କନକ ବ୍ୟୁରୋ: ଆଜିକାଲି ଅନେକ ରୋଗ ମଣିଷକୁ ବ୍ୟତିବ୍ୟସ୍ତ କରିପକାଉଛି । ଘରେ ଘରେ ସମସ୍ତେ ପ୍ରାୟ ରୋଗରେ ପଡୁଛନ୍ତି । ଖାସ କରି ଡାଇବେଟିସ୍‌, ବ୍ଲଡ୍‌ ପ୍ରେସର, ହାର୍ଟଆଟାକ୍‌, କିଡ୍‌ନି ରୋଗୀଙ୍କ ସଂଖ୍ୟା ବହୁ ଅଧିକ । ସର୍ଭେ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି କି, ଜୀବନଚର୍ଯ୍ୟାରେ ପରିବର୍ତ୍ତନ ରୋଗର କାରଣ । ତେବେ ସର୍ବାଧିକ କିଡ୍‌ନି ରୋଗୀ ବୋଲି କୁହାଯାଉଛି । ହେଲେ କାହିଁକି ଏ ରୋଗ ହେଉଛି । କେଉଁ କାରଣ ଲାଗି ଏହି ରୋଗ ବ୍ୟାପୁଛି ସେନେଇ ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ଏବେ ୫ କାରଣ ଲାଗି ଏହି ରୋଗ ବ୍ୟାପୁଥିବା କୁହାଯାଉଛି । 

Advertisment

କାହିଁକି ଖରାପ ହେଉଛି କିଡ୍‌ନି ? 
କେବଳ ଏହି କାରଣ ଲାଗି ବିପଦରେ ପଡ଼ିପାରନ୍ତି ଆପଣ !
ଆମ ଶରୀରର ଜରୁରି ଅଙ୍ଗ କିଡ୍‌ନି
ରକ୍ତ ସଫା କରିବାରେ ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା

କିଡ୍‌ନି । ଇଏ ଏମିତି ଏକ ଅଙ୍ଗ ଯାହାର ଭୂମିକା ଆମ ଜୀବନରେ ଅତି ଗୁରୁତ୍ବପୂର୍ଣ୍ଣ । ଶରୀରରେ ରକ୍ତ ସଫା କରିବା କାମଠୁ ପରିଶ୍ରା ତିଆରି କରିବାରେ ଏହା କାମ କରେ । ତେଣୁ କିଡ୍‌ନିରେ କିଛି ଅସୁବିଧା ହେଲେ ମଣିଷ ବଂଚିବା କଷ୍ଟକର ହୋଇପଡ଼େ । ତେବେ ଜାଣିରଖନ୍ତୁ କାହିଁକି ଓ କେଉଁ କେଉଁ କାରଣ ଲାଗି କିଡ୍‌ନି ଖରାପ ହୁଏ ।

ହାଇ ବ୍ଲଡ୍‌ ପ୍ରେସର

ହାଇ ବ୍ଲଡ୍‌ ପ୍ରେସର ବା ଉଚ୍ଚ ରକ୍ତଚାପ । ଆଜିକାଲି ପ୍ରାୟ ସମସ୍ତଙ୍କର ଏହି ଅସୁବିଧା । କୁହାଯାଉଛି ଉଚ୍ଚ ରକ୍ତଚାପରେ ଯେଉଁମାନେ ଶିକାର ହୋଇଛନ୍ତି ସେମାନଙ୍କ ଶରୀରର ଅନେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ କେତେବେଳେ ବି ଖରାପ ହୋଇପାରେ । ତେଣୁ ନିୟମିତ ଭାବରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ପରାମର୍ଶ ଦିଆଯାଉଛି । 

ଡାଇବେଟିସ୍‌ ବା ମଧୁମେହ

ଡାଇବେଟିସ୍‌ । ଇଏ ଏମିତି ଏକ ରୋଗ, ଯିଏ କି ଅନ୍ୟ ରୋଗକୁ ନିମନ୍ତ୍ରଣ କରି ଆଣେ । ଯେଉଁମାନେ ଏହି ରୋଗରେ ପୀଡ଼ିତ ସେମାନଙ୍କର କିଡ୍‌ନି କେତେବେଳେ ବି ଖରାପ ହୋଇପାରେ ବୋଲି କୁହାଯାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଡାଇବେଟିସ୍‌ରେ ଆକ୍ରାନ୍ତ ହେବା ପରେ କିଡ୍‌ନିର ନଳୀକୁ ସାଙ୍ଘାତିକ ଭାବରେ ପ୍ରଭାବିତ କରେ । ତେଣୁ କିଡ୍‌ନି ଉପରେ ପ୍ରଭାବ ପଡ଼େ । ତେଣୁ ନିୟମିତ ବ୍ୟାୟାମ କରିବା ଦ୍ବାରା ଏହା କିଛି ମାତ୍ରାରେ ଠିକ୍‌ ହୁଏ ବୋଲି କୁହାଯାଉଛି । 

ଅତ୍ୟଧିକ ମେଡିସିନ୍‌ ସେବନ

ଯେବେ ଶରୀରକୁ କଷ୍ଟ ଲାଗେ ସେବେ ଆମେ ମେଡିସିନ୍‌ ଖାଆନ୍ତି । ଏମିତି ବି ସମୟ ଆସେ ଡାକ୍ତରଙ୍କ ବିନା ପରାମର୍ଶରେ ଆମେ ମେଡିସିନ୍‌ ଦୋକାନରୁ ପଚାରି ଔଷଧ ଖାଆନ୍ତି । କିନ୍ତୁ ଆମେମାନେ ଭୁଲିଯାଆନ୍ତି କି, ଅତ୍ୟଧିକ ମେଡିସିନ୍‌ ଖାଇବା ଦ୍ବାରା କିଡ୍‌ନି ଉପରେ ଏହାର ସାଙ୍ଘାତିକ ପ୍ରଭାବ ପଡ଼େ ।  

କମ୍‌ ପାଣି ପିଉଥିଲେ

କର୍ମମୟ ଜୀବନରେ ମଣିଷ ଏତେ ମାତ୍ରାରେ ବ୍ୟସ୍ତ ରହୁଛି ଯେ ପାଣି ପିଇବାକୁ ବି ଭୁଲିଯାଉଛି । ଅତି କମ୍‌ରେ ଅଢେଇ ଲିଟର ପାଣି ପିଇବା ଦରକାର । କିନ୍ତୁ ଆପଣମାନଙ୍କ ମଧ୍ୟରୁ ଅନେକ ଏହାଠାରୁ ବି କମ୍‌ ପାଣି ପିଉଛନ୍ତି । ତେଣୁ ଏହାର ସିଧାସଳଖ ପ୍ରଭାବ କିଡ୍‌ନି ଉପରେ ହିଁ ପଡ଼େ । ଶରୀରକୁ ଯେତେ ମାତ୍ରାରେ ପାଣି ଦରକାର ଆମେ ଯଦି ସେତିକି ମାତ୍ରାରେ ପାଣି ପିଅନ୍ତି ନାହିଁ ତେବେ ଏହା କିଡ୍‌ନି ଖରାପ କରିବାର ମୌକା ପାଇଯାଏ ।

ସଂକ୍ରମଣ ଓ କିଡ୍‌ନି ଷ୍ଟୋନ୍‌

କିଡ୍‌ନି ଷ୍ଟୋନ୍‌ । ଅନେକଙ୍କର ହୋଇଥିବ ନିଶ୍ଚୟ । ଆମେମାନେ ଭାବନ୍ତି, ଏହା ଏକ ସାଧାରଣ କଥା । ହେଲେ ଏହା କେତେ ମାତ୍ରାରେ ଶରୀର ଉପରେ ପ୍ରଭାବ ପକାଏ ତାହା ଆପଣ ହୁଏତ ଆକଳନ କରିନଥିବେ । କାରଣ କିଡ୍‌ନିରେ ଷ୍ଟୋନ୍‌ ହେବା ପରେ ମୂତ୍ରାଶୟରେ ବି ପ୍ରଭାବ ପକାଏ । ବେଳେ ବେଳେ ପରିଶ୍ରାରେ ରକ୍ତ ବି ପଡ଼େ । ତେଣୁ କିଡ୍‌ନି ଷ୍ଟୋନର ସଠିକ ସମୟରେ ସଠିକ ଉପଚାର ନକଲେ କିଡ୍‌ନି ମଧ୍ୟ ଖରାପ ହୋଇପାରେ ।

ମୋଟ୍‌ ଉପରେ କିଡ୍‌ନି ରୋଗର ଅନେକ କାରଣ ରହିଛି । ତେଣୁ କିଡ୍‌ନି କେମିତି ସୁରକ୍ଷିତ ରହିବ ସେନେଇ ଆପଣମାନେ ଧ୍ୟାନ ରଖିବା ଦରକାର । ନହେଲେ ଅଯଥାରେ ହଇରାଣ ହେବେ ।