କନକ ବ୍ୟୁରୋ: ଏପ୍ରିଲ୍ ୧୪…ସେଦିନ ଏମିତି ଏକ ଘଟଣା ଘଟିଥିଲା ଯାହା ଆଜି ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ । ଛାତି ଧଡ଼ଧଡ଼ ହୁଏ । ସେଦିନ ଅଧ ରାତିରେ ପ୍ରଶାନ୍ତ ମହାସାଗରର ମଚମଚ ପାଣିରେ ବୁଡ଼ିଯାଇଥିଲା ବିଶ୍ବର ସବୁଠୁ ବଡ଼ ଜାହଜ ଟାଇଟନିକ୍ । ହେଲେ ଘଟଣାର ପ୍ରକୃତ କାରଣ କଣ ସେନେଇ ଆଜି ବି ଚର୍ଚ୍ଚା ଚାଲେ । କେହି କେହି ପାଗକୁ ଦୋଷ ଦିଅନ୍ତି ତ ଆଉ କେହି କେହି କ୍ୟାପଟେନ୍ଙ୍କ ଭୁଲ୍କୁ ଦାୟୀ କରନ୍ତି ।
ମଝି ସମୁଦ୍ରରେ ଘଟିଥିଲା ଅଘଟଣ
ଅନ୍ଧାର ରାତିରେ ଚାଲିଯାଇଥିଲା ୧୫ ଶହ ଲୋକଙ୍କ ଜୀବନ
ସମୁଦ୍ର ମଝି…ଘନ ଅନ୍ଧାର । ରାତିରେ ଶୋଇଥିବା ବେଳେ ସବୁଦିନ ପାଇଁ ଶୋଇ ପଡ଼ିଥିଲେ ୧୫ ଶହରୁ ଅଧିକ ଲୋକ । ତେବେ ଜାଣନ୍ତୁ କେମିତି ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା ?
୧୦ ଏପ୍ରିଲ ୧୯୧୨ ମସିହା । ଇଂଲଣ୍ଡର ସାଉଥହାଂପଟନରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ କରେ ଟାଇଟନିକ୍ । ସେହି ସମୟରେ ବିଶ୍ୱର ସବୁଠୁ ବିଳାସପୂର୍ଣ୍ଣ କ୍ରୁଜ୍ ସିପ୍ ଟାଇଟନିକ୍ କୁହାଯାଉଥିଲା । ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ବି ଜାହାଜ ବୁଡିବ ନାହିଁ, ସେଇ ଢାଞ୍ଚାରେ ତିଆରି ହୋଇଥିଲା ଏହି ଲଗ୍ଜୁରୀ ଜାହଜ । ଜାହଜରେ ଥିଲେ ୨୨୨୪ ଜଣ ଯାତ୍ରୀ । ପ୍ରାୟତଃ ସମସ୍ତେ ଥିଲେ ଉଚ୍ଚ ଓ ସଂଭ୍ରାନ୍ତ ଶ୍ରେଣୀ ପରିବାରର । ବ୍ରିଟିଶ କମ୍ପାନି ହର୍ଲାଣ୍ଡ ଆଣ୍ଡ ଉଲ୍ଫ ଟାଇଟନିକର ନିର୍ମାଣ କରିବା ବେଳେ ହ୍ୱାଇଟ ଷ୍ଟାର ଲାଇନ କମ୍ପାନି ଏହାର ପରିଚାଳନା ଦାୟିତ୍ୱରେ ଥିଲା । ୩ ବର୍ଷ ଧରି ୩ ହଜାର ଶ୍ରମିକଙ୍କ ଅକ୍ଲାନ୍ତ ପରିଶ୍ରମରେ ତିଆରି ହୋଇଥିଲା ଟାଇଟନିକ । ଜାହଜର ନିର୍ମାଣରେ ୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ମହଜୁଦ ଥିଲା ।
ସି ଟ୍ରାଏଲ୍ ପରେ ମିଳିଥିଲା ଗ୍ରୀନ ସିଗ୍ନାଲ
ଜାହଜରେ ଥିଲା ୩ ଲଗ୍ଜୁରୀ କକ୍ଷ
୧୯୧୨ ମସିହାରେ ସି ଟ୍ରାଏଲ୍ ପରେ ସମାନବର୍ଷ ଏପ୍ରିଲ ୨ ତାରିଖରେ ସମୁଦ୍ରରେ ଯାତ୍ରା କରିବାକୁ ଟାଇଟନିକ୍କୁ ମିଳିଥିଲା ଗ୍ରୀନ ସିଗ୍ନାଲ । ବିଳାଶପୂର୍ଣ୍ଣ ଜାହଜରେ ଯାତ୍ରା କରିବାକୁ ବାହରିଥିଲେ ବିଶ୍ୱର ବହୁ ଧନୀ ଓ ପ୍ରତିଷ୍ଠିତ ବ୍ୟକ୍ତି । ଯାତ୍ରୀଙ୍କ ଲାଗି ଜାହଜରେ A,B ଓ C ଭଳି ବିଭିନ୍ନ ଶ୍ରେଣୀର କକ୍ଷ ଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରଥମ ଶ୍ରେଣୀରେ ଯାତ୍ରା କରିବାକୁ ସେହି ସମୟରେ ୨ ଲକ୍ଷ ୭୦ ହଜାର, ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦେବକୁ ପଡିଥିଲା ପ୍ରାୟ ଲକ୍ଷେ ଟଙ୍କା । ଯାହା ମହଙ୍ଗା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ସେଦିନ ଥିଲା ଏପ୍ରିଲ ୧୪
ଶାନ୍ତ ଥିଲା ସମୁଦ୍ର
୧୪ ଏପ୍ରିଲ...ଅଧରାତିରେ ସମୁଦ୍ର ଅନ୍ୟଦିନ ଅପେକ୍ଷା ବେଶ୍ ଶାନ୍ତ ଥିଲା । ସତେ ଯେମିତି କିଛି ଘଟଣା ଘଟିବା ପୂର୍ବରୁ ପ୍ରକୃତି ଯେମିତି ଶାନ୍ତ ହୁଏ… ତେଣୁ ଫୁଲ ସ୍ପିଡରେ ଲକ୍ଷ୍ୟସ୍ଥଳରୁ ବଢୁଥିଲା ଟାଇଟନିକ୍ । ହେଲେ ଆଟଲାଣ୍ଟିକ ମହାସାଗରରେ ବିରାଟକାୟ ବରଫ ପାହାଡ ବା ଆଇସବର୍ଗର ଉପସ୍ଥିତି ନେଇ ଟାଇଟନିକର କର୍ମଚାରୀଙ୍କୁ ଅବଗତ କରାଯାଇଥିଲା । ହେଲେ କ୍ୟାପଟେନ୍ ସ୍ମିଥ୍ ଏହାକୁ ଅଣଦେଖା କରିଦେଇଥିଲେ । ପୂରା ଦମ୍ରେ ଆଗକୁ ବଢୁଥିଲା ଜାହଜ । ରାତି ଠିକ୍ ୧୧.୪୦ ମିନିଟ୍ରେ ଜାହଜ ସାମ୍ନାରେ ବିରାଟ ବରଫ ଖଣ୍ଡ ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଜାହଜର ଗତିପଥ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ସବୁ ସରିଯାଇଥିଲା ସେତେବେଳକୁ ।
ହଠାତ୍ ବରଫ ଖଣ୍ଡ ସହ ଧକ୍କା ହୋଇଥିଲା ଜାହଜ
ରାତି ବଢୁଥିଲା, ଚିତ୍କାର ଶୁଭୁଥିଲା
ବରଫ ସହ ଧକ୍କା ଖାଇବା ପରେ ଜାହଜ କ୍ଷତିଗ୍ରସ୍ତ ହୋଇଥିଲା । ଖାଲି କ୍ଷତିଗ୍ରସ୍ତ ହୋଇଥିଲା ତାହା ନୁହେଁ ବରଂ ଏପ୍ରିଲ ୧୪ରେ କଳା ଇତିହାସ ଲେଖିବାକୁ ସତେ ଯେମିତି ଅପେକ୍ଷା କରିଥିଲା । ସମୟ ବଢୁଥିଲା, ଜାହଜର ଗୋଟିଏ ପରେ ଗୋଟିଏ ଭାଗରେ ପାଣି ପଶୁଥିଲା । ଯାତ୍ରୀଙ୍କ ମଧ୍ୟରେ ଧାଁ ଦଉଡ଼ ବି ଲାଗିଥିଲା । ଅନ୍ଧାର ରାତିରେ ପୁଣି ମଝି ସମୁଦ୍ରରେ କିଏ ବା କୁଆଡ଼େ ଯିବ । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜାହଜ ବୁଡ଼ିବ ନାହିଁ ବିଶ୍ବାସ ଥିବାରୁ ସେତେ ପରିମାଣରେ ବୋଟ୍ କି ଲାଇଫ୍ ଜ୍ୟାକେଟ୍ ବି ନଥିଲା । ତେଣୁ ଯାତ୍ରୀମାନେ ଅଧିକ ସଂଖ୍ୟାରେ ପ୍ରାଣ ହରାଇଥିଲେ ।
ଅବଶ୍ୟ ୱୟାରଲେସ୍ରେ ଖବର ମିଳିବା ପରେ ଅନ୍ୟ ଜାହଜ ସାହାଯ୍ୟ ପାଇଁ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା । ସେଦିନ ରାତିରେ ପ୍ରକୃତରେ କଣ ଘଟିଲା, କେମିତି ହେଲା ଅନେକ କଥା ସାମ୍ନାକୁ ଆସେ । ଜାହଜ ଦୁର୍ଘଟଣାକୁ ନେଇ ଫିଲ୍ମ ବି ତିଆରି ହେଲା । ହେଲେ ସେ ଦିନ ପ୍ରକୃତ ଘଟଣା କଣ ଘଟିଥିଲା ସେନେଇ ଆଜି ବି ଚର୍ଚ୍ଚା ଚାଲେ । କିନ୍ତୁ ଜାହଜ ବୁଡ଼ିବା ଘଟଣାକୁ ଆଜି ବି କେହି ଭୁଲିନାହାନ୍ତି କି କାଲି ବି କେହି ଭୁଲିବେ ନାହିଁ ।