କନକ ବ୍ୟୁରୋ : ଛୋଟପିଲାଙ୍କ ଡାଏଟକୁ ନେଇ ବାପା, ମା’ ସବୁବେଳେ ଦ୍ବନ୍ଦ୍ବରେ ରହିଥା’ନ୍ତି । ଖାସ୍ କରି ସେତେବେଳେ ଯେତେବେଳେ ପ୍ରଥମ ଥର ପାଇଁ ସନ୍ତାନ ଜନ୍ମ କରିଥା’ନ୍ତି ବାପା,ମା’ । ଛୋଟ ଛୁଆ ତ ଶୀଘ୍ର ଖାଇବେନି , ବୁଲାଇ ବୁଲାଇ ଖୁଆଇଲା ବେଳକୁ ଘଣ୍ଟା ଘଣ୍ଟା ସମୟ ଲାଗିଯାଏ । ପିଲା କେମିତି ସଅଳ ଖାଇବ ଏହା ଚିନ୍ତା କରି ବାପା,ମା’ ଖାଦ୍ୟରେ ଅଳ୍ପ ଲୁଣ ଏବଂ ଚିନିର ବ୍ୟବହାର କରନ୍ତି । କିଛି ଲୋକ ୬ ମାସ ପରେ ସେମାନଙ୍କ ଶିଶୁକୁ ଲୁଣ ଏବଂ ଚିନି ଖାଇବାକୁ ଦେବା ଆରମ୍ଭ କରିଦିଅନ୍ତି । କିନ୍ତୁ ଶିଶୁ ବିଶେଷଜ୍ଞମାନେ ଏପରି କରିବାକୁ ମନା କରନ୍ତି । ଶିଶୁରୋଗ ବିଶେଷଜ୍ଞ ଏବଂ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ଅନୁସାରେ, ୧ ବର୍ଷ ବୟସ ପୂର୍ବରୁ ପିଲାମାନଙ୍କୁ ଲୁଣ ଏବଂ ଚିନି ଖାଇବାକୁ ଦେବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । କାରଣ ଜନ୍ମ ପରେ ପିଲାଙ୍କ ଶରୀର ଏବଂ କିଡନି ଧୀରେ ଧୀରେ ବିକଶିତ ହୁଏ । ଏପରି ପରିସ୍ଥିତିରେ ଅଧିକ ସୋଡିୟମ୍ ସେମାନଙ୍କ ଶରୀର ଉପରେ ଚାପ ପକାଇପାରେ ଏବଂ କ୍ଷତି ପହଞ୍ଚାଇପାରେ । ତେବେ ଆସନ୍ତୁ ଜାଣିବା ବର୍ଷେ ପୂର୍ବରୁ ପିଲାମାନଙ୍କୁ କାହିଁକି ଲୁଣ ଦିଆଯିବା ଉଚିତ୍ ନୁହେଁ ଏବଂ ଏହା ଶିଶୁର ଶରୀରରେ କ’ଣ କ୍ଷତି କରିପାରେ ?
ଆଗକୁ ପଢ଼ନ୍ତୁ : ବାରମ୍ବାର ଆଣ୍ଟିବାୟୋଟିକ୍ ଖାଉଛନ୍ତି କି ? ଅନ୍ତନଳୀ ସଢ଼େଇଦେବ ଆଣ୍ଟି-ବାୟୋଟିକ୍ !
ଛୋଟ ପିଲାମାନଙ୍କର ବୃକକ୍ ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ । ଯଦି ପିଲାଟି ଲୁଣ ଖାଏ ତେବେ ବୃକକ୍ ଉପରେ ଅଧିକ ଚାପ ପଡ଼େ । କମ୍ ବୟସରୁ ଅଧିକ ଲୁଣ ଖାଇବା ଅଭ୍ୟାସ ଭବିଷ୍ୟତରେ ଉଚ୍ଚ ରକ୍ତଚାପର ସମ୍ଭାବନାକୁ ବୃଦ୍ଧି କରିପାରେ । ଗବେଷଣାରୁ ଜଣାପଡ଼ିଛି ଯେ ପିଲାଦିନର ଖାଦ୍ୟପେୟ ବଡ଼ ହେଲେ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ । ଛୋଟ ପିଲାମାନଙ୍କର ଶରୀରରେ ଜଳ ସନ୍ତୁଳନ ଶୀଘ୍ର ବିଗିଡ଼ିପାରେ । ଅଧିକ ଲୁଣ ଖାଇବାକୁ ଦେବା ଦ୍ୱାରା ଶରୀରରେ ପାଣିର ଆବଶ୍ୟକତା ବଢ଼ିଯାଏ ଏବଂ ଡିହାଇଡ୍ରେସନ୍ ହେବାର ଆଶଙ୍କା ରହିପାରେ । ଯଦି ପିଲାଟି ଆରମ୍ଭରୁ ଲୁଣିଆ ଖାଦ୍ୟ ଖାଇବାରେ ଅଭ୍ୟସ୍ତ ହୋଇଯାଏ ଭବିଷ୍ୟତରେ ମଧ୍ୟ ଲୁଣିଆ ଖାଦ୍ୟ ଖାଇବାକୁ ହିଁ ପସନ୍ଦ କରେ । ବିଶେଷଜ୍ଞମାନେ କୁହନ୍ତି ଯେ ୧ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଶିଶୁକୁ ଲୁଣ ଦେବାର ଆବଶ୍ୟକତା ନାହିଁ । ତଥାପି ୬ ମାସ ପରେ ବିନା ଲୁଣରେ ଖାଦ୍ୟ ଖାଇବା ଆରମ୍ଭ କରିପାରିବେ । ଆପଣ ଦଲିଆ, ଖେଚୁଡ଼ି, କିମ୍ବା ଚକଟା ପନିପରିବା ଶିଶୁଙ୍କୁ ଖାଇବାକୁ ଦେଇପାରିବେ । ଏହି ବୟସରେ ଯେତେ ଫିକା ଖାଦ୍ୟ ଖାଇବ ଶରୀରକୁ ସେତେ ଭଲ ।
ଏହାଛଡ଼ା ପିଲାଙ୍କ ଖାଦ୍ୟରେ ଚିନି ମିଶାଇବା ମଧ୍ୟ କ୍ଷତିକାରକ ହୋଇପାରେ । ଖାସ୍ କରି ସେତେବେଳେ ଯେତେବେଳେ ଶିଶୁ ମା’କ୍ଷୀର ସେବନ ବନ୍ଦ କରିଥାଏ । ଶିଶୁ ଅବସ୍ଥା ବହୁତ ଗୁରୁତ୍ବପୂର୍ଣ୍ଣ କାରଣ ଏହି ସମୟ ଭବିଷ୍ୟତର ଖାଦ୍ୟ,ପାନୀୟ ଉପରେ ନିର୍ଭର କରେ । ଶିଶୁଙ୍କ ଆହାରରେ ଚିନି ମିଶାଇବା ଦ୍ବାରା ଦାନ୍ତ ଖରାପ ହେବାର ସମସ୍ୟା ବଢ଼େ । ଭବିଷ୍ୟତରେ ମଧୁମେହର ସମସ୍ୟା ସୃଷ୍ଟି ହୁଏ । ବର୍ଷେରୁ ଦେଢ଼ବର୍ଷ ଭିତରେ ଶିଶୁଙ୍କୁ ଖାଦ୍ୟରେ ଲୁଣ ଏବଂ ଚିନି ଦେବା ଆଦୌ ଠିକ୍ ନୁହେଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/21/salt-sugar-2026-02-21-13-06-42.jpg)