଳା ମହାବିଦ୍ୟାଳୟ! ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ସରକାର କୁନ୍ଥକୁନ୍ଥ

ଟ୍ରିବ୍ୟୁନାଲ ଟିମ କ୍ଷେତ୍ର ପରିଦର୍ଶନ କରିବା ପରେ ମାର୍ଚ୍ଚ ୧୪ରେ ହେବ ଶୁଣାଣି । ହେଲେ ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ହେବ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । ପୂର୍ବରୁ ୫୦ ଥର ଟ୍ରିବ୍ୟୁନାଲ୍‌ରେ ଶୁଣାଣି ସରିଛି । ହେଲେ ପ୍ରତିଥର ଓଡ଼ିଶା ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛି । ଛତିଶଗଡର ମନମାନିକୁ ନା ଟ୍ରିବ୍ୟୁନାଲ ଅଙ୍କୁଶ ଲଗାଇପାରିଛି ନା ଶୁଖିଲା ପଡିଥିବା ମହାନଦୀକୁ ପାଣି ଆସୁଛି । ତଥାପି ମହାନଦୀ ବିବାଦର ସମାଧାନ ପାଇଁ ଛତିଶଗଡ ସହ ଆପୋଷ ଆଲୋଚନା ଭିତରେ କେନ୍ଦ୍ରକୁ ଭରସିଛନ୍ତି ମୋହନ ସରକାର । ଏନେଇ କୋର୍ଟକୁ ମଧ୍ୟ ଅବଗତ କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ପାଦ ଏଯାଏଁ ଛତିଶଗଡରେ ପଡିଲାନି । ତେଣୁ ଆଲୋଚନା କେମିତି ହେବ, କେବେ ହେବ ଓ ସମାଧାନର ବାଟ କେବେ ବାହାରିବ? ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । 

ଆସନ୍ତା ଏପ୍ରିଲ ୧୩ରେ ଟ୍ରିବ୍ୟୁନାଲର ଅବଧି ସରୁଛି । ଏହାକୁ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ର ନିକଟରେ ଦାବି କରିଛି ଓଡ଼ିଶା । ହେଲେ ଟ୍ରିବ୍ୟୁନାଲ ନ୍ୟାୟକୁ ଅପେକ୍ଷା କରି ମହାନଦୀର ଅବସ୍ଥା କଣ ତାହା ରାଜ୍ୟବାସୀ ଭଲଭାବେ ଜାଣନ୍ତି   ।