କନକ ବ୍ୟୁରୋ: ସୀମାରେ ଅଶାନ୍ତି । ପହଲଗାମ୍‌ ଆକ୍ରମଣ ପରେ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛନ୍ତି ଇଣ୍ଡିଆନ ଆର୍ମି । ଖାଲି ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛନ୍ତି ତାହା ନୁହେଁ ବରଂ ପାକିସ୍ତାନକୁ ପାନେ ଦେବାକୁ ପୂରା ରଣନୀତି ବି ପ୍ରସ୍ତୁତ ହେଉଛି । ଭାରତ ଏହାରି ଭିତରେ ଅଟାରୀ ସୀମା ବନ୍ଦ କରିବା ସହିତ ସିନ୍ଧୁ ଚୁକ୍ତିକୁ ବି ରଦ୍ଦ କରିଛି । ସେପଟେ ପାକିସ୍ତାନ ଭାରତ ପାଇଁ ଆକାଶପଥ ବନ୍ଦ କରିବା ସହିତ ଶିମଲା ଚୁକ୍ତି ବି ରଦ୍ଦ ଘୋଷଣା କରିଛି । କୁହାଯାଉଛି ଏହି ଚୁକ୍ତି ଅନୁସାରେ ଏଲଓସିରେ କେହି ସୀମାପାର କରିବେ ନାହିଁ ବୋଲି କୁହାଯାଇଥିଲା । ହେଲେ ଏବେ ଚୁକ୍ତି ରଦ୍ଦ ହେଲା ପରେ ପିଓକେକୁ ଭାରତ ନିଜ ଅଧୀନକୁ ଆଣିବାର ସୁଯୋଗ ରହିଛି ବୋଲି କୁହାଯାଉଛି । ଯାହାକୁ ନେଇ ଚର୍ଚ୍ଚା ଚାଲିଛି ।

Advertisment

କାହିଁକି କାଶ୍ମୀରକୁ ନେଇ ଭାରତ-ପାକିସ୍ତାନ କେଁ
ପିଓକେ କେମିତି ଗଲା ପାକିସ୍ତାନକୁ ?
କଣ ଥିଲା ପିଓକେର ଇତିହାସ ?

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ପାଇଥିଲା ଭାରତ । ବିଭାଜନ ପରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ସ୍ୱାଧୀନ ରାଷ୍ଟ୍ର ସୃଷ୍ଟି ହେଲା । ଏହି ସମୟରେ ଜମ୍ମୁ ଓ କାଶ୍ମୀରକୁ ସ୍ବାୟତ୍ତ ଭାବେ ରଖିବାକୁ ନିଷ୍ପତ୍ତି ନେଇଥିଲେ ଇଂରେଜ ସରକାର । ଏହାର ଶାସନ ବ୍ୟବସ୍ଥା ମହାରାଜା ହରି ସିଂଙ୍କ ହାତରେ ରହିଥିଲା । ଭାରତ କିମ୍ବା ପାକିସ୍ତାନରେ ଯୋଗଦାନ କରିବାକୁ ନିଷ୍ପତ୍ତି ନେବାର ସ୍ୱାଧୀନତା ଜମ୍ମୁ କାଶ୍ମୀରକୁ ଦିଆଯାଇଥିଲା । ମହାରାଜା ହରି ସିଂ ପ୍ରଥମେ ସ୍ୱାଧୀନ ରହିବାକୁ ଚାହିଁଥିଲେ ଏବଂ କୌଣସି ଦେଶରେ ଯୋଗଦାନ କରିବା ନିଷ୍ପତ୍ତିକୁ ବିଳମ୍ବ କରୁଥିଲେ । ହେଲେ ଜାମ୍ମୁ-କଶ୍ମୀରକୁ ନିଜ ଅଧୀନକୁ ନେବାକୁ ପାକିସ୍ତାନ ଆକ୍ରମଣ କରିଥିଲା । 

ପାକିସ୍ତାନକୁ ଅଟକାଇବାକୁ ରାଜା ଅସମର୍ଥ ହେବା ପରେ ଭାରତକୁ ସାହାଯ୍ୟ ମାଗିଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ତୁରନ୍ତ ସାହାଯ୍ୟ କରିବା ପରିବର୍ତ୍ତେ ଭାରତରେ ଯୋଗଦାନ ଚୁକ୍ତି ସ୍ବାକ୍ଷର କରିବାକୁ କହିଥିଲେ । ହରି ସିଂ ଚୁକ୍ତି ସ୍ବାକ୍ଷର କରିବା ପରେ ୨୬ ଅକ୍ଟୋବର ୧୯୪୭ରେ ଭାରତରେ ସାମିଲ ହୋଇଥିଲା ଜମ୍ମୁ ଓ କାଶ୍ମୀର । ଆଉ ଭାରତ ସାମ୍ନାରେ ବେଶି ସମୟ ତିଷ୍ଠି ପାରିନଥିଲା ପାକିସ୍ତାନ ସେନା । ବାଧ୍ୟ ହୋଇ ପଛକୁ ଫେରିଥିଲା । ପରେ ପରେ ଜମ୍ମୁ କାଶ୍ମୀରର ପଶ୍ଚିମ ଓ ଉତ୍ତର ଭାଗକୁ ପାକିସ୍ତାନ ନିଜ ନିୟନ୍ତ୍ରଣରେ ରଖିଥିଲା । ଯୁଦ୍ଧବିରତି ପରେ ଜମ୍ମୁ ଓ କାଶ୍ମୀରର ଅଞ୍ଚଳ ଦୁଇ ଭାଗରେ ବିଭକ୍ତ ହେଲା। ଭାରତ ଶ୍ରୀନଗର, ଜମ୍ମୁ ଓ ଲଦାଖ ଅଞ୍ଚଳ ନିୟନ୍ତ୍ରଣ କରିଥିଲା, ଆଉ ପାକିସ୍ତାନ ମୁଜାଫରାବାଦ, ଗିଲଗିଟ-ବାଲୁଚିସ୍ତାନ ଏବଂ ଅନ୍ୟାନ୍ୟ ପଶ୍ଚିମ ଅଞ୍ଚଳ ଅଧିକାର କରିଥିଲା, ଯାହା ବର୍ତ୍ତମାନ ପିଓକେ ନାମରେ ପରିଚିତ ।

ପରବର୍ତ୍ତୀ ସମୟରେ କାଶ୍ମୀରକୁ ନେଇ ଅନେକ ସମୟରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି । ହେଲେ ଶିମଲା ଚୁକ୍ତି ରଦ୍ଦ ହେବା ପରେ ଏବେ ପୁଣି ଥରେ ପିଓକେକୁ ପୁଣି ଥରେ ଭାରତ ନିଜ ଅଧୀନକୁ ଆଣିବାର ସୁଯୋଗ ରହିଛି ବୋଲି କୁହାଯାଉଛି । ତେବେ ସମୟ କହିବ ଆଗାମୀ ଦିନରେ କି ପଦକ୍ଷେପ ନେଉଛି ଭାରତ ।