କନକ ବ୍ୟୁରୋ: କିଏ ଜାଣିଥିଲା, ନା କେବେ କଳ୍ପନା କରିଥିଲା? ବାହାଘରର ସେହି ହସଖୁସିର ୩ଟି ମାସ ଏତେ ଶୀଘ୍ର ଶ୍ମଶାନର ନିରବତାରେ ବଦଳିଯିବ ବୋଲି । ଯେଉଁ ହାତରେ ସିନ୍ଦୂର ପିନ୍ଧାଇ ସାତ ଜନ୍ମର ସାଥୀ କରିଥିଲେ, ଆଜି ସେହି ହାତ ଦୁଇଟି ସିନ୍ଦୂର ପିନ୍ଧାଇବାକୁ ନାହିଁ ।
ଘରେ ୟୁଟ୍ୟୁବ୍ ବ୍ଲଗ୍ କରିବା ପାଇଁ ଲାଇଟ୍ ଅଛି, କ୍ୟାମେରା ଅଛି... ହେଲେ ସେହି କ୍ୟାମେରା ସାମ୍ନାରେ ହସି ହସି କଥା କହୁଥିବା 'ରାହୁଲ' ଆଉ ନାହାନ୍ତି । ଘରର କୋଣ ଅନୁକୋଣରେ ଏବେ ବି ତାଙ୍କର ସେହି ହସ ଶୁଭୁଛି, ହେଲେ ସେହି ହସକୁ ଚିରଦିନ ପାଇଁ ନିରବ କରିଦେଇଛନ୍ତି ନର ରାକ୍ଷସ ହତ୍ୟାକାରୀ ।
ରାତି ଅଧରେ ରାଜଧାନୀର ଖେଳ ପଡ଼ିଆରେ ଯେତେବେଳେ ଛୁରୀର ଗୋଟିଏ ଗୋଟିଏ ମାଡ଼ ରାହୁଲଙ୍କ ଛାତିକୁ ରକ୍ତାକ୍ତ କରୁଥିଲା, ସେତେବେଳେ ହୁଏତ ସେ ନିଜ ସ୍ତ୍ରୀର ସେହି ହସୁଥିବା ମୁହଁକୁ ମନେ ପକାଉଥିବେ । କିଏ କହିବ, କିଏ ବୁଝାଇବା ସେ ନବବଧୂକୁ, ଯିଏ କାଲି ଅପେକ୍ଷା କରିଥିଲା ରାହୁଲ ଫେରିବେ ବୋଲି? କେମିତି ସହିବେ ସେହି ବୁଢ଼ା ବାପା-ମା', ଯିଏ ବୟସର ଶେଷ ପାହାଚରେ ପୁଅର କୋକେଇ ଉଠୁଥିବାର ଦେଖୁଛନ୍ତି ।
ଆଜି ରାହୁଲଙ୍କ ଘରେ କେବଳ କାନ୍ଦବୋବାଳି ଆଉ ଚିତ୍କାର । ସିନ୍ଦୂର ରକ୍ତରଞ୍ଜିତ ହୋଇଛି, ଆଉ ଗୋଟିଏ ହସୁଥିବା ପରିବାର ଉଜୁଡ଼ି ଯାଇଛି । ମଞ୍ଚେଶ୍ୱର ଥାନା ପୋଲିସ ଏବେ ସୁଦ୍ଧା ୩ ଜଣଙ୍କୁ ଗିରଫ କରିଛି । କିନ୍ତୁ ରାହୁଲଙ୍କ ପରିବାରର ଗୋଟିଏ ଦାବି ହତ୍ୟାକାରୀକୁ କଠୋରରୁ କଠୋର ଦଣ୍ଡ ମିଳୁ ଏବଂ ରାହୁଲଙ୍କୁ ନ୍ୟାୟ ମିଳୁ । ନଚେତ୍ ଦିନକୁ ଦିନ ରାଜଧାନୀ ବା ସାରା ଓଡ଼ିଶାରେ ଆପରାଧିକ ମାମଲା ଆହୁରି ବଢ଼ି ବଢ଼ି ଚାଲିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/03/01/10-rahul-maharana-pkg-2026-03-01-18-58-25.jpg)