କନକ ବ୍ୟୁରୋ: ଶୈଳବାଳା ମହାବିଦ୍ୟାଳୟକୁ ସରକାରଙ୍କ ଅଣଦେଖା ବିରୋଧରେ ତେଜୁଛି ଅସନ୍ତୋଷ। ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିଲେ ବି ଶୁଣୁ ନାହାନ୍ତି ସରକାର । ୨୦୨୬-୨୭ ବଜେଟରେ ଏବେ ଘୋଷଣା କରାଯାଇଥିବା ବିଶ୍ବବିଦ୍ୟାଳୟ ତାଲିକାରେ ବି ଶୈଳବାଳାର ନାଁ ନାହିଁ । ଯାହାକୁ ନେଇ ଛାତ୍ରୀ ଆନ୍ଦୋଳନ ଚଳାଇଥିବାବେଳେ ସାମିଲ ହୋଇଛନ୍ତି ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନ । 
 

Advertisment
  • ସାବତ ଅନୁଷ୍ଠାନ ଶୈଳବାଳା ମହାବିଦ୍ୟାଳୟ!
  • ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ସରକାର କୁନ୍ଥକୁନ୍ଥ
  • ଆନ୍ଦୋଳନରେ ଛାତ୍ରୀ, ବୁଦ୍ଧିଜୀବୀ ସାମିଲ 

ଶହେ ବର୍ଷ ପରେ ବି ହକ୍ ପାଇଁ ସଂଘର୍ଷ କରୁଛି କଟକର ଐତିହାସିକ ଶୈଳବାଳା ମହାବିଦ୍ୟାଳୟ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୂରୋଧା ଉତ୍କଳ ଗୌରବ ମଧୁବାବୁ ସୂଦନ ଦାସଙ୍କ ବାସଭବନ ଉପରେ ଗଢ଼ି ଉଠିଥିବା ଏହି ମହାବିଦ୍ୟାଳୟର ଦାବି ପ୍ରତି ସରକାର କରୁନାହାନ୍ତି କର୍ଣ୍ଣପାତ । ରାଜ୍ୟର ବହୁ ଛୋଟ ଛୋଟ କଲେଜକୁ ବିଶ୍ବବିଦ୍ୟାଳୟ ମାନିତ୍ୟ ମିଳୁଥିଲେ ବି ଏହି ଐତିହାସିକ ମହାବିଦ୍ୟାଳୟର ଛାତ୍ରୀମାନେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଲଢ଼େଇ କରୁଛନ୍ତି । ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି ନଶୁଣିବାରୁ ଏବେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିକୁ ସମର୍ଥନ କରି ଛାତ୍ରୀମାନଙ୍କ ସହ ସାମିଲ ହୋଇଛନ୍ତି ପୂର୍ବତନ ଛାତ୍ରୀ, ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର କର୍ମକତ୍ତା । ଛାତ୍ର ସଂଗଠନ ଏବିଭିପିର ସଦସ୍ୟମାନେ ବି ଦାବିକୁ ସମର୍ଥନ ଜଣାଇଛନ୍ତି । 

କଟକ ବାରବାଟୀ ବିଧାୟିକା ଶୈଳବାଳା ଛାତ୍ରୀଙ୍କ ସପକ୍ଷରେ ବାହାରି ସରକାରଙ୍କୁ ଘେରିଛନ୍ତି । ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ବି ସରକାର କାହିଁକି ମାନ୍ୟତା ଦେଉନାହାନ୍ତି ସେନେଇ ପ୍ରଶ୍ନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇବେ ବୋଲି କହିଛନ୍ତି । ବିଜେଡି ମଧ୍ୟ ସମର୍ଥନ ଜଣାଇଛନ୍ତି। ହେଲେ, ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ । ଏବେ ପ୍ରଶ୍ନ ଉଠୁଛି, ଓଡ଼ିଶାର ଗୌରବ ସହ ଜଡ଼ିତ ଶୈଳବାଳା ମହାବିଦ୍ୟାଳୟକୁ କାହିଁକି ଅଣଦେଖା ? ଶୈଳବାଳା ମହାବିଦ୍ୟାଳୟକୁ କେବେ ମିଳିବ ନ୍ୟାୟ ?