କନକ ବ୍ୟୁରୋ : ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାର ପୁଲିସର ପର୍ଦାଫାଶ, ପୁତୁରା ଗିରଫ । ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ଝିରପାଣି ଗ୍ରାମରେ ଘଟିଥିବା ବିଧବା ମହିଳାଙ୍କ ବିଭତ୍ସ ହତ୍ୟା ଘଟଣାରେ ପୁଲିସ ସଫଳତା ପାଇଛି । ଡାହାଣୀ ସନ୍ଦେହକୁ କେନ୍ଦ୍ର କରି ଘଟିଥିବା ଏହି ନିର୍ମମ ହତ୍ୟାକାଣ୍ଡର ପର୍ଦାଫାଶ କରି ପୁଲିସ୍ ମୃତକାଙ୍କ ପୁତୁରାଙ୍କୁ ଗିରଫ କରିଛି । ମୃତକା ସରୋଜିନୀ ଏକ୍କା, ଜଣେ ବିଧବା ମହିଳା । ଗତ କିଛିଦିନ ଧରି ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଡାହାଣୀ ସନ୍ଦେହକୁ ନେଇ ତନାଘନା ଚାଲିଥିବା ସୂଚନା ମିଳିଛି । 

Advertisment

ଏହି ସନ୍ଦେହକୁ ଆଧାର କରି ପୁତୁରା ରାଗରେ ଆକ୍ରୋଶିତ ହୋଇ ସରୋଜିନୀ ଏକ୍କାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପୁଲିସ୍ ତଦନ୍ତରେ ପ୍ରକାଶ ପାଇଛି । ଘଟଣା ପ୍ରକାଶ ପାଇବାପରେ କୁତ୍ରା ଥାନା ପୁଲିସ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ସନ୍ଦେହର ଆଧାରରେ ପୁତୁରାଙ୍କୁ ଧରି ପଚାରାଉଚାର କରାଯାଇଥିଲା, ଯାହା ପରେ ସେ ଅପରାଧ ସ୍ୱୀକାର କରିଥିବା ପୁଲିସ୍ ସୂଚନା ଦେଇଛି ।

ଅଧିକ ପଢନ୍ତୁ : ବ୍ଲଗରଙ୍କ ହତ୍ୟା ପଛରେ କିଏ, କାହିଁକି ଯବାନ ପାଲିଟିଲା ଜହ୍ଲାଦ

 ଏହି ଘଟଣା ଗ୍ରାମରେ ଭୟ ଓ ଚଞ୍ଚଳତା ସୃଷ୍ଟି କରିଛି । ଡାହାଣୀ ସନ୍ଦେହ ଭଳି କୁସଂସ୍କାରକୁ ନେଇ ଏଭଳି ନିର୍ମମ ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକମାନେ ଚିନ୍ତା ପ୍ରକାଶ କରିଛନ୍ତି । ପୁଲିସ୍ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତି ନେଉଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।